ଗୋଆରେ ୧୫ରୁ ଅଧିକ ଓଡ଼ିଆ ଯୁବକ ନଜରବନ୍ଦୀ , ଖଟାଉଛନ୍ତି କିନ୍ତୁ ଯଥେଷ୍ଟ ମଜୁରୀ ବଦଳରେ ନିର୍ଯ୍ୟାତନା : ପୋଲିସରେ ଆତ୍ମୀୟଙ୍କ ଫେରାଦ

Published By : Prameya-News7 Bureau | February 27, 2020 IST

ଜଗତସିଂହପୁର,୨୬/୨ : ଗୋଆରେ ଓଡ଼ିଶାର ୧୫ରୁ ଅଧିକ ଯୁବକଙ୍କୁ ନଜରବନ୍ଦୀ କରି ରଖାଯାଇଛି । ଚାକିରି ଲୋଭ ଦେଖାଇ ଯୁବକମାନଙ୍କୁ ସେଠାକୁ ଡାକି ନିଆଯିବା ପରେ ଗୋତି ଶ୍ରମିକ କରାଯାଇଥିବା ସାମ୍ନାକୁ ଆସିଛି । ଅଳ୍ପ ପାରିଶ୍ରମିକ ଦିଆଯାଉଥିବା ବେଳେ ସେମାନଙ୍କ ମୋବାଇଲ ଫୋନ୍‌କୁ ଛଡ଼ାଇ ରଖାଯାଇଛି । ଏପରିକି କିଛି ଅସାମାଜିକ ଯୁବକ ଏମାନଙ୍କ ପାଖରେ ଛାଇ ପରି ଘୂରି ବୁଲୁଛନ୍ତି, ଗୋଡ଼େ ଗୋଡ଼େ ଏମାନଙ୍କୁ ଜଗି ରହିଛନ୍ତି । ପରିବାର ଲୋକଙ୍କ ସହ ସଂପର୍କ ସ୍ଥାପନ କରାଇ ଦେଉ ନାହାନ୍ତି । ଗୋଆର ବ୍ଲାକ୍‌ ଟାଇଗର ନାମକ ଏକ ସଂସ୍ଥାରେ ଏମାନଙ୍କୁ ଖଟାଯାଉଛି । ସେଠାରୁ ପ୍ରତିଦିନ କାମ ସାରିବା ପରେ ଏମାନଙ୍କୁ ଅସାମାଜିକ ଯୁବକମାନଙ୍କ ହେପାଜତ୍‌ରେ ଅନ୍ୟ ଏକ ଘରକୁ ଅଣାଯାଉଥିବା ସଂକ୍ରାନ୍ତରେ ଜଗତସିଂହପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି ।

