ଅଚିହ୍ନା ମହିଳାଙ୍କୁ ମେସେଜ୍ କରୁଛନ୍ତି କ୍ରିକେଟର ମହମ୍ମଦ ସାମି ! ଭାଇରାଲ୍ ହେଲା ସ୍କ୍ରିନଶଟ୍
10/07/2019 at 9:14 AM

ନୂଆଦିଲ୍ଲୀ ୧୦|୭: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ପୁଣି ଥରେ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାରତୀୟ ଦଳର ବୋଲର ମହମ୍ମଦ ସାମିଙ୍କୁ ନେଇ ବିବାଦ ଉପୁଜିଛି । ବ୍ୟକ୍ତିଗତ ଜୀବନରେ ପୂର୍ବରୁ ସମସ୍ୟାର ସମ୍ମୁଖୀନ ହେଉଥିବା ମହମ୍ମଦ ସାମିଙ୍କୁ ନେଇ ଉପୁଜିଥିବା ବିବାଦ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ମିଳିଥିବା ସୂଚନା ଅନୁସାରେ ସାମି ଜଣେ ଅପରିଚିତ ମହିଳାଙ୍କୁ ବାରମ୍ବାର ମେସେଜ କରୁଛନ୍ତି । ଫଳରେ ଉକ୍ତ ମହିଳା ଜଣଙ୍କ ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଛନ୍ତି ଯେ, ଯାହାର ପୂର୍ବରୁ ହିଁ ୧୪ଲକ୍ଷ ଫଲୋଅର୍ସ ଅଛନ୍ତି ସେ କାହିଁକି ତାଙ୍କୁ ବାରମ୍ବାର ମେସେଜ ପଠାଉଛନ୍ତି ।

ସୂଚନାଯୋଗ୍ୟ ଯେ, ମହମ୍ମଦ ସାମିଙ୍କୁ ପତ୍ନୀ ହସିନ ଜହାଁ ମଧ୍ୟ ଅଭିଯୋଗ ଆଣିଥିଲେ ଯେ, ବିବିହିତ ହୋଇଥିଲେ ମଧ୍ୟ ସାମି ଟିକ୍ ଟକ୍ ଜରିଆରେ ଅନ୍ୟ ମହିଳାମାନଙ୍କ ସହ କଥାବାର୍ତ୍ତା କରୁଥିଲେ ।
ଯଦିଓ ସଂପୃକ୍ତ ମହିଳା ଜଣଙ୍କ କ୍ରିକେଟର ମହମ୍ମଦ ସାମିଙ୍କ ନାଁ ପୋଷ୍ଟରେ ଉଲ୍ଲେଖ କରିନାହାନ୍ତି ସେ ଉକ୍ତ ବ୍ୟକ୍ତିଙ୍କ ସମ୍ବନ୍ଧରେ ଜାଣିବା ପାଇଁ ଚାହୁଁଛନ୍ତି । ସୋଫିଆ ନାମକ ଇନଷ୍ଟାଗ୍ରାମ ୟୁଜର ଲେଖିଛନ୍ତି ଯେ, କିଏ ମୋତେ ଏହା କହିବ କି କିଏ ଜଣ ୧୪ଲକ୍ଷ ଫଲୋଅର୍ସ ଥିବା କ୍ରିକେଟର ମୋତେ ମେସେଜ କାହିଁକି ପଠାଉଛି । ସୋଫିଆଙ୍କ ଏହି ମେସେଜର ସ୍କ୍ରିନଶଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସ୍କ୍ରିନଶଟ୍ ରେ ମହମ୍ମଦ ସାମିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଝାପସା ଦେଖାଯାଉଛି । ଏହାକୁ ଆଧାର କରି ମହମ୍ମଦ ସାମିଙ୍କ ନାମ ସାମ୍ନାକୁ ଆସିଛି ।