୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ ! କୋମୋରିନ୍ ସାଗର ଉପକୂଳଠୁ ରହିଛି ମାତ୍ର ୧୦୦ କିମି ଦୂରରେ

Published By : Prameya-News7 Bureau | May 30, 2021 IST

ନୂଆଦିଲ୍ଲୀ,୩୦/୦୫: ଠିକ୍ ସମୟରେ ଆସିବ ମୌସୁମୀ  । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ-ତାମିଲନାଡୁର ଅତି ନିକଟରେ ପହଞ୍ଚି ଗଲାଣି । ମୌସୁମୀର ଉତ୍ତର ଭାଗ ବର୍ତ୍ତମାନ ସମୟରେ କୋମୋରିନ ସାଗର ତଟଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ରହିଥିବା ଜଣାପଡ଼ିଛି । ତେଣୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା କେରଳ ଛୁଇଁପାରେ ବୋଲି ଆଶା କରାଯାଉଛି ।

ମୌସୁମୀ କେରଳ ଛୁଇଁବାର ଅବ୍ୟବହିତ ପୂର୍ବରୁ କିଛି ମାପକ ବା ଆଭାସ ଦେଖିବାକୁ ମିଳିଥାଏ । ବର୍ଷା, ପବନ ଓ ବିକିରଣ ଆଦି ଅନେକ ମାପକ ପୂରା କରିବା ପରେ ମୌସୁମୀ କେରଳ ପହଞ୍ଚିଲା ବୋଲି ସ୍ପଷ୍ଟ କରାଯାଏ । ମୌସୁମୀ ପ୍ରଥମେ କେରଳର ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଥାଏ, ସେଠାରେ ଇତିମଧ୍ୟରେ ବର୍ଷା ହୋଇଯାଇଛି । ଏହାର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି । ତେଣୁ ମୌସୁମୀ ଆଉ ବେଶି ଦୂରରେ ନାହିଁ ବୋଲି ଅନୁମାନ କରାଯାଉଛି ।

ପାଣିପାଗ ବିଭାଗର ସୂଚନା ମୁତାବକ ଲାକ୍ଷାଦ୍ୱୀପ ଓ କର୍ଣ୍ଣାଟକର ୧୪ ପାଣିପାଗ କେନ୍ଦ୍ର ମଧ୍ୟରୁ ୬୦% କେନ୍ଦ୍ରରେ ମେ ୧୦ ତାରିଖ ପରେ ଯଦି ଲଗାତର ଦୁଇଦିନ ପର୍ଯ୍ୟନ୍ତ ୨.୫ ମିମି କିମ୍ବା ଅଧିକ ବର୍ଷା ରେକର୍ଡ କରାଯାଏ, ତେବେ ମୌସୁମୀରଆଗମନ ଶୀଘ୍ର ବୋଲି ଧରିନିଆଯାଏ । ଏହି ଆଧାରରେ କେରଳ ଓ କର୍ଣ୍ଣାଟକର ତଟୀୟ ଅଞ୍ଚଳ ଓ ଲାକ୍ଷାଦ୍ୱୀପରେ ବର୍ଷା ହୋଇସାରିଛି । ଏବେ ପବନ ଓ ବିକିରଣ ମାପକ ଉପରେ ପାଣିପାଗ ବିଭାଗ ନଜର ରଖିଛି ।

ଉଲ୍ଲେଖଥାଉ କି, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ମୌସୁମୀ ବାୟୁ ମେ ୨୧ ତାରିଖରେ ପହଞ୍ଚି ସାରିଛି । ଏହାପରେ ଧୀର ଗତିରେ ଏହା ପଶ୍ଚିମ-ଉତ୍ତର ଦିଗରେ ଆଗକୁ ବଢୁଛି । ଜୁନ ୧ ତାରିଖରେ ମୌସୁମୀ ବାୟୁ ସାଧାରଣତଃ କେରଳ ଛୁଇଁଥାଏ । କିନ୍ତୁ ଏଥର ଏହା ମେ ୩୧ରେ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଲଗାଇଛି । ସେହିଭଳି ମେ ୩୦ରେ ଏହି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ସ୍କାଇମେଟ ଅନୁମାନ କରିଛି ।

ଏଥର ମୌସୁମୀ ବର୍ଷା ସ୍ୱାଭାବିକ ହେବା ନେଇ ଅନୁମାନ କରାଯାଉଛି । ସ୍କାଇମେଟ ମୁତାବକ ଭାରତରେ ଏ ବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ହାରାହାରି ୯୦୭ ମିମି ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ସ୍ୱାଭାବିକ ହେଲେ ସାରା ଭାରତରେ ଏହି ୪ ମାସରେ ହାରାହାରି ୮୮୦.୬ ମିମି ବର୍ଷା ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.