ପ୍ରଥମରୁ ବିରିଡ଼ି ପୁଲିସ ଏଭଳି ଅଭିଯୋଗ ଶୁଣିବା ପରେ ହାତ ଟେକି ଦେଇଥିଲେ । ଗୋଆ ବହୁତ ଦୂର ହୋଇଥିବାରୁ ପୁଲିସ କିଛି କରିବା ସମ୍ଭବପର ନୁହେଁ ବୋଲି ଥାନାରେ କେହି ଜଣେ କହିବା ପରେ ନିରାଶ ହୋଇ ବିରିଡ଼ି ବାରେଡ଼ିଆର ମହେନ୍ଦ୍ର ବେହେରା ଆଜି ଏସ୍‌ପିଙ୍କୁ ଭେଟି ଏ ସଂକ୍ରାନ୍ତରେ ଜଣାଇବାକୁ ବାଧ୍ୟ ହୋଇଥିଲେ । ଅଭିଯୋଗ ଜାଣିବା ପରେ ତତ୍‌କାଳ ଏସ୍‌ପି ପ୍ରକାଶ ରଙ୍ଗରାଜ ବିରିଡ଼ି ପୁଲିସକୁ ମାମଲାର ଖୋଳତାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିବା ଖବର ମିଳିଛି । ପୂର୍ବରୁ ମଧ୍ୟ ଜଗତସିଂହପୁର ବ୍ଲକ ଅଞ୍ଚଳର ଜଣେ ସରପଞ୍ଚଙ୍କୁ ଚାକିରି ପ୍ରଲୋଭନ ଦେଖାଇ ବରଗଡ଼ ସହରରେ ଅଟକ ରଖାଯାଇଥିଲା । କୌଶଳକ୍ରମେ ସଂପୃକ୍ତ ସରପଞ୍ଚ ଘେରାବନ୍ଦୀ ଭିତରୁ ଖସି ଆସି ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ଘଟଣାର ଛାନ୍‌ଭିନ୍‌ କରି ବାଲିକୁଦା ଅଞ୍ଚଳର ଜଣେ ଯୁବକଙ୍କୁ କାବୁ କରିଥିଲେ । ଚାକିରି କରାଇ ଦେବାକୁ କହି ସଂପୃକ୍ତ ଯୁବକ ସରପଞ୍ଚଙ୍କଠାରୁ ୫୦ ହଜାର ଟଙ୍କା ଧପେଇ ନେଇ ଯାଇଥିଲେ । ଟଙ୍କା ହାତେଇବା ପରେ ବେଶ ଚତୁରତାର ସହ ସରପଞ୍ଚଙ୍କୁ ତାଲିମ ଶିବିରରେ ପହଞ୍ଚାଇ ଦେଇଥିଲେ । ଚାକିରି ପୂର୍ବରୁ ତାଲିମ ବାଧ୍ୟତାମୂଳକ କହି ସରପଞ୍ଚଙ୍କୁ ଅନ୍ଧାରରେ ରଖି ଶେଷରେ ବରଗଡ଼ ଯିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ବରଗଡ଼ରେ ହିଁ ଠକଙ୍କ କବଳିତ ହୋଇ ପଡ଼ିଥିବା ସରପଞ୍ଚଙ୍କ ହୃଦ୍‌ବୋଧ ହୋଇଥିଲା । ଏଣେ ପୁଲିସ ପଞ୍ଝାକୁ ଆସିବା ପରେ ବାଲିକୁଦାର ଏହି ଯୁବକ ସରପଞ୍ଚଙ୍କ ସହ ଆପୋସ ଆଲୋଚନା କରି କିଛି ଅର୍ଥ ଫେରସ୍ତ କରି ଝାମେଲାକୁ ତୁଟାଇଥିଲେ ।

ଏହି ଘଟଣା ଅଳ୍ପ ଦିନ ନ ବିତୁଣୁ ବିରିଡ଼ି ବାରେଡ଼ିଆର ଅଜୟ ବେହେରା(୨୦) ସମାନ ଷ୍ଟାଇଲରେ ଏକ ଠକ ଗ୍ୟାଙ୍ଗ୍‌ ହାବୁଡ଼ରେ ପଡ଼ିଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ଦାଦା ମହେନ୍ଦ୍ର ବେହେରା । ଗତ ୨ ମାସ ୧୫ ଦିନ ତଳୁ ଅଜୟଙ୍କୁ ଗୋଆରେ ନଜରବନ୍ଦୀ କରି ରଖାଯାଇଛି । ଏହି ଅଢେଇ ମାସ ଭିତରେ ଅଜୟଙ୍କୁ ମାତ୍ର ଆଠ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଇଛି । ଜୀବନ ବିକଳରେ ଅଖିଆ ଅପିଆ ପଡ଼ି ରହୁଥିଲେ ସୁଦ୍ଧା ଅଜୟଙ୍କ ପ୍ରତି ଉକ୍ତ ଠକ ସଂସ୍ଥା ନିର୍ଦ୍ଦୟ ପାଲଟି ଯାଇଛନ୍ତି । ଏହାଛଡ଼ା ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ଅଜୟଙ୍କୁ ଗୋଡ଼େ ଗୋଡ଼େ ଜଗୁଛନ୍ତି । ଏଥିସହ ଅଜୟଙ୍କୁ ଏକ ନିର୍ଦ୍ଦିଷ୍ଟ କୋଠରୀରେ ପାଖାପାଖି ଅନ୍ୟ ୧୫ ଓଡ଼ିଆ ଯୁବକଙ୍କ ସହ ରଖାଯାଉଛି । ପ୍ରତିଦିନ ଏମାନଙ୍କୁ ଏଠାରୁ ଅନ୍ୟ ଜାଗାରେ ଥିବା ବ୍ଲାକ ଟାଇଗର ନାମକ ଏକ ସଂସ୍ଥାକୁ କାମ କରିବାକୁ ନିଆଯାଉଛି । ଦିନ ସାରା ଖଟାଇବା ପରେ ପୁଣି ଏମାନଙ୍କୁ ଆଣି ଏହି ନିବୁଜ କୋଠରୀରେ ଭର୍ତ୍ତି କରାଯାଉଛି ।

