କରୋନା ଉପଚାରରେ ସଫଳ ହେଉଛି 'ମନୋକ୍ଲୋନଲ ଏଣ୍ଟିବଡି କକ୍‌ଟେଲ୍ ଥେରାପି', ଜାଣନ୍ତୁ ଆକ୍ରାନ୍ତଙ୍କ ଠାରେ କିପରି ଦେଖାଉଛି ପ୍ରଭାବ

Published By : Prameya-News7 Bureau | May 27, 2021 IST

ଗୁରୁଗ୍ରାମ: ଆମେରିକା ଭଳି ଭାରତରେ ମଧ୍ୟ କରୋନା ଚିକିତ୍ସାରେ  କକଟେଲ ଔଷଧର ଉପଯୋଗ ହେଲାଣି। ତେବେ ଦେଶର ଚିକିତ୍ସା କ୍ଷେତ୍ରରେ ଏପରି ଉପଚାର ପଦ୍ଧତୀ ନୂଆକରି ଆରମ୍ଭ ହୋଇଛି। ୨ ଦିନ ପୂର୍ବେ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଜନୈକ ୮୪ ବର୍ଷ ବୟସ୍କ କମୋର୍ବିଟିଜ୍ ରୋଗୀଙ୍କ ଠାରେ ଏହି ନୂଆ ଚିକିତ୍ସା ପଦ୍ଧତୀର ଉପଯୋଗ ହୋଇଛି। କକଟେଲ ଔଷଧର ଅର୍ଥ ହେଲା ଦୁଇଟି ଔଷଧକୁ ମିଶ୍ରଣ କରି ପ୍ରସ୍ତୁତ ନୂଆ ଔଷଧ। ଏହାକୁ ଡାକ୍ତରୀ ଭାଷାରେ ‘ମନୋକ୍ଲୋନଲ ଏଣ୍ଟିବଡି ଥେରାପି’ ବୋଲି କୁହାଯାଏ।

ଏପରି ଔଷଧର ଉପଯୋଗରେ ରୋଗର ଜଟିଳତା ଓ ରୋଗୀଙ୍କ ମୃତ୍ୟୁ ଆଶଙ୍କା ପ୍ରାୟ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୁଏ ବୋଲି ଡାକ୍ତରମାନେ ଦାବି କରୁଛନ୍ତି। ଆମେରିକା ଓ ୟୁରୋପ ଏପରି ଚିକିତ୍ସାକୁ ଅନେକ ପୂର୍ବରୁ ମଞ୍ଜୁରି ମିଳିଛି। ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ଚିକିତ୍ସାରେ ଏହି ପଦ୍ଧତୀର ଉପଯୋଗ ହୋଇଥିଲା। ଫଳରେ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇପାରିଥିଲେ ବୋଲି ତାଙ୍କ ଚିକିତ୍ସକମାନେ ଦାବି କରିଥିଲେ।

{"id":457835,"sizeSlug":"large","linkDestination":"none"}

ଭାରତରେ ଏବେ ମେଦାନ୍ତ ହସ୍ପିଟାଲ ଏପରି ଚିକିତ୍ସା ବ୍ୟବସ୍ଥା ଉପଯୋଗ କରୁଛନ୍ତି। ଏ ବାବଦେ ମେଦାନ୍ତ ସଂସ୍ଥାପକ ଡା. ନରେଶ ତ୍ରେହାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଖାସ କରୋନା ଉପଚାର ଲାଗି ଏହା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏକ ଔଷଧ। ଏହାକୁ ବାୟୋଟେକ୍ନୋଲଜି ଲ୍ୟାବରେ ପ୍ରସ୍ତୁତ କରାଯାଇଛି। ଦୁଇଟି ଔଷଧରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ଡୋଜ ରୋଗୀକୁ ଦିଆଗଲେ ଶରୀରରେ ଭାଇରସକୁ ରୋକିଦେଇଥାଏ। ଏଣୁ କେହି କରୋନା ସଂକ୍ରମିତ  ହୁଅନ୍ତି ତାଙ୍କୁ ପ୍ରଥମ ୭ ଦିନରେ ଏହି ଔଷଧ ଦିଆଗଲେ ଉତ୍ତମ ପରିଣାମ ମିଳୁଥିବା ଡା. ତ୍ରେହାନ କହିଛନ୍ତି।

ଏପରି ଔଷଧ ନେଇ ଆମେରିକା ଓ ୟୁରୋପରେ ଅନେକ ଅଧ୍ୟୟନ ହେଲାଣି ବୋଲି ଡା. ତ୍ରେହାନ କହିଛନ୍ତି। ବୟସ୍କ ଅଥବା ଯେଉଁମାନଙ୍କଠାରେ ଜଟିଳ ରୋଗ ରହିଛି ଅଥବା କରୋନାରେ ଯେଉଁମାନଙ୍କ ଲାଗି ଅଧିକ ବିପଦ ରହିଛି ସେମାନଙ୍କ କ୍ଷେତ୍ରରେ ଏପରି ଥେରାପି ବେଶ ଫଳପ୍ରଦ ହେଉଥିବା ଦେଖାଯାଉଛି ବୋଲି ସେ କହିଛନ୍ତି। ଯଦି ଭାରତକୁ ଆଉ କିଛି ସମୟ ପୂର୍ବରୁ ଏପରି ଚିକିତ୍ସା ଆସି ପାରିଥାନ୍ତା ତେବେ କରୋନା ଦ୍ୱିତୀୟ ଲହରରେ ଅନେକ ଲୋକଙ୍କ ପ୍ରାଣରକ୍ଷା ହୋଇପାରିଥାନ୍ତା ବୋଲି ଡା. ତ୍ରେହାନ କହିଛନ୍ତି।

{"id":457836,"width":839,"height":553,"sizeSlug":"large","linkDestination":"none"}

ତେବେ ଏପରି ଉପଚାର ସ୍ପେସିଆଲାଇଜଡ ପ୍ରୋସେସ୍‌ରେ ହେଉଥିବାରୁ ଖୁବ୍ କମ୍‌ ହସ୍ପିଟାଲରେ ଏହା ମିଳିପାରୁଛି। ଭାରତରେ କେବଳ ମେଦାନ୍ତ ଏବେ ଏପରି ଚିକିତ୍ସା ସେବା ଯୋଗାଇ ଦେଇପାରୁଛନ୍ତି। ରୋଗୀଙ୍କୁ ଏହି ଔଷଧ ଦିଆଯିବା ପରେ୧ ଘଣ୍ଟା ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖା ଯାଉଛି। ଔଷଧର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଆସୁ ନଥିବା ସ୍ପଷ୍ଟ ହେବା ପରେ ଡାକ୍ତର ରୋଗୀଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ ଅନୁମତି ଦେଉଛନ୍ତି। ତେବେ ଏପରି ଉପଚାର ରୋଗୀଙ୍କଠାରେ ସେପରି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଉ ନାହିଁ ବୋଲି ଡା. ତ୍ରେହାନ କହିଛନ୍ତି। ଯାହାବି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି ତାହା ବି ଖୁବ୍ କମ୍‌ ଲୋକଙ୍କ ଠାରେ।

ଏହି ଔଷଧ ଏକ ଷ୍ଟାଣ୍ଡାର୍ଡ ଡୋଜର ଇଞ୍ଜେକ୍ସନ ସହ ସମାନ। ଏପରି ଉପଚାର ୧୨ ବର୍ଷ ବୟସରୁ ଊର୍ଦ୍ଧ୍ୱ ଓ ଯେଉଁମାନଙ୍କ ଓଜନ ୪୦ କେଜିରୁ ଅଧିକ ସେମାନଙ୍କଠାରେ ମଧ୍ୟ ପ୍ରୟୋଗ କରାଯାଇପାରେ। ଭାରତରେ ଏପରି ଔଷଧର ମୂଲ୍ୟ ଏବେ ଗୋଟିଏ ଡୋଜ ଲାଗି ୬୦ରୁ ୬୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ଯଦି ଔଷଧ ଅଧିକ ଉପଲବ୍ଧ ହେବ ତେବେ ମୂଲ୍ୟ ଆହୁରି ହ୍ରାସ ହୋଇପାରେ ବୋଲି ଡା.ତ୍ରେହାନ କହିଛନ୍ତି। ତେବେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଆଡମିଶନ ଲାଗି ଯେତିକି ବ୍ୟୟ ହେଉଛି ତାଠାରୁ ମଧ୍ୟ ଏହି ଔଷଧର ମୂଲ୍ୟ ଢେର କମ୍‌ ବୋଲିସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.