Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫେରିଯିବ ମୌସୁମୀ, ଆଶାଠୁ ଅଧିକ ୧୦ ପ୍ରତିଶତ ହୋଇଛି ଅଧିକ ବର୍ଷା

ନୂଆଦିଲ୍ଲୀ :  ଚଳିତବର୍ଷ ଭାରତୀୟ ଭୂ-ଭାଗକୁ ମୌସୁମୀ ଆଗମନରେ ସାମାନ୍ୟ ବିଳମ୍ବ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ସାମାନ୍ୟ ବିଳମ୍ବରେ ପହଞ୍ଚିଥିଲେ ବି ନିରାଶ କରିନି ମୌସୁମୀ। ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ। ଚଳିତବର୍ଷ ଆଶାଠାରୁ ଅଧିକ ୧୦ ପ୍ରତିଶତ ବର୍ଷା ହୋଇଥିବା ବେଳେ ସ୍ଥାନେ ସ୍ଥାନେ ଅତ୍ୟାଧିକ ବର୍ଷା ବନ୍ୟାର କାରଣ ପାଲଟିଥିଲା। ଚଳିତବର୍ଷ ମୌସୁମୀ ନିର୍ଦ୍ଧାରିତ ସମୟର ୨୦ ଦିନ ପରେ ସାରା ଦେଶରୁ ଅପସରି ଯାଉଥିବା ନେଇ ପାଣିପାଗ ବିଭାଗଙ୍କ ସୂଚନାରୁ ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ୨୦ ତାରିଖ ସୁଦ୍ଧା ସାରା ଦେଶରୁ ମୌସୁମୀ ଅପସରିଯାଇଥିବ। ଏଣୁ ଦେଶର ଅନେକ ଅଞ୍ଚଳରୁ ଏବେ ମୌସୁମୀ ଫେରିସାରିଥିବା ଜଣାପଡିଛି। ପୂର୍ବାନୁମାନ ଅନୁସାରେ ଓଡିଶାରୁ ଅକ୍ଟୋବର ୧୫ ତାରିଖରେ ମୌସୁମୀର ଅପସାରଣ ହେଉଥିବା ବେଳେ ଅନ୍ୟ ଅଞ୍ଚଳରୁ ମଧ୍ୟ ୨୦ ତାରିଖ ବେଳକୁ ଫେରିଯାଇଥିବ।

ମୌସୁମୀ ଆଗମନରେ (ଜୁନମାସରେ) ବର୍ଷାର ପ୍ରତିଶତ ନିରାଶାଜନକ ଥିଲା। ଏଣୁ ଚାଷୀଙ୍କ ସମେତ ଲୋକଙ୍କ ମଧ୍ୟରେ ଭଲ ବର୍ଷା ନେଇ ଆଶଙ୍କା ଦେଖା ଦେଇଥିବା ବେଳେ ସେପ୍ଟେମ୍ବର ମାସ ବେଳକୁ ଅନେକ ରାଜ୍ୟରେ ବର୍ଷାର ପରିମାଣ ବଢିଥିଲା। ଫଳରେ ବର୍ଷା ପରିମାଣ ନେଇ ଥିବା ଲୋକଙ୍କ ଚିନ୍ତା ଦୂର ହୋଇଥିଲା। ହେଲେ ଅଧିକ ବର୍ଷା ଯୋଗୁ ସମଗ୍ର ଉତ୍ତର ଭାରତରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପଶ୍ଚିମ ଭାରତରେ ବର୍ଷା ଦିନ ଦିନ ଧରି ଆର୍ଥିକ ରାଜଧାନୀ ମୁମ୍ବାଇକୁ ଅଚଳ କରିଥିଲା। ସାଧାରଣତଃ ସେପ୍ଚେମ୍ବର ୩୦ ତାରିଖ ସୁଦ୍ଧା ଦେଶରୁ ମୌସୁମୀର ଅପସାରଣ ହୋଇଥାଏ। ହେଲେ ଚଳିତବର୍ଷ ବିଳମ୍ବ ମୌସୁମୀ ଯୋଗୁ ୨୦ ଦିନ ପରେ ଅର୍ଥାତ ଅକ୍ଟୋବର ୨୦ରେ ଭାରତ ଛାଡିବ।

184 Views

   ସମ୍ବନ୍ଧିତ ଖବର