ପ୍ରବଳ ବର୍ଷା ଯୋଗୁଁ ପାକିସ୍ତାନର କରାଚି ସହରର ଅବସ୍ତା ବେହାଲ, ବର୍ତ୍ତମାନ ସୁଦ୍ଧା ୪୨ ମୃତ

Published By : Prameya-News7 Bureau | August 14, 2019 IST

କରାଚୀ୧୪|୮: ମୌସୁମୀ ବର୍ଷାରେ ପାକିସ୍ତାନର ସବୁଠୁ ବଡ ସହର କରାଚିରେ ବେହାଲ ହୋଇପଡିଛି । ବର୍ଷା କାରଣରୁ ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ ୪୨ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଲିଛି । ସମଗ୍ର ସହର ଜଳବନ୍ଦୀ ହୋଇ ରହିଥିବାବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡିଛି ।

ଶନିବାରଠାରୁ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି । କେବଳ ଦକ୍ଷିଣ ସିନ୍ଧ ପ୍ରଦେଶରେ ୨୮ଜଣଙ୍କ ମୃତ୍ୟୁ ହୋଇଥିବା ପାକିସ୍ତାନ ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି । ଜୁଲାଇ ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷାରେ ବର୍ତ୍ତମାନ ସୁଦ୍ଧା ୪୨ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସରକାରୀଭାବେ କୁହାଯାଇଛି ।

କରାଚି ମହାନଗର ନିଗମର ମେୟର ୱାସିମ ଅକ୍ତର କହିଛନ୍ତି ଯେ, ବିଦ୍ୟୁତ ଦୁର୍ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିପାଇଁ ସେ ପାକିସ୍ତାନ ଇଲେକ୍ଟ୍ରିକ ବିଭାଗକୁ ଦାୟୀ କରିଛନ୍ତି । ବିଦ୍ୟୁତ ଆଘାତରେ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ଦାୟର ହୋଇଛି ବୋଲି ମଧ୍ୟ ସେ କହିଛନ୍ତି ।

 ସୂଚନାଯୋଗ୍ୟ ଯେ, କରାଚି ଡିଫେନ୍ସ ହାଉସିଂ କଲୋନୀରେ ବିଦ୍ୟୁତ ଖୁଣ୍ଟ ଛୁଇଁବା କାରଣରୁ ୩ଜଣ ସାଙ୍ଗଙ୍କ ଏକକାଳୀନ ମୃତ୍ୟୁ ହୋଇଥିଲା । ସେହିଭଳି ଜେନେରେଟର ଡିଜେଲ ଧୂଆଁରେ ଶ୍ବାସ ରୁଦ୍ଧ ହୋଇ ଗୋଟିଏ ପରିବାରର ୪ଭାଇଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.