Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମୌସୁମୀର ଗତି ଟିକିଏ ଧୀମା : ୧୦ଦିନ ଡେରିରେ ଓଡିଶା ଛୁଇଁବ, ୨୯ ଯାଏଁ ତାତି

26/05/2020 at 9:50 AM

ଭୁବନେଶ୍ୱର ୨୬।୦୫: ଚଳିତ ବର୍ଷ ବିଳମ୍ବରେ ଆସିବ ମୌସୁମୀ । ଏଥର ଓଡ଼ିଶାକୁ ମୌସୁମୀ ଆଗମନ ୧୦ ଦିନରୁ ଅଧିକ ଡେରି ହୋଇପାରେ । ସମ୍ଭବତଃ ଜୁନ୍‌ ୨୦ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁପାରେ । ବର୍ତ୍ତମାନ ଓ ସମ୍ଭାବ୍ୟ ସ୍ଥିତିକୁ ନେଇ ଏଭଳି ପୂର୍ବାନୁମାନ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ଯଦି ଏମିତି ହୁଏ, ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆଞ୍ଚଳିକ ସ୍ୱତନ୍ତ୍ର ପାଣିପାଗ କେନ୍ଦ୍ର ମୁଖ୍ୟ ରାଜେନ୍ଦ୍ର ପ୍ରସାଦ ଜେନାମଣିଙ୍କ ଆକଳନ ହେଲା, ଆରବ ସାଗରରେ କେରଳ ଉପକୂଳ ପାଖରେ ଜୁନ୍‌ ପ୍ରଥମ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ପରିଲକ୍ଷିତ ହୋଇଛି । ଏହା ପ୍ରଭାବରେ ଜୁନ୍‌ ପ୍ରଥମ ସପ୍ତାହରେ କେରଳରେ ବର୍ଷା ସମ୍ଭାବନା ଅଛି । ଅନୁମାନ କରାଯାଉଛି, ଏହା ଦକ୍ଷିଣ ପଶ୍ଚିମ ମୌସୁମୀକୁ ଅଗ୍ରଗତି କରିବାରେ ସହାୟକ ହେବ । ତେଣୁ ଜୁନ୍‌ ୧ରୁ ୫ ତାରିଖ ମଧ୍ୟରେ ମୌସୁମୀ କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ମୌସୁମୀ ଆଗମନ ଏବେ ଅନିଶ୍ଚିତତାରେ ରହିଛି । ଆସନ୍ତା ଜୁନ୍‌ ୧୨ ତାରିଖ ଆଗରୁ ମୌସୁମୀ କେରଳ ଉପକୂଳ ଛୁଇଁଲା ଭଳି ଲାଗୁନି । କେରଳରେ ଏବେ କିଛି କିଛି ବର୍ଷା ହେଉଛି । ହେଲେ ମୌସୁମୀ ପ୍ରବେଶ କରିବା ଲକ୍ଷଣ ନାହିଁ । ମୌସୁମୀ ଆଗମନ ଘୋଷଣା ପାଇଁ ୪୮ ଘଣ୍ଟା ଧରି ୬୦% ପାଣିପାଗ ଷ୍ଟେସନରେ ଦିନକୁ ଅଢ଼େଇ ମିଲିମିଟର ବର୍ଷା ହେବା ଦରକାର । ମାତ୍ର ସେଭଳି ବର୍ଷା ଏବେ ନାହିଁ । ଆସନ୍ତା ୨୭-୨୮ବେଳକୁକିଛି ବର୍ଷା ହୋଇପାରେ । ମାତ୍ର ମୌସୁମୀ ବର୍ଷାର ପରିମାଣଠାରୁ ଏହା କମ୍‌ ରହିବ ।

