ଆମେରିକା ଥରହର : ଭିଏତନାମ ଯୁଦ୍ଧକୁ ବଳିଗଲା କରୋନା ମହାମାରୀ, ମୃତ୍ୟୁସଂଖ୍ୟା ଛୁଇଁଲା ୫୮,୩୬୫

Published By : Prameya-News7 Bureau | April 29, 2020 IST

ଓ୍ବାଶିଂଟନ୍ ୨୯।୪: କରୋନା ଭାଇରସ୍ ମହାମାରୀ ଆମେରିକାରେ ହଇଚଇ ସୃଷ୍ଟି କରୁଛି । ଏହି ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ୬୦ ହଜାର ଛୁଇଁବାକୁ ବସିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଭାଇରସ୍ ଯୋଗୁଁ ୨୨୦୭ ଲୋକଙ୍କ ମୃତ୍ୟୁ ଘଟିଛି । ଗତ କିଛି ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ପରେ ପୁଣି ଥରେ ଏହି ସଂଖ୍ୟା ବଢିବାରେ ଲାଗିଛି ।

ଜନ ହପକିନ୍ସ ବିଶ୍ବବିଦ୍ୟାଳୟ ଅନୁଯାୟୀ, ଆମେରିକାରେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି । ଯାହା କୌଣସି ଦେଶ ତୁଳନାରେ ସର୍ବାଧିକ । ସମୁଦାୟ ୧୦,୧୦,୭୧୭ ଲୋକ କରୋନା ଭାଇରସ୍ ଶିକାର ହୋଇଥିବାବେଳେ ୫୮,୩୬୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ କରୋନାଜନିତ ମୃତ୍ୟସଂଖ୍ୟା ଭିଏତନାମ ଯୁଦ୍ଧ ସମୟରେ ହୋଇଥିବା ମୃତ୍ୟୁଠାରୁ ଅଧିକ ।

୨୦ ବର୍ଷ ଧରି ଭିଏତନାମରେ ହୋଇଥିବା ଯୁଦ୍ଧରେ ମୋଟ୍ ୫୮,୨୨୦ ଆମେରିକୀୟଙ୍କର ମୃତ୍ୟୁ ଘଟିଥିଲା । ଆମେରିକା ଏବଂ ଭିଏତନାମ ମଧ୍ୟରେ ୧୯୫୫ ରୁ ୧୯୭୫ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଗୃହଯୁଦ୍ଧ ପରେ ଆମେରିକାର ଇତିହାସରେ ସବୁଠାରୁ ଖରାପ ସଂଘର୍ଷ ବୋଲି ପ୍ରମାଣିତ ହୋଇଥିଲା । ବର୍ତ୍ତମାନ ଚୀନ୍ ଉହାନରୁ ଉତ୍ପନ ହୋଇଥିବା କରୋନା ଭାଇରସ୍ ବିସ୍ତାର ହେତୁ ଏପର୍ଯ୍ୟନ୍ତ ୫୮,୩୬୫ ଆମେରିକୀୟଙ୍କ ମୃତ୍ୟୁ ଘଟିଛି । କରୋନା ଭାଇରସ୍ ଯୋଗୁଁ ଆମେରିକା ଚାରି ମାସ ମଧ୍ୟରେ ଭିଏତନାମ ଯୁଦ୍ଧ ଅପେକ୍ଷା ଅଧିକ ମୃତ୍ୟୁ ସଂଖ୍ୟାକୁ ଛୁଇଁଛି ।

ଆମେରିକାରେ ବର୍ତ୍ତମାନ ସୁଦ୍ଧା ୫୮ଲକ୍ଷରୁ ଅଧିକ ଲୋକଙ୍କର କରୋନା ଭାଇରସ୍ ପରୀକ୍ଷା ସରିଛି । ଗତ ରବିବାର ଏବଂ ସୋମବାର ଦିନ ଆମେରିକାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦୦୦ ଏବଂ ୧୨୦୦କୁ ହ୍ରାସ ପାଇଥିଲା । ସେତେବେଳେ ଆଶା ଥିଲା ଯେ ଆମେରିକାରେ ମୃତ୍ୟୁ ହାର କମୁଛି । କିନ୍ତୁ ବର୍ତ୍ତମାନ ପୁଣି ଥରେ ଏହି ସଂଖ୍ୟା ବଢୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.