ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା

Published By : Prameya-News7 Bureau | May 15, 2021 IST

ଭୁବନେଶ୍ୱର,୧୫/୦୫: ଠିକ୍ ସମୟରେ ହେବ ବର୍ଷା । ଚାଷୀ କୂଳ ପାଇଁ ଭଲ ଖବର । ଧୋକା ଦେବନି ମୌସୁମୀ । ଠିକ୍‌ ତିଥିରେ ପାଦ ଥୋଇବ ଓଡ଼ିଶା ମାଟିରେ । ସମ୍ଭବତଃ ଜୁନ୍‌ ୧୦ରୁ ୧୨ ତାରିଖ ଭିତରେ ମୌସୁମୀ ପହଞ୍ଚିବ । ଏମିତିକି ସାମାନ୍ୟ ଆଗୁଆ ବି ଆସିପାରେ । ମୌସୁମୀର ଭାରତ ପ୍ରବେଶକୁ ନେଇ ତାଜା ପୂର୍ବାନୁମାନରୁ ଏମିତି ସଙ୍କେତ ମିଳିଛି । ଏଭଳି ଆକଳନ ଚାଷୀ କୂଳକୁ ଆଶ୍ୱସ୍ତି କରିଛି । ଏହା ଠିକ୍‌ ସମୟରେ ଚାଷ କାମ ଆଗେଇବାକୁ ସହାୟକ ହେବ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଦକ୍ଷିଣ-ପଶ୍ଚିମ ମୌସୁମୀର କେରଳ ଆଗମନ ସମୟକୁ ନେଇ ଦ୍ୱିତୀୟ ପୂର୍ବାନୁମାନ ଜାରି କରିଛି । ଏଥିରେ କୁହାଯାଇଛି, ମୌସୁମୀ ସ୍ୱାଭାବିକ ସମୟରେ କେରଳ ଛୁଇଁବ । ମେ’ ୩୧ ତାରିଖବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପ୍ରବେଶ କରିପାରେ । ହୁଏତ ମେ’ ୩୧ର ୪ ଦିନ ପୂର୍ବରୁ କିମ୍ବା ୪ ଦିନ ପରେ କେରଳ ଛୁଇଁପାରେ ମୌସୁମୀ । ତେଣୁ ମେ’ ୨୭ରୁ ଜୁନ୍‌ ୪ ତାରିଖ ଭିତରେ ମୌସୁମୀ ଯେ କୌଣସି ଦିନ କେରଳ ଛୁଇଁବ ବୋଲି ଆଏମଡି କହିଛି ।

ଓଡ଼ିଶାରେ ମୌସୁମୀ ଆଗମନର ସ୍ୱାଭାବିକ ତାରିଖ ହେଉଛି ଜୁନ୍‌ ୧୦ରୁ ୧୨ ତାରିଖ । ଯେହେତୁ ଚଳିତବର୍ଷ ମୌସୁମୀ ସ୍ୱାଭାବିକ କିମ୍ବା ସାମାନ୍ୟ ଆଗୁଆ କେରଳ ଛୁଇଁବା ସମ୍ଭାବନା ଅଛି, ତେଣୁ ଓଡ଼ିଶାକୁ ମଧ୍ୟ ସ୍ୱାଭାବିକ ସମୟରେ ଆସିବା ଅନୁମାନ କରାଯାଉଛି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏ ବର୍ଷ ଗ୍ରୀଷ୍ମରେ କାଳବୈଶାଖୀ ଅଧିକ ହେଉଛି । ନିୟମିତ ବିସ୍ତୀର୍ଣ୍ଣ ଅଞ୍ଚଳ ଉପରେ କାଳବୈଶାଖୀ ହେଉଛି । ଅନୁମାନ କରାଯାଉଛି, ଏଥର ମୌସୁମୀ ସ୍ୱାଭାବିକ ସମୟରେ ଆସିବ । ସ୍ୱାଭାବିକ ସମୟ ଜୁନ୍‌ ୧୦ରୁ ୧୨ ତାରିଖ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଆଗୁଆ ବି ଆସିପାରେ ।ତେବେ କେରଳ ଛୁଇଁବା ପରେ ଓ ସେତେବେଳର ପାଣିପାଗ ସ୍ଥିତି ଦେଖିବା ପରେ ଚିତ୍ର ଅଧିକ ସ୍ପଷ୍ଟ କରିହେବ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ତାଉତେ’ ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇବ । ଏହା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଆଗକୁ ବଢ଼ିବା ପାଇଁ ସହାୟକ ହେବ । ଅନୁମାନ କରାଯାଉଛି, ଆସନ୍ତା ୨୧ ତାରିଖବେଳକୁ ଆଣ୍ଡାମାନ ଛୁଇଁବ ମୌସୁମୀ । ୩୧ ତାରିଖବେଳକୁ ମୌସୁମୀ କେରଳ ଉପକୂଳରେ ପ୍ରବେଶ କରିବା ସମ୍ଭାବନା ଅଛି । ହୁଏତ ୪ ଦିନ ଆଗୁଆ କିମ୍ବା ୪ ଦିନ ପରେ ମୌସୁମୀ କେରଳ ଛୁଇଁପାରେ । ମୌସୁମୀ କେରଳ ପ୍ରବେଶ କରିବାର ୧୧ରୁ ୧୪ ଦିନ ଭିତରେ ଓଡ଼ିଶାରେ ପହଞ୍ଚିଥାଏ । ମାତ୍ର ଏବେଠାରୁ ମୌସୁମୀର ଓଡ଼ିଶା ଆଗମନ ବାବଦରେ କିଛି ହେବନି ।

