ମାତିଛନ୍ତି ମୋରମ ଲୁଟେରା, ପ୍ରତିଦିନ ଚାଲାଣ ହେଉଛି ଶହଶହ ଟ୍ରିପ୍

Published By : Prameya-News7 Bureau | July 05, 2021 IST

ନୀଳଗିରି, ୦୫|୦୭: ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଧିନ ବିଭିନ୍ନ ସ୍ଥାନରେ ଦିନ ରାତି ମାତିଛନ୍ତି ମୋରମ ଲୁଟେରା। ସରକାରୀ ଓ ନିଜସ୍ୱ ଜମିରୁ ଦିନକୁ ଲକ୍ଷଲକ୍ଷ ଟଙ୍କାର ମୋରମ ବାହାରକୁ  ଚାଲାଣ କରୁଛନ୍ତି। ନୀଳଗିରି ତହସିଲ ଅଧିନ ସଜନାଗଡ଼,ଜଡ଼ିବାଲି,ଅଯୋଧ୍ୟା, ମାଟିଆଳି, ବରମପୁର, ଗୋହିରା,ବେଗୁନିଆ, ମିତ୍ରପୁର ଅଞ୍ଚଳରେ ଏବେ ମୋରମ ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ଫାର୍ମ ପଣ୍ଡ୍ ଆଳରେ ପୋଖରୀ ଗାଡ଼ିଆ ତାଡି ବାହାରୁ ଥିବା ମୋରମକୁ ଅର୍ଥ ଲାଳସା ଦେଖାଇ ମୋରମ ବେପାରୀ ନେଉଥିବା ଦେଖାଯାଇଛି।

ଆଉ କିଛି ଆଦିବାସୀ ନୀରିହ ଲୋକଙ୍କୁ ଗାଡ଼ିଆ ଖୋଳି ଦେବାର ପ୍ରଲଭନ ଦେଖାଇ ମଧ୍ୟ ମୋରମ ନେଇ ଯାଉଥିବାର ଦେଖାଯାଇଛି।ସ୍ୱଳ୍ପ ଜୋରିମାନା ଦେଇ ତାଠାରୁ ଦଶ ଗୁଣ ଅଧିକା ମୋରମ ନେଉଛନ୍ତି।ଗଛିତ ମୋରମକୁ ଜୋରିମାନା ଧାର୍ଯ୍ୟ କରାଯିବାର ନିୟମ ଥିବାବେଳେ ବେପାରୀ ମାନେ ଅତି ଚତୁରତା ସହ ଅଳ୍ପ ଗଛିତ କରି ସ୍ୱଳ୍ପ ରୟାଲଟି କାଟି ଚାଲାଣ କରିବାକୁ ଯେଉଁ ୬/୭ ଦିନ ସମୟ ପାଉଛନ୍ତି ସେହି ସମୟ ଭିତରେ ଦିନ ରାତି ଏକ କରି ମେସିନ ସାହାଯ୍ୟରେ ମୋରମ ଖୋଳି ଶତାଧିକ ଟ୍ରିପ୍ ମୋରମ ନେଇଯାଉଛନ୍ତି।ଜାତୀୟ ରାଜପଥ କାମ ସାଙ୍ଗକୁ ଅନ୍ୟ ସରକାରୀ କାମରେ ମଧ୍ୟ ଏହି ମୋରମ ଲାଗୁଥିବା ଜଣାପଡିଛି।ଫାର୍ମପଣ୍ଡ କାମ ସହିତ ପଞ୍ଚାୟତ ପୋଖରୀ ଖୋଳା,ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ଗାଡ଼ିଆ ଖୋଳାରେ ଏଭଳି ଚୋରି ବୃଦ୍ଧି ପାଇବାରେ ଲାଗିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ୧୫୦ କୋଟି ଟଙ୍କା ବ୍ୟୟରେ ଚାଲୁଥିବା ପାନୀୟ ଜଳ ପ୍ରକଳ୍ପରେ ମଧ୍ୟ ମୋରମ ଚୋରି ହେଉଥିବା ଅଭିଯୋଗ ଉଠିଛି। ପାଣି ଗଛିତ ନେଇ ଚାଲୁଥିବା ଟାଙ୍କି ନିର୍ମାଣ ପାଇଁ ଯେଉଁ ବିରାଟକାୟ ଫାଉଣ୍ଡେସନ ଗାତ ଖୋଲାଯାଇଛି ସେଥିରୁ ବାହାରିଥିବା ଲକ୍ଷ ଲକ୍ଷ ଟଙ୍କାର ମୋରମ ସବୁ ହୋଇଥିବା ବେଳେ ସେଗୁଡିକୁ ରାଜସ୍ଵ ବିଭାଗର ବିନା ଅନୁମତି ଆଉ ବିନା ରୟାଲଟିରେ ଏହାକୁ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ଉଠିଛି।ଖାଲି ସେତକ ନୁହଁ ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ଟାଙ୍କି ଫାଉଣ୍ଡେସନରୁ ବହୁ ମୋରମ ବାହାରି ଗଛିତ ଥିବା ବେଳେ ଏହା ଉପରେ ମଧ୍ୟ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି।ତେଣୁ ରାଜସ୍ଵ ବିଭାଗ ଘଟଣା ଉପରେ ଗୁରୁତ୍ୱ ଦେଇ ତଦନ୍ତ ପୂର୍ବକ କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.