ମୋଦିଙ୍କ ଝାରସୁଗୁଡା ଭାଷଣ: ବିକାଶ ପାଇଁ ଉଦାସୀନ ରାଜ୍ୟ ସରକାର , ପିସିରେ ପେଶି ହୋଇଗଲେଣି ଲୋକେ, , ପ୍ରତିଷ୍ଠା ହେବ ଆଉ ୩ଟି ବିମାନ ବନ୍ଦର
22/09/2018 at 4:21 PM

ଝାରସୁଗୁଡା୨୨|୯: ରାଜ୍ୟରେ ପିସି ସରକର ଚାଲିଛି, ବିନା ଲାଂଚରେ କୌଣସି କାମ ହେଉନାହିଁ । ଚାରା ରୋପଣ ଦୁର୍ନୀତିଠୁ ଆରମ୍ଭ କରି ପଲିଥିନ କିଣା ପର୍ଯ୍ୟନ୍ତ ବିଭିନ୍ନ ଦୁର୍ନୀତିରେ ରାଜ୍ୟ ସରକାର ବୁଡି ରହିଛନ୍ତି । ବିକାଶ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଦାସୀନ ବୋଲି କହି ଝାରସୁଗୁଡା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ଏମିତି ପରିସ୍ଥିତିରେ ବିକାଶ କେମିତି ସମ୍ଭବ ବୋଲି ମଧ୍ୟ ମୋଦି ପ୍ରଶ୍ନ କରିଛନ୍ତି।
ଝାରସୁଗୁଡା ବିମାନବଂଦର ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଶୁଭ ଉଦ୍ଘାଟନ ପରେ ପ୍ରଧାନମନ୍ତ୍ରୀ ଝାରସୁଗୁଡାଠାରେ ସାଧାରଣ ସଭାକୁ ଉଦ୍ବୋଧନ ଦେଇଥିଲେ । କନେକ୍ଟିଭିଟି ବା ଯୋଗାଯୋଗର ମାଧ୍ୟମ ହିଁ ବିକାଶର ମୂଳ ଆବଶ୍ୟକତା ବୋଲି ମୋଦି କହିବା ସହ ଓଡିଶାର କୋରାପୁଟ, କଳାହାଣ୍ଡି ଏବଂ ସୁନ୍ଦରଗଡଠାରେ ଆଉ ତିନିଟି ବିମାନବଂଦର ପାଇଁ ଯୋଜନା କରାଯାଉଛି ବୋଲି ମୋଦି କହିଥିଲେ । ଦେଶର ସାଧାରଣ ନାଗରିକଟି ଯେମିତି ବିମାନଯାତ୍ରା କରିପାରିବ ତାହା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ । ହାୱାଇ ଚପଲ ପିନ୍ଧୁଥିବା ଲୋକ ମଧ୍ୟ ହାୱାଇ ଜାହଜରେ ଉଡୁ ଏହା ତାଙ୍କ ସ୍ବପ୍ନ ବୋଲି ମୋଦି କହିଥିଲେ । ବିମାନସେବା ସୁଯୋଗ ବଢିଲେ ଅର୍ଥିନୀତିରେ ଏହାର ପ୍ରଭାବ ପଡିବ । ପର୍ଯ୍ୟଟନ ଓ ବ୍ୟବସାୟ ବାଣିଜ୍ୟ ସମୃଦ୍ଧ ହେବ । ଯୋଗାଯୋଗ କହିଲେ ରେଳ, ରାସ୍ତା ଓ ବିମାନ । ଆଦିବାସୀ ଅଂଚଳକୁ ରେଳ ଚଳାଚଳ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୋଦି କହିଥିଲେ । ଓଡିଶାରେ ଗତ ୫ବର୍ଷ ମଧ୍ୟରେ ଜାତୀୟ ରାଜପଥର ଦୈର୍ଘ୍ୟ ଦୁଇଗୁଣ ବୃଦ୍ଧି ପାଇଛି ବୋଲି ମଧ୍ୟ ମୋଦି ସୂଚନା ଦେଇଥିଲେ ।
ଆସନ୍ତାକାଲିଠାରୁ ଦେଶରେ ଲାଗୁ ହେବାକୁ ଯାଉଥିବା ଆୟୁଷ୍ମାନ ବାରତ ଯୋଜନାରେ ଓଡିଶା ସାମିଲ ହେଉନଥିବାରୁ ମୋଦି କ୍ଷୋଭ ବ୍ୟକ୍ତ କରିଥିଲେ । ଓଡିଶା ସରକାର ଏହାର ବିକଳ୍ପଭାବେ ଯେଉଁ ସ୍ବାସ୍ଥ୍ୟସେବା ଯୋଜନା ଆରମ୍ଭ କରିଛନ୍ତି ତାର ପରିସର ବହୁତ ସିମୀତ ବୋଲି ମଧ୍ୟ ମୋଦି ସୂଚନା ଦେଇଥିଲେ । ଦୁର୍ନୀତି