ଭାରତରେ ବି ଦେଖାଦେଲା ‘ରହସ୍ୟମୟ ଖୁଣ୍ଟ’, ଅହମ୍ମଦାବାଦର ପାର୍କରେ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ, ପୂର୍ବରୁ ୩୦ଟି ଦେଶରେ ଦେଖା ଦେଇ ଉଭାନ ହୋଇଛି ‘ମୋନୋଲିଥ୍’
2/01/2021 at 2:59 PM

ଅହମ୍ମଦାବାଦ,୦୨/୦୧: ସାରା ବିଶ୍ୱବାସୀଙ୍କୁ ଚକିତ କରିଥିବା ରହସ୍ୟମୟ ଖୁଣ୍ଟ ବା ମୋନୋଲିଥ୍ ଏବେ ଭାରତରେ ଦେଖିବାକୁ ମିଳିଛି । ଗୁଜୁରାଟ ଅହମ୍ମଦାବାଦର ସିମ୍ଫୋନୀ ଫରେଷ୍ଟ ପାର୍କରେ ଏହା ନଜର ଆସିଛି । ଏଠାରେ ଦେଖାଦେଇଥିବା ମୋନୋଲିଥ୍ ଷ୍ଟିଲର ଏକ ଧାତୂ ଭଳି ଦେଖିବାକୁ ମିଳିଛି । ଏହାର ଉଚ୍ଚତା ୬ ଫୁଟରୁ ଅଧିକ ହେବ । ଏହା ମାଟିରୁ ବାହାରିବା ଭଳି ଲାଗୁଛି । କିନ୍ତୁ ମାଟି ଖୋଲିବା ଭଳି କୌଣସି ଚିହ୍ନ ନାହିଁ । ଏହାବ୍ୟତୀତ ଅନେକ ରହସ୍ୟମୟ କଥା ସାମ୍ନାକୁ ଆସିଛି ।
ଏହି ମୋନୋଲିଥ୍ ଏବେସୁଦ୍ଧା ୩୦ଟି ଦେଶରେ ଦେଖିବାକୁ ମିଳିଛି । ସର୍ବପ୍ରଥମେ ଏହା ଆମେରିକାର ୟୁଟା ମରୁଭୂମିରେ ଦୃଶ୍ୟମାନ ହୋଇଥିଲା । ପରେ ଏହା ରୋମାନିଆ, ଫ୍ରାନ୍ସ, ପୋଲାଣ୍ଡ, ବ୍ରିଟେନ୍ ଆଦି ଦେଶରେ ନଜର ଆସିଥିଲା । ଏହାକୁ ନେଇ ଅନେକ କାହାଣୀ ସାମ୍ନାକୁ ଆସିଛି । କିଛି ଲୋକ ଏହାକୁ ଏଲିଅନଙ୍କ କାମ ବୋଲି କହୁଛନ୍ତି । ଭାରତରେ ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।
ଅହମ୍ମଦାବାଦ ପାର୍କରେ ବର୍ଷ ସାରା କାମ କରୁଥିବା ଆସାରାମ ଆଶ୍ଚର୍ଯ୍ୟ କଲା ଭଳି କଥା କହିଛନ୍ତି । ସେ କହିଛନ୍ତି ଯେ, ସନ୍ଧ୍ୟାରେ ସେ କାମ ସାରି ଘରକୁ ଗଲା ବେଳେ ଏପରି କିଛି ନଥିଲା । କିନ୍ତୁ ସକାଳେ ଆସିଲା ବେଳକୁ ଖମ୍ବଟି ରହିଥିଲା । ଏହାପରେ ସେ ଉଦ୍ୟାନ ମ୍ୟାନେଜରଙ୍କୁ ଏନେଇ ସୂଚନା ଦେଇଥିଲେ ।
ଏହି ଖମ୍ବ କେଉଁଠି ଆସିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏହା ଷ୍ଟିଲରେ ନିର୍ମିତ । ଏହାର ଆକାର ତ୍ରିକୋଣୀୟ ରହିଛି । ଏଥିରେ କିଛି ନମ୍ବର ଲେଖାଯାଇଛି । ଲୋକମାନେ ଏହାସହ ଫଟୋ ମଧ୍ୟ ଉଠାଉଛନ୍ତି ।
ସୂଚନାଯୋଗ୍ୟ, ପ୍ରଥମେ ଆମେରିକାର ୟୁଟାରେ ଏହା ଦେଖିବାକୁ ମିଳିଥିଲା । ଜଣେ ହେଲିକପ୍ଟରର ପାଇଲଟ୍ ଏହାକୁ ପ୍ରଥମେ ଦେଖିଥିଲେ । ଲୋକମାନେ ଏହାକୁ ୧୯୬୮ରେ ଆସିଥିବା ପିଲ୍ମ ୨୦୦୧. ସ୍ପେସ୍ ଓଡିସି ମୋନୋଲିଥ୍ ଫଟୋ ସହ ଯୋଡିକରି ଦେଖୁଛନ୍ତି ।