ଏବେ ଘରେ ପକାଇ ରଖନ୍ତୁନି ସୁନା : ବ୍ୟାଙ୍କ ଦେଉଛି ଅଧିକ ଋଣ, Covid ପାଇଁ ଆରବିଆଇଙ୍କ ନୂଆ ପଦକ୍ଷେପ

Published By : Prameya-News7 Bureau | August 06, 2020 IST

ମୁମ୍ବାଇ ୬।୮: ଭାରତୀୟ ରିଜର୍ବ ବ୍ୟାଙ୍କ (ଆରବିଆଇ) ଗୁରୁବାର ମୌଦ୍ରିକ ନୀତି ଘୋଷଣା କରିଛନ୍ତି। ଏଥିରେ ବିଭିନ୍ନ ଋଣ ନେଇ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି। ସ୍ୱର୍ଣ୍ଣ ଋଣରେ ଆରବିଆଇ ଋଣର ମୂଲ୍ୟ ଅନୁପାତ ୯୦ ପ୍ରତିଶତକୁ ବୃଦ୍ଧି କରିବା ଅନଲକ୍‌ରେ ଋଣ ଲାଗି ବାଧ୍ୟ ହେଉଥିବା ଲୋକଙ୍କ ଲାଗି ଦମ୍ଭ ହେବ ବୋଲି କୁହାଯାଇଛି। ଏଥିରେ ସ୍ୱର୍ଣ୍ଣଳଙ୍କାର ବନ୍ଧକ ରଖି ଅଧିକ ଟଙ୍କା ଋଣ ନେଇପାରିବେ। ପୂର୍ବରୁ ଏହି ଅନୁପାତି ୭୫ ପ୍ରତିଶତ ଥିଲା।

ଗୁରୁବାର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ ସୂଚନା ଦେଇ କହିଛନ୍ତି ଯେ କୋଭିଡ-୧୯ ମହାମାରୀ ଲୋକ, ଉଦ୍ୟୋଗୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଗୁରୁତର ପ୍ରଭାବିତ କରିଛି। ଏଣୁ ଏହି ସବୁ କ୍ଷେତ୍ରରେ ଆର୍ଥିକ ପ୍ରଭାବ ହ୍ରାସ କରିବା ଲାଗି ଆନୁମାନିକ ଋଣର ମୂଲ୍ୟ ଅନୁପାତ ବୃଦ୍ଧି କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ଦାସ କହିଛନ୍ତି।

କୋଭିଡ-୧୯ ମହାମାରୀ ଯୋଗୁ ଜନଜୀବନ ଯେଉଁପରି ପ୍ରଭାବିତ ହୋଇଛି ଏଥିରେ ଲୋକଙ୍କ ଆର୍ଥିକ ସଚଳତା ଲାଗି ନଗଦ ଅର୍ଥର ଘୋର ଆବଶ୍ୟକତା ଦେଖା ଦେଇଛି। ଏଥିରେ ଲୋକେ ଘରେ ସାଇତି ଥିବା ସ୍ୱର୍ଣ୍ଣଳଙ୍କାର ଏବେ ସେମାନଙ୍କ କାମରେ ଆସିବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। ଲୋକେ ଏବେ ସେମାନଙ୍କ ସ୍ୱର୍ଣ୍ଣ ମୂଲ୍ୟର ୯୦ ପ୍ରତିପର୍ଯ୍ୟନ୍ତ ଋଣ ନେଇପାରିବେ।  ଗତ ମାର୍ଚ୍ଚ ମାସ ପରଠାରୁ ସୁନାମୂଲ୍ୟରେ ବୃଦ୍ଧି ହେବାରେ ଲାଗିଛି। ଏଥିରୁ ଜରୁରି ଋଣ ଆବଶ୍ୟକ କରୁଥିବା ଲୋକେ ବେଶ୍ ଲାଭବାନ ହେବା ବେଳେ ବ୍ୟାଙ୍କମାନଙ୍କ ଲାଗି ଏହିକ୍ରେଡିଟ୍ ସେଗମେଣ୍ଟ ଆକର୍ଷକ ହେବ ନିଶ୍ଚିତ।

କେପିଏମଜି ରିପୋର୍ଟ ଅନୁସାରେ ମାର୍ଚ୍ଚରେ ଭାରତର ସ୍ୱର୍ଣ୍ଣ ଋଣ ବଜାର ହାରାହାରି ୩.୫ ଲକ୍ଷ କୋଟି ଟଙ୍କା ଥିଲା। ତେବେ ଆରବିଆଇଙ୍କ ଋଣ ସଂଶୋଧନ ପରେ ଏହି ବଜାର ୨୦୨୦-୨୧ ବର୍ଷରେ ୪.୬୨ଲକ୍ଷ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଗୋଲ୍ଡ ଲୋନ ପେନେଟ୍ରେସନ ରିପୋର୍ଟ ଅନୁସାରେ ଦେଶେର ଗ୍ରାମୀଣ କ୍ଷେତ୍ର  ଦୁଇ ତୃତୀୟାଂଶ ସୁନାର ମାଲିକ। ଏଣୁ ଅଣ କୃଷି ଋଣ ଲାଗି ଏହି ସୁନା ଏବେ ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ।

ତେବେ ଦେଶର ୬୫ ପ୍ରତିଶତ ସ୍ୱର୍ଣ୍ଣ ଋଣ ବଜାର ଗାଉଁଲି ସାହୁକାରଙ୍କ କବଜାରେ ରହିଛି। ଋଣ ଲାଗି ସୁନା ବନ୍ଧକ ଦେଶର ଏକ ପ୍ରଚଳିତ ବ୍ୟବସାୟ। ଏଥିରେ ବାକି ୩୫ ପ୍ରତିଶତ ବଜାର ଏବେ ବ୍ୟାକିଙ୍ଗ ଓ ଅଣ ବ୍ୟାଙ୍କିଙ୍ଗ ଋଣଦାତାଙ୍କ ନିୟନ୍ତ୍ରଣରେ ଥିବା କେପିଏମଜି ରିପୋର୍ଟରୁ ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.