ଲକ୍ଷେ ଟପିଲା ଦେଶରେ ସଂକ୍ରମଣ ସଂଖ୍ୟା : ୧୦ଟି ଦେଶ ପଛରେ ଭାରତ

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ ୧୯/୦୫ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ବର୍ତ୍ତମାନ ଦେଶରେ ସଂକ୍ରମଣ ସଂଖ୍ୟା ଲକ୍ଷେ ପାରି କରିସାରିଛି | ଏବେ ସୁଦ୍ଧା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୧୨୬୪ରେ ପହଞ୍ଚିଛି | ୧୧୦ ଦିନରେ ଦେଶରେ ସଂକ୍ରମଣ ସଂଖ୍ୟା ଲକ୍ଷେରେ ପହଞ୍ଚିଛି | ସୋମବାର ଦିନ ୪ ହଜାର ୬୨୯ ନୂଆ ମାମଲା ସାମ୍ନାକୁ ଆସିଥିଲା | ଏବେ ସୁଦ୍ଧା ୩୯ ହଜାର ୨୩୪ ରୋଗୀ ସୁସ୍ଥ ହୋଇଛନ୍ତି | ହାରାହାରି ୩୮.୨୯ ପ୍ରତିଶତ ରୋଗୀ ସୁସ୍ଥ ହେଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି | ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୭.୧ ପ୍ରତିଶତ ରୋଗୀ ଅଛନ୍ତି | ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ଏକ ଲକ୍ଷ ୧ ହଜାର ୧୩୯ ଜଣ ସଂକ୍ରମିତ ହୋଇଛନ୍ତି | ୫୮ ହଜାର ୮୦୨ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି | ୩ ହଜାର ୧୬୩ ଜଣଙ୍କ ମୃତ୍ୟୁ ହୋଇଛି | 

ମହାରାଷ୍ଟ୍ରରେ କରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି | ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ଦେଖି ମଙ୍ଗଳବାର ଦିନ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷାବଳ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସବଲର ୫ କମ୍ପାନୀ ନିୟୋଜିତ କରାଯାଇଛି | ଏମାନଙ୍କୁ ମୁମ୍ବାଇର ବିଭିନ୍ନ ଜୋନରେ ନିୟୋଜିତ କରାଯାଇଛି | ମୁମ୍ବାଇ ପୋଲିସ ତରଫରୁ ଏହି ସୂଚନା ଦିଆଯାଇଛି | କରୋନା କବ୍ଜାରେ ଦେଶର ୨୬ ରାଜ୍ୟ ରହିଛନ୍ତି | ୭ କେନ୍ଦ୍ର ଶାସିତ ରାଜ୍ୟ ମଧ୍ୟ କରୋନା କବଜାରେ ରହିଛନ୍ତି |

କରୋନା ସଂକ୍ରମଣ ମାମଲାରେ ଆମେରିକା ସବୁଠାରୁ ଉର୍ଦ୍ଧ୍ବରେ ରହିଛି | ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୧୫ ଲକ୍ଷ ପହଞ୍ଚିଛି | ଦ୍ୱିତୀୟରେ ରହିଛି ଋଷ | ଋଷରେ ପାଖାପାଖି ୨ ଲକ୍ଷ ୯୦ ହଜାର ସଂକ୍ରମଣର ଶିକାର ହୋଇଛନ୍ତି | ଋଷ ପରେ ସ୍ପେନରେ ପାଖାପାଖି ୨ ଲକ୍ଷ ୭୮ ହଜାର ଲୋକ ସଂକ୍ରମଣର ଶିକାର ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.