ଜୁନ୍ ୬ରେ କେରଳ ଛୁଇଁପାରେ ମୌସୁମୀ ; ୧୫ ବେଳକୁ ଛୁଇଁପାରେ ଓଡିଶା, ରାଜ୍ୟର ଲାଗିରହିବ କାଳବୈଶାଖୀ ବର୍ଷା
1/06/2019 at 9:48 AM

ଭୁବନେଶ୍ବର ୧|୬: ମୌସୁମୀ ଜୁନ୍ ୬ରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମେ’ ୧୮ରେ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଥିଲା। ତେବେ ପ୍ରତିକୂଳ ପରିସ୍ଥିତି ଯୋଗୁ ଏହା ଆଗକୁ ବଢ଼ି ପାରି ନାହିଁ। ଏବେ ଆଣ୍ଡାମାନରେ ପ୍ରବଳ ବର୍ଷା ହେଉଛି । ମୌସୁମୀ ଆସିବାରେ ବିଳମ୍ବ ହେଉଥିଲେ ମଧ୍ୟ ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ଏଥର ଦେଶରେ ସ୍ୱାଭାବିକ ବୃଷ୍ଟିପାତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍ ’ ଆକଳନ କରିଛି, ୭ ତାରିଖରେ ମୌସୁମୀ କେରଳ ଛୁଇଁବ। ଏଥିରେ ଗୋଟିଏ ବା ଦୁଇ ଦିନ ଆଗ ପଛ ହୋଇପାରେ । ପୂର୍ବାନୁମାନ ଅନୁଯାୟୀ ମୌସୁମୀ ଗତି କଲେ ୧୫ ତାରିଖ ବେଳକୁ ଓଡିଶା ଛୁଇଁପାରେ । ଓଡ଼ିଶାରେ ରଜ ଆଗରୁ ବର୍ଷା ହେବାର ସମ୍ଭାବନା କମ୍ ।
ତେବେ ୭ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ଯଦି ଲଘୁଚାପରେ ପରିଣତ ହୁଏ ଓ ଉପକୂଳ ମୁହାଁ ହୁଏ ତେବେ ଓଡ଼ିଶାରେ ରଜ ପୂର୍ବରୁ ବର୍ଷା ହେବ। ନଚେତ୍ ବିଳମ୍ବ ହେବ । ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା କମିଛି ।