ଅଧିବେଶନର ଷଷ୍ଠ ଦିନରେ ଗୃହ ସରଗରମ୍ : ଖଣି ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ, ମୁଲତବୀ ପ୍ରସ୍ତାବ ଭାଗବଣ୍ଟାକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

Published By : Prameya-News7 Bureau | October 05, 2020 IST

ଭୁବନେଶ୍ୱର, ୦୫ ।୧୦:   ବିଧାନସଭା ମୈସୁମୀ  ଅଧିବେଶନର ଷଷ୍ଠ ଦିନ ବେସ୍ ସରଗରମ ଥିଲା । ଶୂନ୍ୟ କାଳଠୁ ନେଇ ମୁଲତବି ଆଲୋଚନା ଯାଏ ସବୁଠି ଗୃହରେ ଲାଗି ରହିଥିଲା ତାତି । ଶୂନ୍ୟ କାଳରେ ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଥିଲେ । ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ମୁହାଁ ମୁହିଁ ହୋଇଥିଲେ ବିରୋଧି ଓ ଶାସକ । କଥା କଟାକଟି ବି ଚାଲିଥିଲା । ହେଲେ ମୁଲତବୀ ଆଲୋଚନା ବେଳେକୁ ବିରୋଧୀଙ୍କ ଭିତରେ ଦେଖା ଯାଇଥିଲା ଫାଟ । ମୁଲତବୀ ପ୍ରସ୍ତାବ ଭାଗ ବଣ୍ଟାକୁ ନେଇ କଂଗ୍ରେସ ଓ ବିଜେପି ଭିତରେ ଟଣା ଓଟରା ଚାଲିଥିଲା । ସଂସଦୀୟ ମନ୍ତ୍ରୀଙ୍କ ବିବୃତ୍ତି ପରେ ବି ବିଜେପି ସଦସ୍ୟ ନାରାବାଜି ଓ କକ୍ଷତ୍ୟାଗ ଭିତରେ କୃଷି ଓ କୃଷକଙ୍କ ସଂପର୍କେ ମୁଲବୀ ଆଲୋଚନା  ହୋଇଥିଲା ଆଉ ମନ୍ତ୍ରୀ ଉତ୍ତର ବି ରଖିଥିଲେ ।

{"id":339216,"sizeSlug":"large"}

କେତେବେଳେ କଳି ତ କେତେବେଳେ କୋଳାକୋଳି । ଶୂନ୍ୟକାଳରେ ମିଳିମିଶି ସରକାରଙ୍କୁ ଘେରିଲେ । ଆଉ ମୁଲତବୀ ବେଳକୁ ଫାଟ । ବିଧାନସଭାରେ ମୈସୁମୀ ଅଧିବେଶନର ଷଷ୍ଠ ଦିନରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ଭିତରେ ଏମିତି କିଛି ସଂପର୍କର ଢେଉ ଦେଖିବାକୁ ମିଳିଥିଲା।  ଶୂନ୍ୟକାଳ ଆରମ୍ଭରୁ ରାଜ୍ୟର ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ମିଳିମିଶି ସରକାରଙ୍କୁ ଘେରିଥିଲେ ଦୁଇ ବିରୋଧୀ  ବିଜେପି ଓ କଂଗ୍ରେସ । ଖଣି ଲିଜ ନବୀକରଣରେ ରାଜ୍ୟରେ ଲକ୍ଷେ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ ବିରୋଧୀଦଳ ନେତା । ସିରାଜଉଦ୍ଦିନ ଓ ରୁଙ୍ଗୁଟା କମ୍ପାନୀ ନାଁରେ MMDR ଆକ୍ଟରେ ମାମଲା ଅଛି , ଭିଜିଲାନ୍ସ ତଦନ୍ତ ଚାଲିଛି ସେମାନଙ୍କୁ କିପରି ଖଣି ଲିଜ ନବୀକରଣ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଥିଲେ  ।ସେପଟେ ବିଜେପି ସହ ସ୍ବର ମିଳାଇ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ  କଂଗ୍ରେସ ବିଧାୟକ ଦଳ ନେତା ।  ୯ ଟି ଖଣିରେ ୩ହଜାର ୬ଶହ କୋଟି ରାଜସ୍ବ କ୍ଷତି ହୋଇଥିବା ଅଭିଯୋଗ ଆଣିଥିଲେ । ସେପଟେ ବିରୋଧୀଙ୍କୁ ଜବାବ ରଖିବାକୁ ଆଗକୁ ଆସିଥିଲେ ବିଜେଡି ବିଧାୟକ ପ୍ରତାପ ଦେବ ।  ଖଣି ନିଲାମ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ହୋଇଛି। କିଛି ଲୁଚାଯାଉନାହିଁ। ବୋଲି କହିଥିଲେ ।

{"id":339218,"sizeSlug":"large"}

ଶୂନ୍ୟକାଳରେ ବିରୋଧୀଙ୍କ ଯୋଡି କିନ୍ତୁ ମୁଲତବୀ ବେଳକୁ ଭିନ୍ନ ପ୍ରକାରର ଥିଲା । ମୁଲତବୀ ପ୍ରସ୍ତାବ ଭାଗବଣ୍ଟାକୁ ନେଇ ଗୃହରେ ମୁହାଁ ମୁହିଁ ହୋଇଥିଲେ ବିଜେପି ଓ କଂଗ୍ରସ ସଦସ୍ୟ । ମୁଖ୍ୟ ବିରୋଧୀ ଦଳ ବିଜେପିର ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାନଯିବାକୁ ନେଇ ତାତିଥିଲେ ବିଜେପି ସଦସ୍ୟ। ମୁଖ୍ୟ ବିରୋଧୀଦଳ ସହ ଆଲୋଚନା ନକରି କଂଗ୍ରେର ମୁଲତବୀ ପ୍ରସ୍ତାବକୁ କାହିଁକି ଗ୍ରହଣ କରାଗଲା ବୋଲି ପ୍ରଶ୍ନ ଉଠାଇଥିଲା । ଏହାକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟ ମାନେ ନାରାବାଜି କରିଥିଲେ । ସେପଟେ ନାରା ବାଜି ଭିତରେ କୃଷିମନ୍ତ୍ରୀ ଗୃହରେ ଉତ୍ତର ପଢିଥିଲେ । ବିଜେପି ସଦସ୍ୟ ଆଲୋଚନାରେ ଭାଗ ନନେଇ କକ୍ଷତ୍ୟାଗ କରିଥିଲେ ।

ଦୁଇ ବିରୋଧୀଙ୍କ କଳିରେ ମଝିକୁ ଟାଣି ହୋଇ ଆସିଥିଲା ଶାସକ ବିଜେଡି ।  କଂଗ୍ରେସ ସହ ବିଜେଡିର  ଭିତିରି ସଂପର୍କ ଥିବା ଅଭିଯୋଗ ଆଣିଥିଲା ବିଜେପି । ସେପଟେ ବିଜେପି ସହ ବିଜେଡିର ସଂପର୍କ କଥା ଉଠାଇଥିଲା କଂଗ୍ରେସ । ହେଲେ ବିଜେଡି କହିଥିଲା ଆମେ କାହାର ନୁହେଁ ଆମେ ଆମର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.