ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ପାଇଁ କଂଗ୍ରେସ ରଖିଲା ଦାବି, ଏଥର ଗୃହକାର୍ଯ୍ୟରେ ନୂଆ ନିୟମ
15/09/2020 at 7:39 PM

ଭୁବନେଶ୍ୱର, ୧୫|୯ : ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ । ଅଧିବେଶନରେ ରହିବନି ପ୍ରଶ୍ନକାଳ। ତେବେ ଅଧିବେଶନରେ ପ୍ରଶ୍ନକାଳ ନରହିବା ଉପରେ ପ୍ରଶ୍ନ ଉଠାଇବା ସହ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛି କଂଗ୍ରେସ ।
ବିନା କୋଭିଡ ଟେଷ୍ଟରେ ବିଧାନସଭା ମନା । ମୌସୁମୀ ଅଧିବେଶନରେ ଯୋଗଦେବା ଲାଗି ବିଧାୟକ ଓ ମନ୍ତ୍ରୀମାନଙ୍କୁ କୋଭିଡ ପରୀକ୍ଷା କରାଇବାକୁ ପଡିବ । ନେଟେଟିଭ ରିପୋର୍ଟ ଆସିଲେ ହିଁ ଅଧିବେଶନରେ ଭାଗ ନେଇପାରିବେ ମନ୍ତ୍ରୀ ଓ ବିଧାୟକ । ଏଥି ସହ ଅଧିବେଶନ ସହ ଯୋଡିହେବାକୁ ଥିବା କର୍ମଚାରୀଙ୍କର ମଧ୍ୟ କୋଭିଡ ଟେଷ୍ଟ ବିଧାନସଭା ପକ୍ଷରୁ ହେବ । ବିଧାନସଭା ମୌସୁମୀ ଅଧିବେଶନ ଲାଗି କୋଭିଡ୍ ଗାଇଡଲାଇନ ମଧ୍ୟ ଜାରି ହୋଇଛି । ଗୃହ ଭିତରେ ସାମାଜିକ ଦୂରତା ନିୟମ ପାଳନ କରି ସଦସ୍ୟ ମାନେ ବସିବେ । ଦର୍ଶକ ଗ୍ୟାଲେରୀରେ ବିଧାୟକଙ୍କ ଲାଗି ବସିବା ବ୍ୟବସ୍ଥା ହେବ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକ ଓ ବିଧାୟିକା ଚାହିଁଲେ ଗୃହକୁ ନଆସି NIC, OCAC, ଏବଂ ଜିଲ୍ଲାପାଳଙ୍କ ଭିସି ହଲ୍ ରେ ଭିଡିଓ କନଫରେନ୍ସିଂରେ ଅଧିବେଶନରେ ଭାଗ ନେଇପାରିବେ।

ତେବେ ଏଥର ବିଧାନସଭା ମୌସୁମୀ ଅଧିବେସନରେ ପ୍ରଶ୍ନକାଳ ନରହିବାକୁ ନେଇ ଉଠିଛି କେଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ପ୍ରଶ୍ନକାଳ ରହିବା ସହ ଅଧିବେଶନରେ ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଆଲୋଚନା ରଖିବାକୁ ଦାବି କରିଛି ଦଳ । ଏଥିସହ ଅଧିବେଶନ ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବାକୁ ଯୁକ୍ତି ବାଢ଼ିଛି କଂଗ୍ରେସ । ସେପଟେ କିନ୍ତୁ ବିଜେପି ନେତାଙ୍କ କହିବା କଥା ସଂସଦୀୟ ଗାଇଡଲାଇନକୁ ସବୁ ରାଜ୍ୟ ମାନିବା ଦରକାର । ବିଜେଡିର ଜବାବ୍ ଯଦି ପଞ୍ଜାବ ଭଳି କଂଗ୍ରେସ ଶାସିତ ରାଜ୍ୟରେ ବିଧାନସଭା ଅଧିବେଶନ ବିନା ପ୍ରଶ୍ନକାଳରେ ଚାଲୁଛି ସେଠି ମହାମାରୀ ସମୟରେ ସଂସଦୀୟ ଢାଞ୍ଚାରେ ଗୃହଚଳାଇବାରେ ଅସୁବିଧା କେଉଁଠି ରହିଲା । ଗଣତନ୍ତ୍ରର ବିଧିରକ୍ଷା ଲାଗି ସବୁ ଦଳ ସହଯୋଗ କରିବା ଦରକାର ।
ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । କେବଳ ଗାନ୍ଧୀ ଜୟନ୍ତୀରେ କୁ ଛାଡି ଶନିବାର ଓ ରବିବାର ମିଶାଇ ମୋଟ ୮ ଦିନ ଅଧିବେଶନ ଚାଲିବ । ଅଧିବେଶନ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଧାନସଭା ଯିବାକୁ ଅନୁମତି ଦିଆଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି ।