୨୪ ଘଣ୍ଟାରେ ୧୫୫୩ଟି କୋଭିଡ-୧୯ କେସ, ଲକଡାଉନ ସମୟରେ ଗୋଟିଏ ଦିନରେ ଦେଶରେ ସର୍ବାଧିକ
21/04/2020 at 10:43 AM

ନୂଆଦିଲ୍ଲୀ, ୨୧|୦୪: ସାରା ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମେ ୩ ତାରିଖ ଯାଏଁ ଲକଡାଉନ ଘୋଷଣା କରାଯାଇଛି । ଏହା ସତ୍ତ୍ୱେ କରୋନା ଭାଇରସ ରୋକିବାର ନା ନେଉ ନାହିଁ । ପ୍ରତିଦିନ ଶହ ଶହ କେସ୍ ସାମ୍ନାକୁ ଆସୁଛି ।ରବିବାରଠାରୁ ସୋମବାର ମଧ୍ୟରେ ଦେଶରେ ୧୫୫୩ଟି ମାମଲା ସାମ୍ନାକୁ ଆସିଛି । ଯାହା ଗୋଟିଏ ଦିନରେ ଦେଶରେ ଆସିଥିବା ସର୍ବାଧିକ ମାମଲା । ଏହାସହ ସୋମବାର ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୧୭ ହଜାର ଟପିଛି ।
କେନ୍ଦ୍ର ସରକାର ଗତ ମାର୍ଚ୍ଚ ୨୪ ତାରିଖରେ ସଂକ୍ରମଣ ରୋକିବା ପାଇଁ ଏପ୍ରିଲ ୧୪ ଯାଏଁ ସାରା ଦେଶରେ ଲକଡଡାଉନ ଘୋଷଣା କରିଥିଲେ । ଯାହାକୁ ପରେ ମେ ୩ ଯାଏଁ ବୃଦ୍ଧି କରାଯାଇଛି । ଏହି ଲକଡାଉନ ପାଇଁ ଗ୍ରାମରେ ଥିବା ଗରିବ ଓ ଅନ୍ୟ ରାଜ୍ୟରେ ଫସିଥିବା ଶ୍ରମିକମାନେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଯେଉଁ ଶ୍ରମିକମାନେ ବାହାର ରାଜ୍ୟରୁ ପଳାଇ ଆସିଛନ୍ତି ସେମାନଙ୍କୁ ବିଭିନ୍ନ ରାଜ୍ୟ ପ୍ରଶାସନ କ୍ୱାରେଣ୍ଟାଇନରେ ରଖୁଛି ।

ସୋମବାରଠାରୁ ଲକଡାଉନ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । କିଛି ଶିଳ୍ପ ଓ କୃଷକଙ୍କୁ କୃଷିକାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରାଯାଇଛି । ତେବେ କର୍ମଚାରୀମାନଙ୍କୁ ସଚେତନ ରହିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମଧ୍ୟ କୁହାଯାଇଛି ।
ମଙ୍ଗଳବାର ଦେଶରେ ଏହି ମହାମାରୀ ରୋଗୀଙ୍କ ସଂଖ୍ୟା ୧୮ ହଜାର ଅତିକ୍ରମ କରିସାରିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମହାମାରୀ ଯୋଗୁଁ ମୋଟ୍ ୫୯୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୬୦୧କୁ ବୃଦ୍ଧି ହୋଇଛି । ସେହିଭଳି ଏହି ମହାମାରୀ କବଳରୁ ୩୨୫୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।