ହାଥରସ୍ କେସ୍‌ରେ ନୂତନ ମୋଡ, ପୀଡିତାଙ୍କ ଭାଇ ଓ ଅଭିଯୁକ୍ତ ମଧ୍ୟରେ ଫୋନରେ ହୋଇଛି ୧୦୦ରୁ ଅଧିକ ଥର କଥାବାର୍ତ୍ତା

Published By : Prameya-News7 Bureau | October 06, 2020 IST

ହାଥରସ୍‌ ୦୬।୧୦: ହାଥରସ୍ କେସ୍‌ର ଯାଞ୍ଚରେ ନୂତନ ଖୁଲାସା। ଉତ୍ତର ପ୍ରଦେଶ ପୋଲିସର ତଦନ୍ତ ସମୟରେ ମାମଲାରେ ଆସିଛି ନୂତନ ମୋଡ। ଯାଞ୍ଚରୁ ଜଣା ପଡିଛି ଯେ, ପୀଡିତ ପରିବାର ଓ ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ଫୋନ୍‌ ଜରିଆରେ ପରସ୍ପର ସଂପର୍କରେ ଥିଲେ। ପୀଡିତ ପରିବାର ଓ ସନ୍ଦୀପ ମଧ୍ୟରେ ଫୋନରେ କଥାବାର୍ତ୍ତା ଗତ ବର୍ଷ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିଲା। ପୀଡିତ ପରିବାର ଓ ଅଭିଯୁକ୍ତ ମଧ୍ୟରେ ୧୦୪ ଥର ଫୋନ୍‌ରେ କଥାବାର୍ତ୍ତା ହୋଇଛି।

ପୋଲିସ ଅଭିଯୁକ୍ତ ଓ ପୀଡିତ ପରିବାରଙ୍କ କଲ୍ ରେକର୍ଡ ଛାନବିନ କରିବାରୁ ଜଣା ପଡିଛି ଯେ, ଗତ ବର୍ଷ ଅକ୍ଟୋବର ୧୩ରୁ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଅଧିକାଂଶ କଲ୍ ଚନ୍ଦପା କ୍ଷେତ୍ର ମଧ୍ୟରେ ରହିଛି, ଯାହା ପୀଡିତାଙ୍କ ଗାଁଠୁ ମାତ୍ର ୨ କିଲୋମିଟର ଦୂର। ଏଥିରୁ ୬୨ କଲ୍‌ ପୀଡିତ ପରିବାର ପକ୍ଷରୁ କରାଯାଇଥିବା ବେଳେ ୪୨ କଲ୍ ଅଭିଯୁକ୍ତ ସନ୍ଦୀପ ପକ୍ଷରୁ କରାଯାଇଛି। ୟୁପି ପୋଲିସର ତଦନ୍ତରୁ ଜଣା ପଡିଛି ପୀଡିତ ପରିବାର ଓ ଅଭିଯୁକ୍ତ ସନ୍ଦୀପ ମଧ୍ୟରେ ନିୟମିତ ବ୍ୟବଧାନରେ କଥାବାର୍ତ୍ତା ହୋଇଛି। ଅଭିଯୁକ୍ତ ସନ୍ଦୀପ ପାଖକୁ ଏହି ସବୁ  କଲ ପୀଡିତାଙ୍କ ଭାଇ ତରଫରୁ କରାଯାଇଛି।

ଏହା ମଧ୍ୟରେ ସ୍ଵତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି)ର ତଦନ୍ତ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏସଆଇଟି ନିଜର ରିପୋର୍ଟ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇ ପାରେ। ଗୃହ ସଚିବ ଭଗବାନ ସ୍ଵରୂପଙ୍କ ନେତୃତ୍ଵରେ ଡିଆଇଜି ଚନ୍ଦ୍ର ପ୍ରକାଶ ଓ ଏସପି ପୁନମ କେସ୍‌ର ଯାଞ୍ଚ କରୁଛନ୍ତି। ଏସଆଇଟି ଗତ ସପ୍ତାହରେ ତଦନ୍ତ ଆରମ୍ଭ କରିଥିଲା ଏବଂ ସାତ ଦିନରେ ରିପୋର୍ଟ ପ୍ରଦାନ କରିବ ବୋଲି କହିଥିଲା। ଏସଆଇଟି ଚନ୍ଦପା ଗାଁ ଯାଇ ମାମଲାର ତଦନ୍ତ କରିବା ସହିତ ପୀଡିତ ପରିବାରଙ୍କ ବୟାନ ମଧ୍ୟ ରେକର୍ଡ କରିଛି।

{"id":339760,"sizeSlug":"large"}

ଘଟଣା କ୍ରମ...

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ହାଥରସ୍‌ରେ ଦଳିତ ଯୁବତୀଙ୍କ ଗଣବଳାତ୍କାର ହୋଇଥିଲା। ଅଭିଯୁକ୍ତମାନେ ପୀଡିତାଙ୍କ ଜିଭ କାଟିଥିବା ଅଭିଯୋଗ ହୋଇଛି। ଝିଅର ମେରୁଦଣ୍ଡ ମଧ୍ୟ ଭାଙ୍ଗି ଦେଇଥିଲେ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଆଲିଗଢ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନଅ ଦିନ ପରେ ଯୁବତୀଙ୍କ ଚେତା ଆସିଥିଲା। ପରେ ଦିଲ୍ଲୀର ସଫଦରଗଞ୍ଜ  ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର ୨୯ ସକାଳେ ପୀଡିତାଙ୍କ ମୃତ୍ୟୁ ଘଟିଥିଲା।

ଏହି କେସ୍‌ରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିରେ ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ମଧ୍ୟ ସାମିଲ। ପୀଡିତାଙ୍କ ରାତି ଅଧିଆ ପୋଲିସ ବଳପୂର୍ବକ ଦାହ ସଂସ୍କାର କରିଥିଲା। ଯାହାକୁ ନେଇ ଯୋଗୀ ସରକାରଙ୍କୁ ଚାରି ଆଡୁ ସମାଲୋଚନା ଶିକାର ହେବାକୁ ପଡିଥିଲା। ଯୋଗୀ ସରକାର ଏହି ପୂରା ମାମଲାରେ ଅବହେଳା କରିଥିବା ହାଥରସ୍ ଡିଏସପି ଓ ଏସପିକୁ ନିଲମ୍ବିତ କରି କେସ୍‌ର ତଦନ୍ତ ସିବିଆଇ ଦ୍ଵାରା କରାଯାଉ ବୋଲି ସୁପାରିସ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.