ପ୍ରତିଦିନ ୨୫ ହଜାର ନୂଆ କରୋନା କେସ୍, ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ୮ ଲକ୍ଷ ଟପିଲାଣି, କଠୋର ପଦକ୍ଷେପ ପାଇଁ ସରକାରଙ୍କ ଯୋଜନା

Published By : Prameya-News7 Bureau | July 13, 2020 IST

ନୂଆଦିଲ୍ଲୀ ୧୩।୦୭: ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏବେ ଦିନକୁ ହାରାହାରି ୨୫ ହଜାର କେସ୍ ସାମ୍ନାକୁ ଆସିବାରେ ଲାଗିଛି। ଏହା ପରେ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୮ ଲକ୍ଷ ୫୦  ହଜାର ଟପିଛି। ସ୍ଥିତି ସାଙ୍ଘାତିକ ହେଉଥିବା ଦେଖି ଏବେ ଦେଶ ପୁଣି ଥରେ ଲକ୍‌ଡାଉନ୍‌ ମୁହାଁ ହେବାକୁ ଯାଉଛି। ଦେଶର ଅନେକ ସିଟିରେ ଆଗାମୀ କିଛି ଦିନରେ ଲକ୍‌ଡାଉନ୍‌ ଲାଗୁ ହେବା ନେଇ ଯୋଜନା ଚାଲିଛି। ବେଙ୍ଗାଲୁର ଓ ପୁଣେ ସହିତ ଅନେକ ବଡ ବଡ ସହରରେ ଲକ୍‌ଡାଉନ୍ ଲାଗୁ ହେବାକୁ ଯାଉଛି। ଅନ୍ୟପକ୍ଷେ ଦେଶର ରାଜଧାନୀ ଦିଲ୍ଲୀରେ ସ୍ଥିତିରେ କିଛିଟା ସୁଧାର ଦେଖିବାକୁ ମିଳିଛି।

ଉତ୍ତର ପ୍ରଦେଶ ସରକାର ପୂରା ରାଜ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ୍‌ କଡାକଡି ଲାଗୁ କରିବାକୁ ନିଷ୍ପତ୍ତି  ନେଇଛନ୍ତି। ସେହି ପରି  କର୍ଣ୍ଣାଟକ ଓ ତାମିଲନାଡୁ ରବିବାର ଲକ୍‌ଡାଉନ୍ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ପରି ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ବିହାର ରାଜ୍ୟ କରୋନା ପ୍ରକୋକର ନିୟନ୍ତ୍ରଣ ପାଇଁ ଅଞ୍ଚଳ ଅନୁଯାୟୀ ବିଭିନ୍ନ ଭାଗରେ ଲକ୍‌ଡାଉନ୍ ଲାଗୁ କରିବାକୁ ଘୋଷଣା କରିଛନ୍ତି। କର୍ଣ୍ଣାଟକ ସରକାର ବେଙ୍ଗାଲୁରୁରେ ଜୁଲାଇ ୧୪ରୁ ପୂରା ସାତ ଦିନ ପାଇଁ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସାମୀ ମଦୁରାଇ ଏବଂ ଏହାର ଆଖପାଖ ଅଞ୍ଚଳ ସମେତ ପାରାଭି ଟାଉନ ପଞ୍ଚାୟତ ଓ ଅନେକ ଗ୍ରାମ ପଞ୍ଚାୟତରେ ଜୁଲାଇ ୧୪ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗୁ କରିଛନ୍ତି। ଅନ୍ୟପକ୍ଷେ ମହାରାଷ୍ଟ୍ର ସରକାର ନିକଟରେ ପୁଣେ ଓ ପିମ୍ପରି-ଚିନ୍ଦଓ୍ଵାଡାରେ ଜୁଲାଇ ୧୩ ରୁ ୨୩ ତାରିଖ ଯାଏ ଲକ୍‌ଡାଉନ୍ ବ୍ୟାପକ କରିବାକୁ ଘୋଷଣା କରିଛନ୍ତି। ଏହା ସହିତ ରାଜଧାନୀ ମୁମ୍ବାଇରେ ମଧ୍ୟ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି।

କାଶ୍ମୀର ପ୍ରଶାସନ ଗତ ସପ୍ତାହରେ ସଂକ୍ରମିତ ସଂଖ୍ୟା ବଢୁଥିବା ଦେଖି ରବିବାର ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଶ୍ରୀନଗର ଐତିହାସିକ ଲାଲ ଚୌକକୁ ସିଲ୍ କରାଯିବା ସହିତ ଶ୍ରୀନଗରର ଅନ୍ୟ ୬୭ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଦିଲ୍ଲୀରେ ସ୍ଥିତିରେ କିଛିଟା ସୁଧାର ଆସିଛି। ସେଠାରେ କରୋନା ଆରୋଗ୍ୟହାର ପାଖାପାଖି ୮୦ ପ୍ରତିଶତ ରହିଛି।

ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫୭୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୧,୧୨,୪୯୪ ରହିଛି। ମହାମାରୀରେ ଅଦ୍ୟାବଧି ୩,୩୭୧ ଜଣଙ୍କ ପ୍ରାଣହାନୀ ଘଟି ଥିବା ବେଳେ ଗତ ୨୪ ଘଣ୍ଟାରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି।

ମହାରାଷ୍ଟ୍ରରେ କୋଭିଡ୍ କେସ୍‌ ଅତି ଦୟନୀୟ ସ୍ଥିତିରେ ରହିଛି। ଗତ ରବିବାରରେ ୭୮୧୭ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ସଂକ୍ରମିତ ସଂଖ୍ୟା ୨,୬୫,୪୨୭ ରହିଛି। କେବଳ ମୁମ୍ବାଇରେ ୧୨୬୩ ନୂତନ ଆକ୍ରାନ୍ତ ଚିହ୍ନଟ  ହୋଇଥିଲେ। ଏହାକୁ ମିଶାଇ ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା ୯୨, ୭୨୦ରେ ପହଞ୍ଚିଥିବା ବୃହମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଦେଶରେ ୨୮,୬୩୭ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ମୋଟ୍ ସଂକ୍ରମିତ ସଂଖ୍ୟା ୮,୪୯,୫୫୩ରେ ପହଞ୍ଚିଛି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨,୬୭୪କୁ ବୃଦ୍ଧି ଘଟିଛି। ଗତ କାଲି ଗୋଟିଏ ଦିନରେ ୫୫୧ ଜଣ ସଂକ୍ରମିତଙ୍କ ପ୍ରାଣହାନୀ ଘଟିଥିଲା।

ଆଶ୍ଵସ୍ତିକର କଥା ୫,୩୪,୬୨୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ୨,୯୨,୨୫୮ ରହିଛି। ଦେଶରେ ହୁ ହୁ ହୋଇ ସଂକ୍ରମିତ ବଢୁଥିଲେ ସୁଦ୍ଧା ଭାରତର ମୃତ୍ୟୁହାର ବିଶ୍ଵରେ ସବୁଠୁ କମ ରହିଛି। ଦେଶରେ ବର୍ତ୍ତମାନ କରୋନା ମୃତ୍ୟୁହାର ୨.୬୬ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.