Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହମ୍ମଦ ସାମୀଙ୍କ ପତ୍ନୀ ହସିନ୍ ଜହାଁନଙ୍କୁ ଦୁଷ୍କର୍ମ ଧମକ୍: ସାହାଯ୍ୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ

15/09/2020 at 4:35 PM

ନୂଆଦିଲ୍ଲୀ ୧୫/୦୯ : ଭାରତୀୟ ସପିଂ ବୋଲର ମହମ୍ମଦ ସାମୀ ଓ ତାଙ୍କ ପତ୍ନୀ ହସିନ ଜହାଁନଙ୍କ ରାସ୍ତା ଅଲଗା ଅଲଗା ହୋଇସାରିଛି । କିନ୍ତୁ ତାଙ୍କୁ ନେଇ ଏବେ ବି ଚର୍ଚ୍ଚା ହୋଇଥାଏ । କେବେ ନିଜ ବୋଲଡ଼ ଭିଡିଓ ଓ ଫଟୋକୁ ନେଇ ତ ପୁଣି କେବେ ବିବାଦୀୟ ପୋଷ୍ଟ ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ । ଅଗଷ୍ଟ ୫ ତାରିଖରେ ହସିନ ଇନ୍ସଟାଗ୍ରାମରେ ରାମ ମନ୍ଦିରକୁ ନେଇ ପୋଷ୍ଟ କରିଥିଲେ । ଏହି ପୋଷ୍ଟ ଉପରେ ଲୋକେ କ୍ଷୁବ୍ଧ ହୋଇ ହସିନଙ୍କୁ ଧମକ ଦେଇଥିଲେ । ଏହି ମାମଲାକୁ ନେଇ ହସିନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ହସିନ ଜହାଁନ କୋଲକାତା ହାଇକୋର୍ଟରେ ନିଜ ଓ ନିଜ ଝିଅ ପାଇଁ ସୁରକ୍ଷା ଦାବି କରିଛନ୍ତି । ଅଗଷ୍ଟ ୯ ତାରିଖରେ ସେ ଅଭିଯୋଗ କରିଥିଲେ କିନ୍ତୁ ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଆଗାମୀ ସପ୍ତାହରେ ତାଙ୍କ ଆବେଦନ ଉପରେ ଶୁଣାଣି ହୋଇପାରେ । ହସିନ କୋଲକାତା ଲାଲ ବଜାର ଷ୍ଟ୍ରିଟ ସାଇବର ଥାନାରେ ମାମଲା ରୁଜ୍ଜୁ କରିଥିଲେ ।

ଏହି ମାମଲାରେ ହସିନ କହିଛନ୍ତି ଯେ, ଅଗଷ୍ଟ ୫ ତାରିଖରେ ସୋସିଆଲ ମିଡ଼ିଆରେ ସେ ରାମ ମନ୍ଦିର ଭୂମିପୂଜନ ପାଇଁ ହିନ୍ଦୁ ଭାଇ-ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଥିପାଇଁ କିଛି କଟ୍ଟରପନ୍ଥୀ ଅଭଦ୍ର ଭାଷା ବ୍ୟବହାର କରି ତାଙ୍କୁ କମେଣ୍ଟ କରିଥିଲେ | ଏହାସହ ତାଙ୍କୁ ହତ୍ୟା ଓ ଦୁଷ୍କର୍ମ ଧମକ ମଧ୍ୟ ଦିଆଯାଇଥିଲା ବୋଲି ସେ ଥାନାରେ ଅଭିଯୋଗ କରିଥିଲେ । ଏହିଭଳି ଅସାମାଜିକ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ହସିନ ନିଜ ସ୍ୱାମୀ ମହମ୍ମଦ ସାମୀଙ୍କ ଉପରେ ମ୍ୟାଚ ଫିକସିଂ ଆରୋପ ଲଗାଇଥିଲେ । ସେତେବେଳେ କ୍ରିକେଟ ଜଗତରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ବିସିସିଆଇ ଏନେଇ ଯାଞ୍ଚ କରିଥିଲା । କିନ୍ତୁ ବିସିସିଆଇ ମହମ୍ମଦ ସାମୀଙ୍କୁ କ୍ଲିନ ଚିଟ ଦେଇଥିଲା । ଏହାସହ ସାମୀଙ୍କର ଅନେକ ମହିଳା ସହ ସମ୍ପର୍କ ଥିବା ସେ ଅଭିଯୋଗ କରିଥିଲେ । କିନ୍ତୁ ଯାଞ୍ଚ କିଛି ପ୍ରମାଣିତ ହୋଇନଥିଲା । ଏହାପରେ ହସିନ ମହମ୍ମଦଙ୍କ ଭାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।

   Related Posts