ଅନ୍ୟପଟେ ଆଗାମୀ ଦୁଇ ସପ୍ତାହ ପାଇଁ ଆଇଏମଡି ଜାରି କରିଥିବା ଆକଳନରୁ ଜଣାପଡ଼ିଛି, ଏବେ ଓଡ଼ିଶାରେ ବିଶେଷ ବର୍ଷା ହେବନି । ଗରମ ଧୀରେଧୀରେ ବଢ଼ିବ । ୨୦ ତାରିଖ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ । ଆସନ୍ତା ୨୧ରୁ ୨୭ ତାରିଖ ଭିତରେ ରାଜ୍ୟର କେତେକ ଜାଗାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇପାରେ । ସେତେବେଳକୁ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା ଅଛି । ଅର୍ଥାତ୍‌ ଆସନ୍ତା ଦୁଇ ସପ୍ତାହ ରାଜ୍ୟରେ ଗରମ ଓ ଗୁଳୁଗୁଳି ଅଧିକ ଅନୁଭୂତ ହେବ ।

ଆଞ୍ଚଳିକ ପାଣିପାଗ ବିଭାଗ କହିଛି, ଆସନ୍ତା ଦୁଇଦିନ ରାଜ୍ୟର ଅଳ୍ପ କେତୋଟି ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ । ମାତ୍ର ବଡ଼ଧରଣର କାଳବୈଶାଖୀ ସମ୍ଭାବନା କମ୍‌ ରହିଛି । ଅପରପକ୍ଷରେ ଆସନ୍ତା ୪୮ ଘଣ୍ଟା ଭିତରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ଆଶଙ୍କା ଅଛି । ଏଭଳି ହେଲେ ଅଚାନକ ଉତ୍ତର ଓଡ଼ିଶାରେ ଗରମ ପ୍ରକୋପ ଅସ୍ୱାଭାବିକ ହୋଇପଡ଼ିବ ।

ଶୁକ୍ରବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌ ଥିଲା । ବାକି ସବୁଠି ପାରଦ ଅପେକ୍ଷାକୃତ କମ୍‌ ଥିଲା । ଦିନ ଭିତରେ ପ୍ରାୟତଃ ପାଗ ଶୁଖିଲା ଥିଲା । କେତେକ ଜାଗାରେ ଆକାଶ ଆଂଶିକ ମେଘୁଆ ରହିଥିଲା ।

କେତେକ ପାଣିପାଗ ସଂସ୍ଥାର ମଡେଲ୍‌ କହୁଛି, ଆସନ୍ତା ୨୦/୨୧ ତାରିଖବେଳକୁ ଆଣ୍ଡାମାନ ପାଖରେ ଲଘୁଚାପ ସୃଷ୍ଟି ହୋଇପାରେ । ଯେହେତୁ ୨୦ ପରେ ବିଶେଷ ବର୍ଷା ନାହିଁ, ତେଣୁ ଏହା ସମ୍ଭାବ୍ୟ ଲଘୁଚାପକୁ ଘନୀଭୂତ ହେବାରେ ସହାୟକ ହେବ । ଏପରିକି ତାହା ଅବପାତ, ଭୀଷଣ ଅବପାତ କିମ୍ବା ଆହୁରି ଅଧିକ ଘନୀଭୂତ ହୋଇପାରେ । ବାତ୍ୟା ନେଇ ମଧ୍ୟ ସେତେବେଳକୁ ପାଗ ଅନୁକୂଳ ରହିପାରେ । ମାତ୍ର ଏବେଠାରୁ କିଛି ସ୍ପଷ୍ଟ ଆକଳନ କରିପାରୁନାହାନ୍ତି ପାଣିପାଗ ବିଶେଷଜ୍ଞ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.