ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ୧୬ ଯାଏଁ ପାଗ ମେଘୁଆ, ହେବ ବିକ୍ଷିପ୍ତ ବର୍ଷା

Published By : Prameya-News7 Bureau | June 14, 2021 IST

ଭୁବନେଶ୍ୱର,୧୪/୦୬: ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର ରାଜ୍ୟକୁ ଛୁଇଁଛି । ମୌସୁମୀ ୧୦ ତାରିଖରୁ ଦକ୍ଷିଣ ଓଡ଼ିଶାକୁ ଛୁଇଁଥିଲା ବେଳେ ରବିବାର ସାରା ଓଡ଼ିଶାକୁ ଛୁଇଁଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତେବେ ମୌସୁମୀ ପ୍ରଭାବରେ ଯେମିତି ବର୍ଷା ହେବା କଥା ରାଜ୍ୟରେ ସେଭଳି ବର୍ଷା ହୋଇନି । ବିଶେଷ ବର୍ଷାର ସମ୍ଭାବନା ନଥିବା ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ପୂର୍ବରୁ ରାଜ୍ୟରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଥିଲା । ମାତ୍ର ଜଳସମ୍ପଦ ବିଭାଗ ପକ୍ଷରୁ ରାଜ୍ୟରେ ବନ୍ୟା ସମ୍ଭାବନା ନଥିବା କୁହାଯାଇଛି । କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇଛି।

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶାରେ ଥିବା ଲଘୁଚାପ ବିହାର ଓ ପୂର୍ବ ଉତ୍ତର ପ୍ରଦେଶ ଆଡେ ମୁହାଁଉଛି। ଏହା ମଧ୍ୟ ଓଡ଼ିଶା ନିକଟରେ ଅଧିକ ଘନୀଭୂତ ହେବ ନାହିଁ । ଆକଳନ କରାଯାଉଛି ଯେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବ। ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ହେବ ।

ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ସହିତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଭାରୀ ବର୍ଷା ହେବ । ଭୁବନେଶ୍ୱର, ପୁରୀ ଓ କଟକରେ ୧୬ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି । ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ମଧ୍ୟ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତେବେ ଲଘୁଚାପଜନିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବନି ବୋଲି ଡ. ସାହୁ ଆକଳନ କରିଛନ୍ତି ।

ଅପରପକ୍ଷେ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଉଭୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କଟକ, ବରଗଡ଼ ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବା ପାଇଁ ଧୀବରମାନଙ୍କୁ ବାରଣ କରାଯାଇଛି । ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ବା ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି ।

ରବିବାର ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ପୁରୀରେ ୧୧ ମିଲିମିଟର, ଅନୁଗୁଳରେ ୯ ମିଲିମିଟର, ଚାନ୍ଦବାଲିରେ ୭ ମିଲିମିଟର ଓ କଟରେ ୫ ମିଲିମିଟର ବର୍ଷା ହୋଇଥିଲା । ତେବେ ଆଜି ସକାଳ ୮ଟା ୩୦ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରେ ୯୮ ମିଲିମିଟର, କେନ୍ଦୁଝରରେ ୮୧ ମିଲିମିଟର, କଟକରେ ୪୧ ମିଲିମିଟର, କୋରାପୁଟରେ ୨୮ ମିଲିମିଟର ଓ ରାୟଗଡ଼ାରେ ୨୦ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.