ମହମ୍ମଦ ସିରାଜଙ୍କ ଖେଳୁଆଡ ମନୋଭାବ ଜିତିଲା ସଭିଙ୍କ ହୃଦୟ, ବିପକ୍ଷ ଖେଳାଳିଙ୍କ ମୁଣ୍ଡରେ ବଲ୍ ବାଜିବାରୁ ବ୍ୟାଟ୍ ଛାଡି ପାଖକୁ ଦୌଡି ଯାଇଥିଲେ
12/12/2020 at 11:00 PM

ସିଡନୀ ୧୨।୧୨: ସିଡନୀରେ ଖେଳାଯାଉଥିବା ତିନି ଦିବସୀୟ ଅଭ୍ୟାସ୍ ମ୍ୟାଚ୍ରେ ପ୍ରଥମ ଦିନରେ ପ୍ରତିଦ୍ଵନ୍ଦୀ ଅଷ୍ଟ୍ରେଲିଆ ଦଳର କ୍ୟାମରୋନ ଗ୍ରୀନଙ୍କ ମୁଣ୍ଡରେ ବଲ୍ ବାଜିଥିଲା। ସେହି ସମୟରେ ନନ ଷ୍ଟ୍ରାଇକ୍ରେ ଥିବା ମହମ୍ମଦ ସିରାଜ ରନ ନେବା ବଦଳରେ ବ୍ୟାଟ୍ ଛାଡି ସିଧା କ୍ୟାମରୋନଙ୍କୁ ଦେଖିବାକୁ ଚାଲିଗଲେ। ତାଙ୍କର ଏହି କାମ ଦେଖି ଅଷ୍ଟ୍ରେଲିଆ ଗଣମାଧ୍ୟମ ସିରାଜଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି। ସେହି ସମୟରେ ଗ୍ରୀନ ବୋଲିଂ କରୁଥିଲେ। ବ୍ୟାଟିଂ କରୁଥିବା ଯଶପ୍ରୀତ ବୁମରା ବଲ୍କୁ ଷ୍ଟ୍ରେଟ୍ ଡ୍ରାଇଭ୍ ସଟ୍ ଖେଳିଥିଲେ। କ୍ୟାଚ୍ ଧରିବା ପ୍ରୟାସରେ ବଲ୍ ଗ୍ରୀନଙ୍କ ହାତରୁ ଖସି ମୁଣ୍ଡର ବାମ ପାର୍ଶ୍ଵରେ ବାଜିଥିଲା।

ସିରାଜ ତୁରନ୍ତ ନିଜର ବ୍ୟାଟ୍ ଛାଡି ଗ୍ରୀନଙ୍କୁ ଦେଖିବାକୁ ଯାଇଥିଲେ। ବୁମରା ମଧ୍ୟ ତାଙ୍କ ସାଥୀ ବ୍ୟାଟସମ୍ୟାନଙ୍କ ପରି ଏମିତି କରିଥିଲେ। ଏହା ପରେ ଗ୍ରୀନଙ୍କୁ କନକସନ କାରଣରୁ ଭାରତ ଓ ଅଷ୍ଟ୍ରେଲିଆ ଏ ମଧ୍ୟରେ ଖେଳାଯାଉଥିବା ତିନି ଦିବସୀୟ ଅଭ୍ୟାସ୍ ମ୍ୟାଚ୍ରୁ ବାଦ୍ ଦିଆଯାଇଛି।

୯ ନ୍ୟୁଜ୍ ଅଷ୍ଟ୍ରେଲିଆ ଟ୍ଵିଟ୍ କରି, ଭାରତୀୟ କ୍ରିକେଟ୍ର ମହମ୍ମଦ ସିରାଜ ମ୍ୟାଚ୍ ସମୟରେ ଯୁବ ଅଲରାଉଣ୍ଡର କ୍ୟାମରନ ଗ୍ରୀନଙ୍କୁ ସାହାଯ୍ୟ କରି ଖେଳୁଆଡ ମନୋଭାବର ପରିଚୟତାକୁ ବେଶ୍ ପ୍ରଶଂସା କରିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ମଧ୍ୟ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡିଛି। ଯେଉଁଥିରେ ଗ୍ରୀନ ଆଣ୍ଠୁ ମାଡି ବସିଥିବା ବେଳେ ସିରାଜ ତାଙ୍କ ପାଖରେ ଛିଡା ହୋଇ ଅବସ୍ଥା ପଚାରି ବୁଝୁଛନ୍ତି।

ସିରାଜଙ୍କ ଏହି ପ୍ରତିକ୍ରିୟାକୁ ଇଣ୍ଟରନେଟ୍ରେ ଖୁବ୍ ପ୍ରଶଂସା କରାଯାଉଛି। କ୍ରିକେଟ୍ ଅଷ୍ଟ୍ରେଲିଆ ଗ୍ରୀନଙ୍କୁ ଡାକ୍ତରୀ ଦଳ ନୀରିକ୍ଷଣରେ ରଖାଯିବା କଥା କହିଛି।