ଓଡିଶାରେ ମୌସୁମୀ ବର୍ଷା ଆରମ୍ଭ: ଚାଷୀକୂଳ ଖୁସ୍, କିନ୍ତୁ କଳାହାଣ୍ଡିରେ ମଣ୍ଡିରୁ ଉଠିନି ଧାନ
12/06/2020 at 6:43 PM

ଭୁବନେଶ୍ୱର, ୧୨|୦୬: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଏଥର ଠିକ୍ ସମୟରେ ମୌସୁମୀ ରାଜ୍ୟରେ ପ୍ରବେଶ କରିଥିବାରୁ ଭଲ ଚାଷବାସ ହେବ ବୋଲି କୃଷି ବିଜ୍ଞାନ କହିଛନ୍ତି । ଯାହାକୁ ନେଇ ଚାଷୀ ଖୁସ୍ । ହେଲେ ଏବେବି କଳାହାଣ୍ଡିର ଅନେକ ସ୍ଥାନରେ ସେଡ୍ ନଥିବାରୁ ମଣ୍ଡିରେ ଧାନ ଭିଜୁଛି ।
ଆସିଛି ମୌସୁମୀ । ରାଜ୍ୟର ଅନେକ ସ୍ଥାନରେ ବର୍ଷା । କେଉଁଠି ଝିପ୍ଝିପ୍ ତ ଆଉ କେଉଁଠି ଜୋରରେ ବର୍ଷୁଛି । ଏ ହେଉଛି ମାଲକାନଗିରି ଜିଲ୍ଲାର ଦୃଶ୍ୟ । ଏଠି ଖୁବ୍ ଜୋରରେ ବର୍ଷା ହେଉଛି । ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବା ପରେ ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ଲାଗି ରହିଛି । ମୌସୁମୀର ଆଗମନରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ହୋଇଛି ଅଧିକ ମନଲୋଭା ଓ ଆକର୍ଷଣୀୟ । ରୌଦ୍ରତାପରେ ଅସ୍ତବ୍ୟସ୍ତ ହୋଇପଡିଥିବା ଜନଜୀବନ କିଛିଟା ଆଶ୍ବସ୍ତ ହୋଇଛି । ଝିପି ଝିପି ବର୍ଷା ସାଙ୍ଗକୁ ସୁଲୁସୁଲିଆ ପବନ ମନକୁ ତୃପ୍ତ କରିଛି । କବି ମନରେ ମୌସୁମୀକୁ ନେଇ ନାନା ଆଶା ଓ ଉଦ୍ଧୀପନା ।

ଏଥର ଠିକ୍ ସମୟରେ ମୌସୁମୀ ପହଞ୍ଚିଥିବାରୁ ଭଲ ଚାଷ ହେବ ବୋଲି ଆଶା ବାନ୍ଧିଛି ଚାଷୀକୂଳ । ହେଲେ କଳାହାଣ୍ଡି ଜିଲ୍ଲାର ଅନେକ ଚାଷୀ କିନ୍ତୁ ଖୁସି ନାହାନ୍ତି । କାରଣ ବର୍ଷା ଯୋଗୁଁ ସେମାନଙ୍କ ଧାନ ମଣ୍ଡିରେ ପଡି ଭିଜୁଛି । ଜିଲ୍ଲାର ୧୩୫ମଣ୍ଡିରୁ ୧୩୧ ମଣ୍ଡିରେ ଏବର୍ଷ ଧାନ କିଣା ହେଉଛି । ଏହାଭିତରୁ ମାତ୍ର ୬ଟି ମଣ୍ଡିରେ ସେଡ ବ୍ୟବସ୍ଥା ଥିବାବଳେ ବାକି ମଣ୍ଡିରେ ଖୋଲା ଆକାଶ ତଳେ ଧାନ ପଡି ରହିଛି । ମୌସୁମୀ ଆଗମନରେ ଭିଜା ଧାନକୁ ନେଇ ମିଲର ଶୋଷଣ ଆହୁରି ବଢିବ ବୋଲି କଳାହାଣ୍ଡିର ଚାଷୀ ଅଭିଯୋଗ କରିଛନ୍ତି ।
ସେପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବି ବର୍ଷା ଜାରି ରହିଛି । ଲଘୁଚାପ ମୌସୁମୀକୁ ସକ୍ରିୟ କରିଛି । ବରଗଡ , ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, , କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ଆଂଶିକ ଭାବେ ପ୍ରବେଶ କରିଥିବା ବେଳେ ବାକି ଜିଲ୍ଲାରେ ପ୍ରବେଶ କରିସାରିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ସଂପୂର୍ଣ୍ଣ ସକ୍ରିୟ ହେବା ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।