ଆଉ ୭୩ ଦିନର ଅପେକ୍ଷା, ଭାରତରେ ଆସିଯିବ ପ୍ରଥମ କରୋନା ଭାକସିନ୍ ! ମାଗଣାରେ ହେବ ଟିକାକରଣ

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ, ୨୩୦୮ ଦେଶର ପ୍ରଥମ କରୋନା ଭାକସିନକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଭାରତର ପ୍ରଥମ କରୋନା ଭାକସିନ୍ କୋଭିସିଲ୍ଡ ୭୩ ଦିନରେ ବଜାରରେ ଉପଲବ୍ଧ ହେବ । ରାଷ୍ଟ୍ରୀୟ ଟିକାକରଣ କାର୍ଯ୍ୟକ୍ରମରେ ଭାରତ ସରକାର ନାଗରିକଙ୍କୁ ମାଗଣାରେ ଟିକା ଲଗାଇବେ । ସୂଚନାଯୋଗ୍ୟ, କୋଭିସିଲ୍ଡକୁ ପୁଣେର ବାୟୋଟେକ୍ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଛି ।

ବିଜନେସ ଟୁଡେର ରିପୋର୍ଟ ଅନୁସାରେ, ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ, କମ୍ପାନୀକୁ ଟିକା ତିଆରି କରିବା ପାଇଁ ଲାଇସେନ୍ସ ମିଳିଛି । ଏହି ପରିପ୍ରେକ୍ଷୀରେ କମ୍ପାନୀ ଟ୍ରାଏଲ ପ୍ରୋଟୋକଲକୁ ଗତିଶୀଳ କରିଛି । ତେବେ ଭାକସିନର ଟ୍ରାଏଲ ୫୮ ଦିନରେ ଶେଷ ହେବ । କାରଣ ତୃତୀୟ ପର୍ଯ୍ୟାୟ ଟ୍ରାଏଲର ପ୍ରଥମ ଡୋଜ୍ ଶନିବାର ଦିଆଯାଇଛି । ଦ୍ୱିତୀୟ ଡୋଜ୍ ଆଉ ୨୯ ଦିନ ପରେ ପ୍ରଦାନ କରାଯିବ । ଦ୍ୱିତୀୟ ଡୋଜ୍ ଦିଆଯିବାର ୧୫ ଦିନ ପରେ ରିପୋର୍ଟ ସାମ୍ନାକୁ ଆସିବ । ସମସ୍ତ ପର୍ଯ୍ୟାୟ ପରୀକ୍ଷଣ ପରେ କୋଭିସିଲ୍ଡ ବଜାରରେ ଉପଲବ୍ଧ ହେବ ।

କୋଭିସିଲ୍ଡ ପରୀକ୍ଷଣ ପ୍ରକ୍ରିୟାକୁ ଏବେ ତ୍ୱରାନ୍ୱିତ କରାଯାଇଛି । ୧୭ଟି ସେଣ୍ଟରରେ ପ୍ରାୟ ୧୬୦୦ଜଣଙ୍କଠାରେ ଏହାର ଟ୍ରାଏଲ କରାଯାଉଛି । ପ୍ରତି କେନ୍ଦ୍ରରେ ଅତି କମରେ ୧୦୦ଜଣଙ୍କ ଉପରେ ଏହାର ପରୀକ୍ଷଣ ହେଉଛି । ସେରମ ଇନଷ୍ଟିଚ୍ୟୁଟ୍ ଆଷ୍ଟ୍ରା ଜେନକାଠାରୁ ଭାକସିନ୍ ପ୍ରସ୍ତୁତ ପାଇଁ ଅଧିକାର ହାସଲ କରିଛି ।

ସରକାରଙ୍କ ତରଫରୁ ତରଫରୁ ସୂଚନା ମୁତାବକ, ସରକାର ସିଧାସଳଖ ସେରମ ଇନଷ୍ଟିଚ୍ୟୁଟ ଠାରୁ କୋଭିସିଲ୍ଡ ଭାକସିନ୍ କ୍ରୟ କରିବେ । ଏହାର ଟିକାକରଣ ମାଗଣାରେ ହେବ । ସରକାର ଜୁନ ୨୦୨୨ ସୁଦ୍ଧା ୬୮ କୋଟି କରୋନା ଭାକସିନ୍ କିଣିବେ । ରାଷ୍ଟ୍ରୀୟ ଟିକାକରଣ ମିଶନ ସାରା ଦେଶରେ ଆରମ୍ଭ ହେବ । ଏହାପରେ ସରକାର ଅନ୍ୟ କରୋନା ଭାକସିନ୍ ପାଇଁ ଆଇସିଏମଆର ଓ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା କୋଭାକ୍ସିନ୍ ଉପରେ ନିର୍ଭର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.