ଏବଂ ନିଷ୍ପତ୍ତି ନେବାରେ ବିଳମ୍ବ ଏବେ ଓଡିଶାର ପରିଚୟ ହୋଇଯାଇଛି ବୋଲି ମଧ୍ୟ ମୋଦି ଆକ୍ଷେପ କରିଥିଲେ । ପୂର୍ବରୁ ଓଡିଶାକୁ ବାର୍ଷିକ ୮୨ହଜାର କୋଟି ଟଂକା କେନ୍ଦ୍ରୀୟ ଅନୁଦାନ ମିଲୁଥିବା ବେଳେ ଏବେ ପାଖାପାଖି ୨ଲକ୍ଷକୋଟି ଟଂକା ଦିଆଯାଉଛି । କନ୍ତୁ ଏହି ଟଂକା ତୃଣମୂଳ ସ୍ତରରେ ବାସ୍ତବରେ ଲାଗୁଛି କି ବୋଲି ମୋଦି ଜନସାଧାରଣଙ୍କୁ ପ୍ରଶ୍ନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଜାତୀୟ ହାର ତୁଳନାରେ ଓଡିଶା ବହୁ ପଛରେ ରହିଛି। ଅନ୍ୟ ରାଜ୍ୟରେ ମଧ୍ୟ ଏ ସମସ୍ୟା ଅଛି । କିନ୍ତୁ ଏ ସମସ୍ୟରୁ ମୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସବୁଠୁ ଗୁରୁତ୍ବପୂର୍ଣ୍ମ ବୋଲି ମୋଦି କହିଛନ୍ତି।
ସେହିଭଳି ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଧାନ ସମେତ ଅନ୍ୟାନ୍ୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ କରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଯୋଗୁଁ ଚାଷୀ ତାର ସୁଫଳ ପାଉ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଜ୍ୟରେ ଚାଷୀର ଧାନକୁ କେବଳ କାଗଜପତ୍ରରେ କିଣାଯାଉଛି । ଅନେକ ସ୍ଥାନରେ ଧାନ ନ୍ୟୂନ ମାନର ବୋଲି ମିଛରେ ଦର୍ଶାଇ ଚାଷୀକୁ ହତାଶ କରାଯାଉଛି ବୋଲି ମୋଦି ଗୁରୁତର ଅଭିଯୋଗ କରିଥିଲେ । ରାଜ୍ୟରେ ଚାଲିଥିବା ସରକାର କେବଳ କମିଶନ କାରବାରରେ ବ୍ୟସ୍ତ । ତେଣୁ ରାଜ୍ୟ ସରକାରଙ୍କୁ ଲୋକେ ପିସି ସରକାର ବୋଲି କହିଲେଣି । ପିସିରେ ଓଡିଶାବାସୀ ପେଶୀ ହୋଇଗଲେଣି ବୋଲି ମୋଦି କହିଛନ୍ତି।
ରାଜ୍ୟରେ ଯୁବକଙ୍କ ପାଇଁ ନିଯୁକ୍ତ ଓ ରୋଜଗାରର ଭରପୁର ସୁଯୋଗ ସୃଷ୍ଟି ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ଉଦ୍ୟମ କରୁଥିବା ମୋଦି କହିଥିଲେ । ଏ ପରିପ୍ରେକ୍ଷୀରେ ସେ ଦକ୍ଷତା କୌଶଳ କାର୍ଯ୍ୟକ୍ରମର ଉଚ୍ଚ ପ୍ରସଂଶା କରିଥିଲେ । ଭୁବନେଶ୍ବରଠାରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍କିଲର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ସେ କହିଥିଲେ । ଏତି ମଧ୍ୟରେ ରାଜ୍ୟର ୩ଲକ୍ଷ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଥିଲେ ।
ସେହିଭଳି ସ୍ବଚ୍ଛ ବାରତ ମିଶନରେ ରାଜ୍ୟ ସରକାରଙ୍କ ପ୍ରଦର୍ଶନ ଆଶାନୁରୂପ ନୁହେଁ ବୋଲି ମୋଜି କହିଥିଲେ ।