ପୁଣି ସକ୍ରିୟ ହେଲା ମୌସୁମୀ, ଅନେକ ଅଞ୍ଚଳ ଜଳମଗ୍ନ

Published By : Prameya-News7 Bureau | September 14, 2021 IST

ନୂଆଦିଲ୍ଲୀ ୧୪।୯: ଦେଶର ଅନେକ ଅଞ୍ଚଳ ଉପରେ ଏବେ ମୌସୁମୀ ସକ୍ରିୟ। ଏଣୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ  କେତେକ ସ୍ଥାନରେ ଅତିବୃଷ୍ଟି ଏବେ ସମସ୍ୟାର କାରଣ ପାଲଟିଛି। ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗର ଓ ଗୁଜରାଟରେ ସୃଷ୍ଟି ହୋଇଥିବା ଲଘୁଚାପ ପାଣିପାଗରେ ପରିବର୍ତ୍ତନ ଆଣିଛି। ଫଳରେ ମୌସୁମୀ ପୁଣି ସକ୍ରିୟ ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛନ୍ତି।  

ଆଇଏମଡିଙ୍କ ସୂଚନା ଅନୁସାରେ ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ  ସୋମବାର ଅବପାତରେ ପରିଣତ ହୋଇ ଭୂ-ଭାଗକୁ ପ୍ରବେଶ କରିବା ସହ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥିଲା। ତାହା ଏବେ ଉତ୍ତର ଛତିଶଗଡ଼ ଓ ସଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଛି। ଏଣୁ ପ୍ରଭାବରେ ବର୍ଷା ଲାଗି ରହିଛି। ଏହା ଆଗାମୀ ୨୪ ଘଣ୍ଟାରେ କ୍ରମଶଃ ଦୁର୍ବଳ ହୋଇ ୱେଲମାର୍କଡ ଲୋପ୍ରେସର ( ଡବ୍ଲୁଏଲଏମପି)ରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି।

{"id":511407,"sizeSlug":"large","linkDestination":"none"}

ଲଘୁଚାପ ପରବର୍ତ୍ତି ୪୮ ଘଣ୍ଟାରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ମଧ୍ୟପ୍ରଦେଶକୁ ଅଗ୍ରସର ହେବ। ତେବେ ଅବପାତ ଏବେ ଛତିଶଗଡ ଅମ୍ବିକା ପୁରର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୮୦ କିଲୋମିଟର ଦୂରରେ ଥିବା ବେଳେ ରାୟପୁରରୁ ୧୯୦ କିଲୋମିଟର ଦୂର ପୂର୍ବ-ଉତ୍ତର-ପୂର୍ବ ଦିଗରେ ରହିଛି। ସେପଟେ ସୋମବାର ଗୁଜରାଟ ଓ ପଡୋଶୀ ଅଞ୍ଚଳ ଉପରେ କେନ୍ଦ୍ରିତ  ଲଘୁଚାପ କ୍ରମଶଃ ଦୁର୍ବଳ ହୋଇଯାଇଛି। ତେବେ ଏହା ସହ ଥିବା ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ଗୁଜୁରାଟରେ ସକ୍ରିୟ ଅଛି।

ମୌସୁମୀ ତାର ନିୟମିତ ସ୍ଥାନ ଦକ୍ଷିଣରେ ସ୍ୱଭାବିକ ଥିବା ବେଳେ ଆଗାମୀ ୩-୪ଦିନରେ ପୁଣି ନିୟମିତ ସ୍ଥାନର ଦକ୍ଷିଣରେ ରହିବା ନେଇ ଆଇଏମଡି ଆକଳନ କରୁଛନ୍ତି। ଏଣୁ ଛତିଶଗଡ଼, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଆକଳନ କରାଯାଉଥିବା ବେଳେ କେତେକ ସ୍ଥାନରେ ଭୀଷଣରୁ ଭୀଷଣ ବର୍ଷା ନେଇ ସତର୍କ କରାଇଛନ୍ତି।

{"id":511408,"width":840,"height":698,"sizeSlug":"full","linkDestination":"none"}

ସେହିପରି ଉତ୍ତର କୋଙ୍କଣ, ଉତ୍ତର ମଧ୍ୟ ମହାରାଷ୍ଟ୍ର, ଗୁଜରାଟ, ପୂର୍ବ ରାଜସ୍ଥାନ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଓ କେତେକ ସ୍ଥାନରେ ଅତ୍ୟାଧିକ ବର୍ଷାର ଆକଳନ କରାଯାଉଛି। ଏହି ସମୟରେ ଉତ୍ତର-ପଶ୍ଚିମ ଭାରତ, ହରିୟାଣା, ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ ରେ ସେପ୍ଟେମ୍ବର ୧୬ ପରେ ବର୍ଷା ବୃଦ୍ଧି ନେଇ ମଧ୍ୟ ଆଇଏମଡି ଆକଳନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.