ଭାରତ ବିରୋଧରେ ଅଡିଓ ବାର୍ତ୍ତା ଦେଇ ଫସିଲେ ଯୁବକ, ମହମ୍ମଦ ଅରମାନଙ୍କୁ ବାନ୍ଧିଲା ଜଗତପୁର ପୋଲିସ

Published By : Prameya-News7 Bureau | October 27, 2021 IST

ସାଲେପୁର ୨୭/୧୦: ଦେଶ ବିରୋଧୀ ଓ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବା ଭଳି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିବା ଅଭିଯୋଗରେ ଜଗତପୁର ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ସାଲେପୁର ବ୍ଲକ ପଶ୍ଚିମକଚ୍ଛ ପଞ୍ଚାୟତ ସାତବାଟିଆ ଗ୍ରାମର ମହମ୍ମଦ ଅରମାନ । ଏଥି ସହ ପୋଲିସ ତା ନିକଟରୁ ଏକ ମୋବାଇଲ୍ ଜବତ କରିଛି । ପୋଲିସର ସୂଚନା ମୁତାବକ ୨୪ ତାରିଖରେ ଅନୁଷ୍ଠିତ ଟି ୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା। ଏହାକୁ ନେଇ ଅରମାନ ପାକିସ୍ତାନ ସପକ୍ଷରେ ଓ ଭାରତ ବିରୋଧରେ ଅପମାନଜନକ ଏକ ଅଡିଓ ବାର୍ତ୍ତା ନିଜର ମୋବାଇଲରୁ ସୋସିଆଲ ମିଡ଼ିଆ ହାଟ୍ସଆପ୍‌ ଗ୍ରୁପରେ ପୋଷ୍ଟ କରିଥିଲା ।

ଯେଉଁଥିରେ ଦେଶ ବିରୋଧୀ ମନ୍ତବ୍ୟ ସହ ସେ ପାକିସ୍ତାନକୁ ଭଲ ପାଏ ବୋଲି କହିଥିଲା । ଏହି ଅଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ସଂପର୍କରେ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେର କୌଣସି ସୂତ୍ରରୁ ଖବର ପାଇ ଏହାର ସତ୍ୟତା ପାଇଁ ଘଟଣାସ୍ଥଳକୁ ଯାଇଥିଲେ। ସାତବାଟିଆ ଗ୍ରାମରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିିତି ଓ ବିଭିନ୍ନ ବ୍ୟକ୍ତିଙ୍କ ବୟାନ ନେବା ପରେ ଘଟଣାର ସତ୍ୟତା ଥିବା ସେ ଜାଣିବାକୁ ପାଇଥିଲେ।

ଏହି ଘଟଣାରେ ଜଗତପୁର ପୋଲିସ ଏକ ମାମଲା ରୁଜୁ କରି ସିଆରପିସି ୧୬୧ରେ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଏନେଇ ଜଗତପୁର ଥାନାରେ କେସ ନମ୍ବର ୪୫୩/୨୧ ରେ ଆଇପିସି ଧାରା ୧୫୩(ଖ), ୨୯୪, ୫୦୪, ୫୦୫(୨), ୫୦୬, ଆରଟିଆଇ ଆରଡବ୍ଲୁ ୬୭ରେ ମାମଲା କରିବା ସହ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଥିବା ଜଗତପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.