କିଛି ଦିନ ତଳେ ଅଜୟ ସେଠାରୁ ଖସି ଆସିଥିଲେ । ସଂପୃକ୍ତ ଅସାମାଜିକ ଯୁବକମାନେ ଗୋଆ ରେଳ ଷ୍ଟେସନ୍‌ ନିକଟରୁ ତାଙ୍କୁ ପୁଣି କାବୁ କରି ନେଇ ଯାଇଥିଲେ ବୋଲି ଅଭିଯୋଗ ହୋଇଛି । ଚମ୍ପଟ ମାରିବାକୁ ଉଦ୍ୟମ କରିଥିବାରୁ ଅଜୟଙ୍କ ମୋବାଇଲ ଫୋନ୍‌ ସହ ଅନ୍ୟ ଶିକ୍ଷାଗତ ପ୍ରମାଣପତ୍ରକୁ ଜୋର ଜବରଦସ୍ତ ଛଡ଼ାଇ ନେଇଥିଲେ ଏହି ଗ୍ୟାଙ୍ଗ୍‌ । କିନ୍ତୁ କୌଶଳରେ ଅନ୍ୟ ଜଣେ ସହୃଦୟ ବ୍ୟକ୍ତିଙ୍କ ମୋବାଇଲ ଫୋନ୍‌ରେ ନିଜ ଘରକୁ ଏ ବିଷୟରେ ଜଣାଇ ଦେଇଥିଲେ ଅଜୟ । ପରେ ପରେ ଅଜୟଙ୍କ ଦାଦା ମହେନ୍ଦ୍ର ବେହେରା ଆଜି ପୁଲିସରେ ଫେରାଦ ହୋଇଥିଲେ । ଅପରପକ୍ଷେ କାହା ସଂସ୍ପର୍ଶରେ ଆସି ଅଜୟ ଏହି ଜାଲରେ ପଡ଼ିଥିଲେ ତାହା ପରିବାର ଲୋକଙ୍କୁ ଜଣା ନାହିଁ । କିନ୍ତୁ ଗୋଆ ଯିବାର ତିନି ମାସ ପୂର୍ବରୁ ଅଜୟ ଏକ ତାଲିମ ଶିବିରରେ ଯୋଗଦେବାକୁ ଭୁବନେଶ୍ୱର ଚାଲି ଆସିଥିଲେ । ବରଗଡ଼ରେ ସରପଞ୍ଚଙ୍କୁ ଅଟକ ରଖିବା ଘଟଣାବଳୀ ଭଳି ଏଠି ମଧ୍ୟ ତାଲିମ ପରେ ଅଜୟଙ୍କୁ ଗୋଆରେ ଚାକିରି ହୋଇଗଲା ବୋଲି କୁହାଯାଇଥିଲା । ଭୁବନେଶ୍ୱରରେ ଏକ ସିକ୍ୟୁରିଟି ସଂସ୍ଥା ପକ୍ଷରୁ ଏପ୍ରକାର ତାଲିମ ଦିଆଯାଇଥିଲା ବୋଲି ଅଜୟଙ୍କ ଦାଦା ମହେନ୍ଦ୍ର ପୁଲିସକୁ ଜଣାଇଛନ୍ତି । ଚାକିରି  କରାଇ ଦେବାକୁ କହି ଏ ପ୍ରକାର ଠକେଇ ଧନ୍ଦା ଜିଲ୍ଲାରେ ଏବେ କାୟା ବିସ୍ତାର କରିଛି । ସ୍ୱତନ୍ତ୍ର ଭାବେ ଏକ ରାକେଟ୍‌ ସକ୍ରିୟ ରହି ବେକାର ତଥା ନିରୀହ ଯୁବକମାନଙ୍କୁ ଟାର୍ଗେଟ କରୁଛନ୍ତି । ଯାହା ଫଳରେ ଚାକିରି ଖୋଜୁଥିବା ଯୁବକମାନେ କିଛି ନ ବୁଝି ଏହି ଗ୍ୟାଙ୍ଗର କେବଳ ଶିକାର ହେଉ ନାହାନ୍ତି ସଞ୍ଚିତ ଅର୍ଥ ବରବାଦ୍‌ କରୁଛନ୍ତି । ଏବେ ବିରିଡ଼ି ପୁଲିସ ଗୋଆରୁ ଅଜୟଙ୍କ ସମେତ ଅନ୍ୟ ଓଡ଼ିଆଙ୍କୁ ଉଦ୍ଧାର କରିବାକୁ କିଭଳି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବା ବାକି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.