କରୋନା ଉପରେ ଲାଗୁନି ବ୍ରେକ୍: ଆଉ ୫ ଲକ୍ଷ କିଟ୍ କିଣିବେ ରାଜ୍ୟ ସରକାର, ଘରୋଇ ହସ୍ପିଟାଲକୁ ଆଣ୍ଟିଜେନ୍ କିଟ୍ ପରୀକ୍ଷା ପାଇଁ ଅନୁମତି

Published By : Prameya-News7 Bureau | July 15, 2020 IST

ଭୁବନେଶ୍ଵର ୧୫।୦୭: ରାଜ୍ୟରେ କରୋନା ସଂକ୍ରମଣ ଲଗାମବିହୀନ ହୋଇଗଲାଣି। ରାଜ୍ୟର ଚାରିଆଡେ ବିନା ବ୍ରେକରେ ଏହା ମାଡି ଚାଲିଛି। ଜୁନ ମାସରେ ସଂକ୍ରମଣ ବଢିଥିବା ବେଳେ ଏବେ ପ୍ରତିଦିନ କରୋନା ମୁଣ୍ଡ ନେଉଛି। ଦୈନିକ ୫ ଶହରୁ ଉର୍ଦ୍ଧ୍ଵ ନୂତନ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଫଳରେ ରାଜ୍ୟ ସରକାର ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଟେଷ୍ଟ ବଢାଯିବା ଉପରେ ଗୁରୁତ୍ଵାରୋପ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଉ ୫ ଲକ୍ଷ କିଟ୍‌ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଅର୍ଡର ମଧ୍ୟ ଦିଆଯାଇଛି। ବୁଧବାର ଏହାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ଆସନ୍ତା ସପ୍ତାହ ଭିତରେ କୋଭିଡ ପରୀକ୍ଷଣକୁ ଦୈନିକ ୭ ହଜାରରୁ ୯ ହଜାର ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି। କରୋନା ପ୍ରଭାବିତ  ଜିଲ୍ଲାରେ ତଦାରଖ ବ୍ୟବସ୍ଥା କଡାକଡି କରାଯିବା ସହିତ ରୋଗୀ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ କରାଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫ ଲକ୍ଷ କରୋନା କିଟ୍ କିଣିବେ। ସରକାର ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଅର୍ଡର ଦିଆଯାଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଓଡିଶାରେ ପହଞ୍ଚିବ ୧ ଲକ୍ଷ କରୋନା କିଟ୍।

ଏଣିକି ପ୍ରାଇଭେଟ୍ ହସ୍ପିଟାଲରେ ଆଣ୍ଟିଜେନ୍ କିଟ୍ ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି ସରକାର। ଏହା ବ୍ୟତୀତ କ୍ଲିନିକ୍ ଓ ଲ୍ୟାବ୍‌କୁ ମଧ୍ୟ ଅନୁମତି ମିଳିଛି। ଏବେ ନିଜେ କିଣି ପରୀକ୍ଷା କରିବାକୁ ଅନୁମତି ଦେଇଛନ୍ତି ସରକାର। ଉଲ୍ଲେଖନୀୟ ପୂର୍ବରୁ କରୋନା ଟେଷ୍ଟ ପାଇଁ ୨୫ ହଜାର କିଟ୍ କିଣିଥିଲେ ସରକାର। ଏହି ସବୁ କିଟ୍‌କୁ ରାଜ୍ୟର ବିଭିନ୍ନ କୋଭିଡ୍-୧୯ ହସ୍ପିଟାଲ ସହିତ ପ୍ରମୁଖ ହସ୍ପିଟାଲକୁ ଯୋଗାଇ ଦିଆଯାଇଥିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.