ଡକ୍ଟର ପଶୁପାଳକଙ୍କ କହିବାନୁଯାୟୀ ମେଡିଆନ୍‌ ଜୁଲିଆନ୍‌ ଓସିଲେସନ୍‌ (ଏମ୍‌ଜେଓ) ୮ ତାରିଖ ପୂର୍ବରୁ ଭାରତ ମହାସାଗରରେ ପ୍ରବେଶ କରିବା ସମ୍ଭାବନା ନାହିଁ । ଏମ୍‌ଜେଓ ନ ଆସିବା ଯାଏଁ ମୌସୁମୀ ପ୍ରବାହ ସକ୍ରିୟ ହେବ ନାହିଁ । ମେ’ ୩୧ ତାରିଖବେଳକୁ ଆରବ ସାଗରରେ ଏକ ଲଘୁଚାପ ହୋଇପାରେ । ହେଲେ ତାହା ଆଫ୍ରିକା ଆଡ଼କୁ ଗତି କରିପାରେ । ତେଣୁ କେରଳ କିମ୍ବା ପଶ୍ଚିମ ଭାରତ ଉପକୂଳରେ ବିଶେଷ ବର୍ଷା ହେବନି । ତେଣୁ ମୌସୁମୀର କେରଳ ଆଗମନ ଏଥର ବହୁ ବିଳମ୍ବ ହୋଇପାରେ । ତେଣୁ ଓଡ଼ିଶା ଆସିଲା ବେଳକୁ ବିଳମ୍ବ ହେବ । ୨୦ ଜୁନ୍‌ ପୂର୍ବରୁ ଏହା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ଦେଖାଯାଉନି । ଦକ୍ଷିଣ ଓଡ଼ିଶାରେ ୨୮ରୁ ବର୍ଷା ସମ୍ଭାବନା ଥିବାବେଳେ ୨୯ରେ ବର୍ଷା ବଢ଼ିପାରେ ।

ଯଦି ଆରବସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଆଫ୍ରିକା ଆଡ଼କୁ ନ ଯାଇ ଦିଗ ବଦଳାଇ ଭାରତ ମହାସାଗର ଆଡ଼କୁ ଆସିବ, ତେବେ ମୌସୁମୀ ଜୁନ୍‌ ୫ବେଳକୁ କେରଳ ଛୁଇଁପାରେ ବୋଲି ଡକ୍ଟର ପଶୁପାଳକ କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିର୍ଭସିଟି ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ପ୍ରଥମେ ଅମ୍‌ପନ୍‌ ବାତ୍ୟା ମୌସୁମୀ ପ୍ରବାହକୁ ବାଧାପ୍ରାପ୍ତ କରିଥିଲା । ମେ’ ଶେଷ କିମ୍ବା ଜୁନ୍‌ ପ୍ରଥମ ସପ୍ତାହରେ ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହେବା ନେଇ ଲକ୍ଷଣ ପରିଲକ୍ଷିତ ହେଉଛି । ଏମିତି ହେଲେ ପୁଣି ଥରେ ମୌସୁମୀ ପ୍ରବାହ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି । ତେଣୁ ଚଳିତବର୍ଷ ଓଡ଼ିଶାରେ ମୌସୁମୀ ଆଗମନ ବିଳମ୍ବ ହେବ । ଅନୁମାନ କରାଯାଉଛି, ଓଡ଼ିଶାକୁ ମୌସୁମୀ ଆସିବାକୁ ୧୦ ଦିନରୁ ଅଧିକ ସମୟ ବିଳମ୍ବ ହୋଇପାରେ । ମୌସୁମୀ ଓଡ଼ିଶା ଆସିଲାବେଳକୁ ଜୁନ୍‌ ୨୦ରୁ ୨୫ ତାରିଖ ହୋଇଯିବା ଆଶଙ୍କା ରହିଛି ।

