ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ : ବିଗତ ଦିନର ଅଭିନେତା ରତନ ଚୋପ୍ରାଙ୍କ କ୍ୟାନସରରେ ଦେହାନ୍ତ
14/06/2020 at 4:37 PM

ମୁମ୍ବାଇ ୧୪/୬: ୧୯୭୨ମସିହାରେ ଆସିଥିବା ଫିଲ୍ମ ‘ମୋମ କି ଗୁଡ଼ିଆ’ର ହୀରୋ ରତନ ଓରଫ ରବି ଚୋପ୍ରା(୭୦)ଙ୍କ ପରଲୋକ ହୋଇଯାଇଛି। ଶୁକ୍ରବାର ରାତିରେ ସେ ପଞ୍ଜାବର ମଲେର କୋଟଲାରେ ନିଜ ପୈତୃକ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସେ ଗତ କିଛି ଦିନ ହେବ କ୍ୟାନସରରେ ପୀଡ଼ିତ ଥିଲେ। ତାଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥ ନଥିଲା। ଏହି କାରଣରୁ ସେ ଭଲ ହସ୍ପିଟାଲରେ ନିଜ ଚିକିତ୍ସା କରାଇପାରୁନଥିଲେ।

ତାଙ୍କର ଏପରି ସମୟ ଆସିଯାଇଥିଲା ଯେ ସେ ଦୁଇ ବେଳା ଖାଦ୍ୟ ପାଇଁ କେତେବେଳେ ଗୁରୁଦ୍ବାର ତ କେତେବେଳେ ମନ୍ଦିରରେ ହେଉଥିବା ପ୍ରସାଦ ପାଇଁ ନିର୍ଭର ରହୁଥିଲେ। ସେ ଗତ କିଛି ଦିନ ହେବ ପଞ୍ଚକୁଳାର ସେକ୍ଟର-୨୬ରେ ଭଡ଼ାଘରେ ରହୁଥିଲେ। ଫିଲ୍ମ ଅଭିନେତ୍ରୀ ତନୁଜାଙ୍କ ସହ ରତନ ଚୋପ୍ରା ଫିଲ୍ମ ‘ମୋମ କି ଗୁଡ଼ିଆ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ପୋଷ୍ୟପୁତ୍ରୀ ଅନିତା ତାଙ୍କ ପରଲୋକ ହୋଇଥିବା ସୂଚନା ଦେଇଛନ୍ତି।

ରତନ ଓରଫ ରବି ଚୋପ୍ରାଙ୍କ ପ୍ରକୃତ ନାଁ ଅବଦୁଲ ଜବ୍ବାର ଖାନ୍ ଥିଲା। କୁହାଯାଏ ଯେ ଫିଲ୍ମ ‘ମୋମ କି ଗୁଡ଼ିଆ’ କରିବା ପରେ ତାଙ୍କ ପାଖରେ ୧୦ଟି ଫିଲ୍ମର ଅଫର ଆସିଥିଲା। ଲୋଫର,ଆୟା ସାଓ୍ବନ ଝୁମ କେ ଏବଂ ଜୁଗ୍ଣୁରେ ପରେ ଧର୍ମେନ୍ଦ୍ର ଅଭିନୟ କରିଥିଲେ।

ସେ ତାଙ୍କ ଘର ଲୋକଙ୍କୁ ଅଭିନୟ କରୁଥିବା ବିଷୟରେ ଜଣାଇନଥିଲେ। ତାଙ୍କ ଫିଲ୍ମ ରିଲିଜ ହେବା ପରେ ଜେଜେମା ରାଗି ଯାଇଥିଲେ ଏବଂ ତାଙ୍କୁ ଫିଲ୍ମରେ କାମ କରିବାକୁ ମନା କରି ଦେଇଥିଲେ।
