ଆହୁରି ୨ଦିନ ଯାଏଁ ବର୍ଷା : ଲଗାଣବର୍ଷାରେ ଅନେକ ଗାଁ ଜଳମଗ୍ନ, ଉଜୁଡିଗଲାଣି ହଜାର ହଜାର ଏକର ଚାଷଜମିର ଫସଲ

Published By : Prameya-News7 Bureau | September 01, 2018 IST

ଭୁବନେଶ୍ବର୧|୮: ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୨ଦିନ ଯାଏଁ ବର୍ଷା ଲାଗି ରହିବ । ୨୧ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଥିବା ବେଳେ ୩ଟି ଜିଲ୍ଲା ପାଇଁ ଅତି ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ସେପଟେ ଲଗାଣବର୍ଷା ଯୋଗୁଁ କେତେକ ଜିଲ୍ଲାରେ ଅନେକ ଗାଁ ଜଳମଗ୍ନ ହୋଇଛି । କେନ୍ଦୁଝର ଜିଲ୍ଲାରେ ଫୁଲୁଛି ବୈତରଣୀ । ଆନନ୍ଦପୁର ରେମାଳ ଡ୍ୟାମର ଗୋଟିଏ ଗେଟ୍ ଖୋଲାଯାଇଛି । ସେପଟେ ଲଗାଣ ବର୍ଷା ଯୋଗୁଁ ପାରାଦୀପର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଛି । ….. ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ୩ଟି ଜିଲ୍ଲା ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ । ଲଗାଣବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ଫୁଲୁଛି ବୈତରଣୀ । ସତର୍କ ସଂକେତ ୩୭.୪୪୫ ମିଟର ରହିଥିବା ବେଳେ ଏବେ ବୈତରଣୀର ଜଳସ୍ତର ୩୬ମିଟରରେ ରହିଛି । ସେହିଭଳି ଆନନ୍ଦପୁର ରେମାଳ ଡ୍ୟାମର ଜଳସ୍ତର ୧୨୧ ମିଟରକୁ ବଢ଼ିବାରୁ ଗୋଟିଏ ଗେଟ୍ ଖୋଲାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରେ ଅନେକ ଅଂଚଳ ଜଳମଗ୍ନ ହୋଇଛି । ବ୍ଲକର ରହଣିଆ, ନପଙ୍ଗ, ମାଳଦା, ରଣଜିତ, ବାଲିପୋଖରୀ, ନରଡ଼ା, କୁରିଗାଁ ପଞ୍ଚାୟତରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ । ଭଣ୍ଡାରୀପୋଖରୀ ଯାଜପୁର ରାସ୍ତାରେ ସରତା ପୋଲ ଉପରେ ଦେଢ଼ଫୁଟ ଉଚ୍ଚରେ ପାଣି ଚାଲିଛି । ଲଗାଣ ବର୍ଷା ଓ ଜଳ ନିସ୍କାସନ ସମସ୍ୟା ଯୋଗୁଁ ପାରାଦୀପରେ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଛି । ଇଏ ହେଉଛି ପାରାଦୀପଗଡ଼ ପଞ୍ଚାୟତର ଚିତ୍ର । ଯେଉଁଠି ବର୍ଷା ପାଣି ଲୋକଙ୍କ ଘରେ ପଶିଛି । ସ୍କୁଲ ପରିସରରେ ପାଣି ଜମି ରହିଥିବାରୁ ପିଲାମାନେ ସ୍କୁଲ ଯିବା ଆସିବାରେ ସମସ୍ୟା ସୃଷ୍ଟି ହୋଇଛି । ଘରେ ପାଣି ପଶି ଆଣ୍ଠୁଏ ହେଲାଣି ହେଲେ ଜଳ ନିସ୍କାସନ ନେଇ ସ୍ଥାନୀୟ ସରପଞ୍ଚ କହୁଛନ୍ତି ଟଙ୍କା ମଞ୍ଜୁର ହୋଇଛି ଖୁବ୍ ଶୀଘ୍ର ଡ୍ରେନେଜ୍ କାମ ଆରମ୍ଭ ହେବ । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଛି । ଫଳରେ ମୁଣ୍ଡ ଛାଳ ତୁଣ୍ଡରେ ମାରି ଫସଲ କରିଥିବା ଚାଷୀ ଏବେ ଚିନ୍ତାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.