ଓଡ଼ିଶାର ଚାଷ କାର୍ଯ୍ୟ ମୌସୁମୀ ଉପରେ ନିର୍ଭରଶୀଳ । ମୌସୁମୀ ବିଳମ୍ବରେ ଆସିଲେ, ଜୁନ୍‌ ମାସରେ ବର୍ଷା ବି କମ୍‌ ହେବା ଆଶଙ୍କା ରହିଛି । ଚାଷ କାର୍ଯ୍ୟ ଆଗେଇବା କଷ୍ଟକର ହୋଇପଡ଼ିବ । କରୋନା ସଙ୍କଟ ସମୟରେ ଏଭଳି ଖବର ଚାଷୀକୂଳଙ୍କ ଚିନ୍ତା ବଢ଼ାଇପାରେ ।

ବର୍ତ୍ତମାନ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଗ୍ରୀଷ୍ମ ପ୍ରକୋପରେ ଛଟପଟ ହେଉଛି । ସୋମବାର ୧୩ଟି ଜାଗାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ଏଥିମଧ୍ୟରୁ ୮ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଥିଲା। ଉପକୂଳରେ ସାମୁଦ୍ରିକ ପବନ ବହୁଥିବାବେଳେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷୁଛି ନିଆଁ । ସୋମବାର ତାଳଚେର ତାପମାତ୍ରା ୪୪.୯ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଥିଲା । ଡହଡହ ଖରାରେ ସିଝିଥିଲା ଏହି କୋଇଲା ନଗରୀ । ବଲାଙ୍ଗିର ତାପମାତ୍ରା ୪୪.୮ ଡିଗ୍ରୀ ଥିବାବେଳେ ଭବାନୀପାଟଣା ୪୪.୬, ଝାରସୁଗୁଡ଼ା ୪୪.୨, ଅନୁଗୁଳ ୪୩.୫, ସମ୍ବଲପୁର ୪୩.୪, ବୌଦ୍ଧ ୪୩.୨, ହୀରାକୁଦ ୪୩.୩ ଡିଗ୍ରୀ ଥିଲା । ସୁନ୍ଦରଗଡ଼ ତାପମାତ୍ରା ୪୦.୫, ଫୁଲବାଣୀ ୪୧.୪, ଟିଟିଲାଗଡ଼ ୪୧, ମାଲକାନଗିରି ୪୨, ସୋନପୁର ୪୨.୨ ଡିଗ୍ରୀ ତାତିରେ ନାକେଦମ୍‌ ହୋଇଥିଲା।

ପାଣିପାଗ ବିଶେଷଜ୍ଞ ଡକ୍ଟର ସାହୁ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଆଉ ୨-୩ ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ୨୯ରୁ ତାତି କ୍ରମଶଃ କମିବ । ୩୧ ତାରିଖବେଳକୁ ଉପକୂଳରେ ପାରଦ ୩୫ ଡିଗ୍ରୀ ପାଖାପାଖି ଥିବାବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ୪୦ ଡିଗ୍ରୀ ଭିତରେ ରହିବ । ୩୦ ଓ ୩୧ ତାରିଖବେଳକୁ ଦକ୍ଷିଣ ଓଡ଼ିଶାରେ କିଛି କିଛି ବର୍ଷା ହୋଇପାରେ । ଆଗକୁ ଆରବ ସାଗରରେ ଏକ ଲଘୁଚାପ କିମ୍ବା ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଜୁନ୍‌ ୨-୩ ତାରିଖବେଳକୁ ରାଜ୍ୟର ମାଲକାନଗିରି, ନବରଙ୍ଗପୁର ସମେତ କେତେକ ଜାଗାରେ ବର୍ଷା ହୋଇପାରେ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ କହିଛନ୍ତି, ତାତି ପ୍ରକୋପ ଆଉ ୪ ଦିନ ରହିବ । ତା’ ପରେ ପାଗ ବଦଳିପାରେ । ସାମୁଦ୍ରିକ ପବନ ବହୁଥିବାରୁ ଉପକୂଳ ଓଡ଼ିଶାରେ ପାରଦ ୩୫ ଡିଗ୍ରୀ ତଳେ ରହୁଛି ।

   Related Posts