ଚାଲିଛି ସାପ ଉଦ୍ଧାର ; ଉଦ୍ଧାର ହେଲେଣି ୧୨୦ରୁ ଅଧିକ ନାଗ ସାପ

Published By : Prameya-News7 Bureau | June 24, 2018 IST

ଚାଲିଛି ସାପ ଉଦ୍ଧାର । ଗତକାଲି ଠାରୁ ଭଦ୍ରକ ଜିଲ୍ଲା ଧାମନଗର ପାଇକ ସାହିର ବିଜୟ ଭୂୟାଁଙ୍କ ଘରୁ ସାପ ଉଦ୍ଧାର କରୁଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ । ଗତକାଲି ଦିନ ସାରା ପରିଶ୍ରମ କରି ସ୍ନେକ ହେଲ୍ପ ଲାଇନ ସଦସ୍ୟ ୧୨୦ରୁ ଅଧିକ ନାଗ ସାପ ଛୁଆ ଏବଂ ୨୦ଟି ଅଣ୍ଡା ପାଇଛନ୍ତି । ଏହାସହିତ ଏକ ଚିତି ସାପକୁ ମଧ୍ୟ ଉଦ୍ଧାର କରିଛନ୍ତି । ୭ରୁ ୮ଟି ନାଗୁଣୀ ଦେଇଥିବା ଅଣ୍ଡାରୁ ଏସବୁ ଛୁଆ ସାପ ବାହାରିଥିବା ଅନୁମାନ କରାଯାଉଛି । ତେବେ ନାଗୁଣୀର କୌଣସି ସନ୍ଧାନ ମିଳିପାରିନାହିଁ । ସେମାନଙ୍କୁ ଧରିବା ପାଇଁ ସ୍ନେକ ହେଲ୍ପ ଲାଇନ୍ ମୁଖ୍ୟ ଶେକ୍ ମିର୍ଜାଙ୍କ ନେତୃତ୍ବରେ ୫ ଜଣିଆ ଲାଗିପଡ଼ିଛନ୍ତି । ଗତକାଲି ସନ୍ଧ୍ୟା ପରେ ସାପ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି । ଆଜି ପୁଣି ସାପ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେ।ଇଛି । ଘରର ଗୋଟିଏ ପାର୍ଶ୍ବରେ ଏକ ଉଇ ହୁଙ୍କା ଥିଲା । ହୁଙ୍କାର ଆକାର କ୍ରମଶଃ ବଢ଼ୁଥିବାରୁ ବିଜୟଙ୍କ ପରିବାର ଲୋକେ ଏହାକୁ ନଭାଙ୍ଗି ପୂଜାର୍ଚ୍ଚନା କରୁଥିଲା । କିଛିଦିନ ତଳେ ହୁଙ୍କାରୁ ଗୋଟିଏ ଦୁଇଟି ନାଗସାପ ଛୁଆ ବାହାରିବା ଦେଖି ଚିନ୍ତିତ ହୋଇପଡ଼ିବା ସହ ସ୍ନେକ୍ ହେଲପ ଲାଇନକୁ ଖବର ଦେଇଥିଲେ । ଏତେ ସଂଖ୍ୟକ ସାପ ବାହାରିବା ପରେ ଗାଁଲୋକ ଭୟଭୀତ ହୋଇପଡ଼ିଛନ୍ତି । ବିଜୟଙ୍କ ଘରୁ , ସାପ ଗାତ ବାହାରକୁ ଯାଇଥିବା ଜଣାପଡିଛି । ତେଣୁ ପାଖାପାଖି ଘରେ ସାପ ବାହାରିବା ଆଶଙ୍କାରେ ତାଟି କବାଟ କିଳି ଅନ୍ୟ ଘରକୁ ଚାଲିଯାଇଛନ୍ତି ପଡୋଶୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.