୧୦ ସୁଦ୍ଧା ଓଡିଶା ଛୁଇଁବ ମୌସୁମୀ : ୧୧ରେ ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା !

Published By : Prameya-News7 Bureau | June 08, 2021 IST

ଭୁବନେଶ୍ୱର,୦୮/୦୬: ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ଆଉ ପବନ । ଅଧଘଣ୍ଟାରେ ୩୦ ମିଲିମିଟର ବର୍ଷା ଢାଳିଲା । ଘଣ୍ଟା ପ୍ରତି ପ୍ରାୟ ୫୦ କିମି ବେଗରେ ପବନ ବହିଲା । ୨ ମିନିଟ୍‌ ପାଇଁ ପବନ ବେଗ ଘଣ୍ଟା ପ୍ରତି ୭୬ କିମି ପହଞ୍ଚିଯାଇଥିଲା । ଅନେକ ଜାଗାରେ ବର୍ଷା, ପବନ ଯୋଗୁ ଗଛ ଭାଙ୍ଗିଛି । ହୋର୍ଡିଂ ଉଡ଼ିଛି। କେବଳ ଭୁବନେଶ୍ୱର ନୁହେଁ, ସୋମବାର ସନ୍ଧ୍ୟା ସୁଦ୍ଧା କଟକ, ସମ୍ବଲପୁର, ଦାରିଙ୍ଗିବାଡ଼ିରେ ବି ବର୍ଷା, ପବନ ହୋଇଛି । ରାତିରେ ଆହୁରି ଅନେକ ଜାଗାରେ ବର୍ଷା, ପବନ ଆଶଙ୍କା ଅଛି । ଏହା ହେଉଛି ପ୍ରାକ୍‌ ମୌସୁମୀ ବର୍ଷା । ମୌସୁମୀ ଆଗମନର ପୂର୍ବାଭାସ ।

ପାଗ ଅନୁକୂଳ । ପଥ ପ୍ରସ୍ତୁତ । ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି । ଅନ୍ୟପଟେ ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ୧୧ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ହିଁ ଟାଣି ଆଣିବ ମୌସୁମୀକୁ । ପ୍ରବଳ ବର୍ଷା ହେବ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ । ଯଦି ସବୁ କିଛି ଠିକଠାକ୍‌ ରହେ, ସମ୍ଭବତଃ ଆସନ୍ତା ୯ କିମ୍ବା ୧୦ ତାରିଖବେଳକୁ ଓଡ଼ିଶାରେ ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଏଥର ଜୁନ୍‌ରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ବି ହୋଇପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ।

ଉମାଶଙ୍କର କହିଛନ୍ତି, ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଲାଗି ରହିବ । ମଙ୍ଗଳବାରଠାରୁ ବର୍ଷା କ୍ରମଶଃ ବଢ଼ିବ । ତେବେ ୧୦ ତାରିଖରୁ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷା ହେବ । ୧୧ ଏବଂ ୧୨ରେ ଆହୁରି ବେଶି ବର୍ଷିବ । ୧୪ ଯାଏଁ ବର୍ଷା ଲାଗି ରହିବ । ପ୍ରଥମେ ଉପକୂଳ ଓଡ଼ିଶା ଓ ପରେ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ବଢ଼ିବ ।

ମଙ୍ଗଳବାର (୮ ତାରିଖ) ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ, ଦକ୍ଷିଣ ଉପକୂଳର ଅଳ୍ପ କେତେକ ଅଞ୍ଚଳ ଏବଂ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ଜାଗାରେ ପ୍ରାକ୍‌ ମୌସୁମୀ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ାକୋରାପୁଟ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବୁଧବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ । ବିଶେଷ କରି ଉତ୍ତର ଓଡ଼ିଶା ଏବଂ ଉତ୍ତର ଉପକୂଳରେ ବର୍ଷା ସମ୍ଭାବନା ଅଧିକ ।

ଗୁରୁବାର (୧୦ ତାରିଖ) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ମୟୂରଭଞ୍ଜରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏସବୁ ଜିଲ୍ଲାର ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା ଅଛି ।

ଶୁକ୍ରବାର (୧୧ ତାରିଖ) ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର, କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ।

 ସମ୍ଭାବ୍ୟ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ୧୧ ତାରିଖରୁ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ସତର୍କ କରାଇ ଦେଇଛି । ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି, ସେମାନେ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ କୁହାଯାଇଛି । ଲଗାଣ ବର୍ଷା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ନେବାକୁ ଏସଆରସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ ଯେପରି କୃତ୍ରିମ ବନ୍ୟା ସ୍ଥିତି ନ ଉପୁଜିବ, ସେଥିପାଇଁ ର୍ଆଗୁଆ ପଦକ୍ଷେପ ନେବା ପାଇଁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.