ବିଶ୍ୱର ସବୁଠାରୁ ବଡ଼ ମୋଟର ସାଇକେଲ୍ ମ୍ୟୁଜିୟମ୍‌ରେ ଲାଗିଗଲା ନିଆଁ, ଜଳିଗଲା ୨୦୦ରୁ ଅଧିକ ପ୍ରସିଦ୍ଧ ଏବଂ ବିରଳ ବାଇକ୍‌

Published By : Prameya-News7 Bureau | January 19, 2021 IST

ଭିଏନା, ୧୯/୦୧: ଅଷ୍ଟ୍ରିଆରେ ଥିବା ବିଶ୍ୱର ସବୁଠୁ ବଡ଼ ମୋଟର ସାଇକେଲ୍ ମ୍ୟୁଜିୟମ୍‌ରେ ଗତକାଲି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ମ୍ୟୁଜିୟମରେ ଥିବା ୨୦୦ରୁ ଅଧିକ ସୌଖିନ ଏବଂ ଦାମୀ ମୋଟର ସାଇକେଲ୍ ପୋଡ଼ି ନଷ୍ଟ ହୋଇଯାଇଛି ।

ସୂଚନା ଅନୁସାରେ ଭୋର ସକାଳ ପାଖାପାଖି ୪ଟା ୪୦ରେ ମ୍ୟୁଜିୟମ୍‌ର ଆଲାରାମ ବନ୍ଦ ହୋଇଯାଇଥିଲା । ମ୍ୟୁଜିୟମ୍ ଭିତରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଥିଲା । ଏହା ପରେ ସଙ୍ଗେସଙ୍ଗେ ନିଆଁ ଲିଭାଳୀଙ୍କୁ ଡକାଯାଇଥିଲା । କିନ୍ତୁ ସେମାନେ ପହଞ୍ଚିବା ବେଳକୁ ମ୍ୟୁଜିୟମ୍ ଭିତରେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା। ତେବେ ଏଥିରେ କ୍ଷୟକ୍ଷତିର ସଠିକ୍ ଆକଳନ ହୋଇନଥିବା ବେଳେ ୨୦୦ ବାଇକ୍ ପୋଡ଼ିଯାଇଥିବା ସୂଚନା ମିଳିଛି ।

ଏହି ମ୍ୟୁଜିୟମ୍‌ରେ ଦୁନିଆର ପ୍ରାୟ ବଡ଼ ଏବଂ ଦାମୀ ମୋଟର ସାଇକେଲଗୁଡ଼ିକୁ ସଂଗ୍ରହ କରି ସାଇତି ରଖାଯାଇଥିଲା । ଏହି ମ୍ୟୁଜିୟମ୍ ଟିମେଲସଜୋଚ୍ ( ଅଷ୍ଟ୍ରିଆ ଏବଂ ଇଟାଲିକୁ ସଂଯୋଗ କରୁଥିବା ସୀମା) ଅଷ୍ଟ୍ରିଆ ପାର୍ଶ୍ୱରେ ରହିଛି । ଏଠାରେ ବିଭିନ୍ନ ବ୍ରାଣ୍ଡର ୨୩୦ଟି ପୁରାତନ ମଟୋର ସାଇକେଲ ରହିଥିଲା ।

ଏହି ମ୍ୟୁଜିୟମ୍‌କୁ ଆଲବନ୍ ଏବଂ ଆଟ୍ଟିଲା ନାମକ ଦୁଇ ଯାଆଁଳା ଭାଇ ୨୦୧୬ ମସିହାରେ ତିଆରି କରିଥିଲେ । ବିଶ୍ୱର କ୍ଲାସିକ୍ ଯାନ ଗୁଡ଼ିକୁ ସଂଗ୍ରହ କରି ରଖିବା ପାଇଁ ସେମାନେ ଚେଷ୍ଟା ଚଳାଇଥିଲେ । ପାଖାପାଖି ସେମାନଙ୍କ ପାଖରେ ୨୩୦ଟି ଦାମୀ କ୍ଲାସିକ୍ ବାଇକ୍ ରହିଥିଲା । ସେମାନଙ୍କ ମଧ୍ୟରେ ବ୍ରୋଘ ସୁପେରିୟର, ଫ୍ଲାଇଙ୍ଗ ମର୍କେଲ, ଇଣ୍ଡିଆନ୍ ମୋଟର ସାଇକେଲ, ଜୁଣ୍ଡାପ୍ ଏବଂ ହାର୍ଲି ଡେଭିଡ୍ ସନ୍ ଭଳି ବ୍ରାଣ୍ଡର ଗାଡ଼ି ରହିଥିଲା । ୧୦୦ରୁ ଅଧିକ ଗାଡ଼ି ନିର୍ମାଣକାରୀ କମ୍ପାନୀର ଗାଡ଼ି ସେମାନେ ସଂଗ୍ରହ କରିଥିଲେ । ଏଥି ସହିତ କିଛି ଭେଣ୍ଟେଜ୍ କାର ମଧ୍ୟ ମ୍ୟୁଜିୟମ୍‌ରେ ସଂଗ୍ରହ କରି ରଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.