ମୌସୁମୀ ବର୍ଷାରେ ଭିଜିଛି ଓଡ଼ିଶା : ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା
21/06/2019 at 6:11 PM

ଭୁବନେଶ୍ବର ୨୧/୬: ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି । ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଥମ ପର୍ଯ୍ୟାରେ ରାଜ୍ୟର ୧୬ ଜିଲ୍ଲାରେ ମୌସୁମୀ ବର୍ଷା ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୭୨ ଘଣ୍ଟା ଭିତରେ ଭିଜିବ ପୂରା ରାଜ୍ୟ । …

ମୌସୁମୀ ବର୍ଷାରେ ଭିଜିଛି ଓଡ଼ିଶା । କେତେବେଳେ ଢାଳି ଦେଉଥିଲା ତ ଆଉ କେତେବେଳେ ଝିପଝିପ ବର୍ଷା । ପ୍ରଚଣ୍ଡ ତାତି ପରେ ମୌସୁମୀ ବର୍ଷା ଧରିତ୍ରିକୁ ଶୀତଳ କରିଛି । ଆଉ ଚାଷୀ ମୁହଁରେ ହସ ଫୁଟିଛି । ପହିଲି ବର୍ଷାରେ କିଏ ଭିଜିଛି ତ ଆଉ କିଏ ପୁଲକିତ ହୋଇଛି । ଆନମନା ହୋଇଛନ୍ତି କବି, ଲେଖକ । ବର୍ତ୍ତମାନ ସୁଦ୍ଧା ୧୬ଟି ଜିଲ୍ଲାକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଉପକୂଳ ଓଡ଼ିଶାର ୧୧ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ୫ ଜିଲ୍ଲା ପ୍ରଥମ ମୌସୁମୀ ବର୍ଷାରେ ଭିଜିଛି । ଆସନ୍ତା ୪୮ ରୁ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହେବ । ତେବେ ୫ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ । ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଗଞ୍ଜାମ ଓ ଗଜପତିରେ ୩ଦିନ ଯାଏ ପ୍ରବଳ ବର୍ଷିବ ।

କେରଳରେ ମୌସୁମୀ ଠିକ୍ ସମୟରେ ପ୍ରବେଶ କରିଥିଲା । କିନ୍ତୁ ପାଗ ଅନୁକୂଳ ନହେବାରୁ ଓଡ଼ଶାରେ ପହଞ୍ଚିବାକୁ ୨ ସପ୍ତାହ ଡେରି ହୋଇଥିଲା । କିନ୍ତୁ ଚଳିତ ବର୍ଷ ଭଲ ବର୍ଷା ହେବ । ୯୦ ପ୍ରତିଶତରୁ ଅଧିକ ବର୍ଷା ହେବ ବୋଲି ଆକଳନ କରିଛନ୍ତି ଆଇଏମଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର ଆଡକୁ ଗତି କରୁଛି । ପ୍ରଭାବରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ବି ରହିଛି ।