ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିପାରେ

Published By : Prameya-News7 Bureau | June 12, 2020 IST

ଭୁବନେଶ୍ବର ୧୨।୬:  ଓଡିଶାରେ ପ୍ରବେଶ କରିଛି ମୌସୁମୀ । ପ୍ରଥମେ ଦକ୍ଷିଣ ଓଡିଶାରେ ପାଦ ଥାପିଛି । ମାଲକାନଗିରି, କୋରାପୁଟ ଜିଲ୍ଲା ସହ ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତିର କିଛି ଅଞ୍ଚଳରେ ପହଞ୍ଚିଛି ମୌସୁମୀ ।  ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର ବାକି ଅଞ୍ଚଳ ସହ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଅଛି । ମୌସୁମୀ ଆସିଲେ ମଧ୍ୟ ରାଜ୍ୟରେ ଆଶାନୁଯାୟୀ ବର୍ଷା ହୋଇନାହିଁ । ଶୁକ୍ରବାର ଅପରାହ୍ନ ପରେ ବର୍ଷା ପ୍ରାୟତଃ କମିଯିବ । ୧୬ ତାରିଖ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ବୁଧବାର ରାତିରୁ ରାଜ୍ୟରେ ପାଗ ବଦଳିଛି । ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନେକ ସ୍ଥାନରେ ଅସରାଏ ଲେଖାଏଁ ଅଳ୍ପ ଅଳ୍ପ ବର୍ଷା ହୋଇଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭରସିଟିର ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ପୂର୍ବ ଆକଳନ ଅନୁଯାୟୀ ଗୁରୁବାର ମୌସୁମୀ ଓଡିଶାରେ ପ୍ରବେଶ କରିଛି । ଦକ୍ଷିଣ ଓଡିଶାର କେତେକ ଅଞ୍ଚଳକୁ ଛୁଇଁଛି । ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ଅଞ୍ଚଳ କିମ୍ବା ସମଗ୍ର ରାଜ୍ୟରେ ପହଞ୍ଚିପାରେ ମୌସୁମୀ । ଶୁକ୍ରବାର ଅପରାହ୍ନରୁ ବର୍ଷା କମିଯିବ । କାରଣ ଲଘୁଚାପ ଛତିଶଗଡ, ଦକ୍ଷିଣ ମଧ୍ୟପ୍ରଦେଶ ଦେଇ ଗୁଜରାଟ ଆଡକୁ ମୁହାଁଇବ ।

୧୬ ତାରିଖ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ କାଳବୈଶାଖୀ ବର୍ଷା ହୋଇପାରେ । ୧୭ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ପ୍ରଭାବରେ ମୌସୁମୀ ପୁଣି ସକ୍ରିୟ ହେବ । ୧୭ରୁ ୨୦ ତାରିଖ ଭିତରେ ଉତ୍ତର ଓଡିଶାରେ ବିଶେଷ ବର୍ଷା ସମ୍ଭାବନା ଅଛି ।

ପାଣିପାଗ ବିଭାଗ କହିଛି, ଶୁକ୍ରବାର ଦକ୍ଷିଣ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ନବରଙ୍ଗପୁର ଓ ନୂଆପଡାର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ବାସଙ୍କ କହିବା ଅନୁଯାୟୀ ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳ ପାଖରେ ଅଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଅନୁମାନ କରାଯାଉଛି, ଶୁକ୍ରବାର ରାଜ୍ୟର ଆହୁରି କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବ । ଏବେ ମୌସୁମୀ ସ୍ବାଭାବିକ ଅଛି । ହେଲେ ୧୩ରୁ କ୍ରମଶଃ ବର୍ଷା ପରିମାଣ କମିବ ।

ବୁଧବାରରୁ ଗୁରୁବାର ସକାଳ ୮ଟା ୩୦ ମଧ୍ୟରେ (୨୪ ଘଣ୍ଟାରେ) ୧୨.୬ ମିଲିମିଟର, ଦାରିଙ୍ଗିବାଡ଼ିରେ ୫୪ ମିମି, ଫୁଲବାଣୀରେ ୧୨.୨, ପାରଳାଖେମୁଣ୍ଡିରେ ୨୩, ରାୟଗଡ଼ାରେ ୨୪, ଛତ୍ରପୁରରେ ୧୦, ଭୁବନେଶ୍ୱରରେ ୯.୯, ବାରିପଦାରେ ୭.୮, ପାରାଦୀପରେ ୬.୨, ବାଲେଶ୍ୱରରେ ୪.୫, ବଲାଙ୍ଗିରରେ ୨୨, କୋରାପୁଟରେ ୩.୪, ମାଲକାନଗିରିରେ ୩.୧ ମିମି ବର୍ଷା ହୋଇଛି । ଆଜି ସକାଳ ସାଢ଼େ ୮ଟାରୁ ଅପରାହ୍ନ ୫ଟା ୩୦ ସୁଦ୍ଧା ଦାରିଙ୍ଗିବାଡ଼ିରେ ୨୫ ମିଲିମିଟର ବର୍ଷା ହୋଇଥିବାବେଳେ ସମ୍ବଲପୁରରେ ୧୦ ମିମି, ବାରିପଦାରେ ୧୦.୨, ବାଲେଶ୍ବର, ଚାନ୍ଦବାଲି, କଟକରେ ୪ ମିମି ଲେଖାଏଁ, ଭୁବନେଶ୍ବରରେ ୬.୮ ମିମି, ଭବାନୀପାଟଣାରେ ୩.୪, ରାୟଗଡାରେ ୯, ବୌଦ୍ଧରେ ୭, କେନ୍ଦୁଝରରେ ୫, କୋରାପୁଟରେ ୨, ସୋନପୁରରେ ୨ ମିମି ବର୍ଷା ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.