କିଏ ଦେବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟକ୍କର ? ଏବେ ନିର୍ବାଚନ ହେଲେ କାହାକୁ ମିଳିବ ସଂଖ୍ୟା ଗରିଷ୍ଠତା ? ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ନେଇ କେତେ ସନ୍ତୁଷ୍ଟ ଦେଶବାସୀ?
15/01/2021 at 8:29 PM

ନୂଆଦିଲ୍ଲୀ ୧୫/୦୧ : ଦେଶରେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟକ୍କର ଦେବ କିଏ? ବିରୋଧୀମାନଙ୍କ ମଧ୍ୟରୁ କିଏ ଦେବ ମୋଦିଙ୍କୁ ଚ୍ୟାଲେଞ୍ଜ୍ ? କାହାକୁ ପସନ୍ଦ କରୁନ୍ତି ଦେଶବାସୀ ? ଜନସାଧାରଣଙ୍କ ଆସ୍ଥାଭାଜନ କିଏ ହେବେ ? ଏବିପି ନ୍ୟୁଜ୍ ସି ଭୋଟର କରିଥିବା ଏହି ସର୍ଭେ ଉପରେ ନଜର ପକାନ୍ତୁ…
ଭୋଟରଙ୍କ ମୁଡ୍ ଅନୁସାରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବାକୁ ରାହୁଲ ଗାନ୍ଧୀ ହିଁ ସର୍ବାଗ୍ରେ ଅଛନ୍ତି । ସର୍ଭେ ମୁତାବକ, ୨୫.୬ ପ୍ରତିଶତ ଜନତା କହିଛନ୍ତି ଭବିଷ୍ୟତରେ ଯଦି କିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟକ୍କର ଦେଇପାରିବେ ତ ସେ ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତାଙ୍କ ପଛକୁ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ । ଜନତାଙ୍କ ମଧ୍ୟରୁ ୨୧.୯ ପ୍ରତିଶତଙ୍କୁ ଲାଗୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଗାମୀ ଦିନରେ ଟକ୍କର ଦେଇପାରିବେ । ସେହିଭଳି ୭.୯ ପ୍ରତିଶତ ଜନତା ମମତା ବାନାର୍ଜୀଙ୍କ ସପକ୍ଷରେ ଯାଇଛନ୍ତି ।
ଦେଶରେ ଏବେ ଲୋକସଭା ନିର୍ବାଚନ ହେଲେ କିଏ ଜିତିବ ?
ଦେଶରେ ବର୍ତ୍ତମାନ ଲୋକସଭା ନିର୍ବାଚନ ହେଲେ ଦେଶବାସୀ କାହାକୁ ଭୋଟ ଦେବେ ? ଏହାର ଜବାବ ହେଉଛି NDA । ସି ଭୋଟରର ସର୍ଭେ ଅନୁଯାୟୀ ବର୍ତ୍ତମାନ ଦେଶରେ ଲୋକସଭା ନିର୍ବାଚନ ହେଲେ, ୫୮ ପ୍ରତିଶତ ଜନତା NDAକୁ ପସନ୍ଦ କରିଛନ୍ତି । ସେହିଭଳି UPAକୁ ୨୮ ପ୍ରତିଶତ ଜନତା ପସନ୍ଦ କରିଛନ୍ତି । ୧୪ ପ୍ରତିଶତ ଜନତାଙ୍କ ମୁଡ୍ କହୁଛି ଦେଶରେ ଏବେ ନିର୍ବାଚନ ହେଲେ ତୃତୀୟ ମୋର୍ଚ୍ଚା ହିଁ ସରକାର ତିଆରି କରିବ ।
ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଜନତା କେତେ ସନ୍ତୁଷ୍ଟ ?
ସର୍ଭେରେ ଦେଶର ଜନତାଙ୍କୁ ପଚରା ଯାଇଥିଲା ଦେଶର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପରେ କେତେ ସନ୍ତୁଷ୍ଟ ? ଏଥିରୁ ସ୍ପଷ୍ଟ ହୋଇଛି ଯେ, ଦେଶରେ ପ୍ରାୟ ୫୮ ପ୍ରତିଶତ ଜନତା ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି । ସେହିଭଳି ୨୮ ପ୍ରତିଶତ ଜନତା ଶାହାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ୧୪ ପ୍ରତିଶତ ଲୋକେ କହିପାରିବେ ନାହିଁ ବୋଲି ମତ ଦେଇଛନ୍ତି ।
ରାହୁଲ ଏବଂ ପ୍ରିୟଙ୍କାଙ୍କ ମଧ୍ୟରୁ କିଏ କଂଗ୍ରେସ ଅଧ୍ୟକ୍ଷ ହେବା ଦରକାର ?
ଦେଶରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଅଧ୍ୟକ୍ଷଙ୍କୁ ନେଇ ଦେଶର ଜନତା ନିଜର ମତ ଦେଇଛନ୍ତି । ୩୨ ପ୍ରତିଶତ ଲୋକ ଚାହାନ୍ତି ରାହୁଲ ଗାନ୍ଧୀ ହିଁ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ । ସେହିଭଳି ୩୫ ପ୍ରତିଶତ ଜନତା ପ୍ରିୟଙ୍କାଙ୍କ ସପକ୍ଷରେ ମତ ଦେଇଛନ୍ତି । ଏହାବାଦ୍ ୩୩ ପ୍ରତିଶତ ଜନତା ନିଜର ମତ ଦେବାକୁ ମନା କରିଦେଇଛନ୍ତି ।