ଫେବୃଆରୀ ମାସ ପରେ ବନ୍ଦ ହୋଇପାରେ ଲକ୍ଷେରୁ ଅଧିକ ଏଟିଏମ : ମହଙ୍ଗା ହୋଇପାରେ ଏଟିଏମ କାରବାର

Published By : Prameya-News7 Bureau | February 06, 2019 IST

ଦିଲ୍ଲୀ ୬/୨ : ମାର୍ଚ୍ଚରୁ ଦେଶର ଅଧିକାଂଶ ଏଟିଏମ ବନ୍ଦ ହୋଇପାରେ | ଦେଶର ଅନେକ ବ୍ୟାଙ୍କ ତଥା ହ୍ୱାଇଟ ଲେବଲ ଏଟିଏମକୁ ସଂଚାଳନ କରୁଥିବା ସଂସ୍ଥା କେଟମୀ ଏନେଇ ସୂଚନା ଦେଇଛି | ଏହି ସ୍ଥିତି ପାଇଁ କେଟମୀ ସରକାର ତଥା ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମରୁ କାରବାର ଦେୟକୁ ବଢାଇବା ପାଇଁ ମତ ଦେଇଛନ୍ତି |


କୋଟମୀର ନିର୍ଦେଶକ ହିମାଂଶୁ ପୂଜାରା କହିଛନ୍ତି ଯେ, ଏଟିଏମ ବନ୍ଦ ହୋଇଗଲେ ହଜାର ହଜାର ଲୋକଙ୍କ ଚାକିରୀ ପଳେଇବ | ଏହାସହ ସରକାରଙ୍କ ଆର୍ଥିକ କାରବାରରେ ସରଳତା ଆଣିବା ପାଇଁ କରିଥିବା ଯୋଜନାକୁ ମଧ୍ୟ ଏକ ବଡ ଝଟକା ଲାଗିବ | ଏଟିଏମ ସେବା ଯୋଗାଉଥିବା କମ୍ପାନୀଗୁଡିକୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପାଖାପାଖି ୧.୧୩ ଲକ୍ଷ ଏଟିଏମ ବନ୍ଦ କରିବାକୁ ପଡିପାରେ | ଏହାଦ୍ୱାରା ୧ ଲକ୍ଷ ଅଫ ସାଇଟ ଏଟିଏମ ଏବଂ ୧୫ ହଜାର ହ୍ୱାଇଟ ଲେବଲ ଏଟିଏମ ରହିଛି |


କୋଟମୀ କହିଛି ଯେ, ଏଟିଏମ କମ୍ପାନୀ ଧୀରେ ଧୀରେ କମିବାରେ ଲାଗିଛି | କାରଣ ଏହି ସବୁ ଏଟିଏମ ଚଳାଇବା ଯୋଗୁଁ କମ୍ପାନୀକୁ କ୍ଷତି ସହିବାକୁ ପଡୁଛି | ଏବେ ଛୋଟ ଛୋଟ ସହରରେ ଏଟିଏମ ବନ୍ଦ କରାଯାଉଛି | ଏଟିଏମ ବନ୍ଦ ଯୋଗୁଁ ଛୋଟ ଛୋଟ ସହରମାନଙ୍କରେ ନୋଟବନ୍ଦୀ ଭଳି ପରିସ୍ଥିତି ଦେଖିବାକୁ ମିଳିଛି |


ହ୍ୱାଇଟ ଲେବଲ ଏଟିଏମ ଅପରେଟରଙ୍କୁ ସବୁଠାରୁ ଅଧିକ କ୍ଷତି ହେଉଛି | ଯାହାଫଳରେ କମ୍ପାନୀ ଆଉ ଅଧିକ କ୍ଷତି ସହିବା ଅବସ୍ଥାରେ ନାହିଁ | କୋଟମୀ ଅନୁଯାୟୀ, ଯଦି ବ୍ୟାଙ୍କ ତାଙ୍କୁ ଟଙ୍କା ନଦିଏ ତାହେଲେ ଏଟିଏମ ବନ୍ଦ କରିଦିଆଯିବ |


ହିମାଂଶୁ ପୂଜାରା କହିଛନ୍ତି ଯେ, ଏହି ସଙ୍କଟରୁ ବଂଚିବା ପାଇଁ ଏକ ଉପାୟ ମଧ୍ୟ ରହିଛି | ଲକ୍ଷେ ଏଟିଏମ ବନ୍ଦ ହେବାରୁ ରକ୍ଷା କରିବା ପାଇଁ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ସହରରେ ଥିବା ଏଟିଏମରେ କାରବାର ଦେୟ ବୃଦ୍ଧି କଲେ ଏହି ସମସ୍ୟାର ସମାଧାନ ହୋଇଯିବ |


ନଗଦ କାରବାର ପାଇଁ ଦେୟ ୧୫ ଟଙ୍କାରୁ ବୃଦ୍ଧି କରି ୧୮ ଟଙ୍କା କରାଯିବ ବୋଲି କହିଛି କୋଟମୀ | ଏହାଛଡା ଷଷ୍ଠତମ କାରବାର ପାଇଁ ଦେୟ ୨୦ ଟଙ୍କାରୁ ବୃଦ୍ଧି କରି ୨୫ ଟଙ୍କା କରାଯିବ ବୋଲି ପ୍ରସ୍ତାବ ଦେଇଛି କୋଟମୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.