କୋଲକାତାରେ ମୋଦିଙ୍କ ଦମ୍ଭୋକ୍ତି : ‘ଲୋକସଭାରେ TMC ଅଧା ସଫା, ଏଥର ରାଜ୍ୟରୁ ହେବ ପୁରା ସଫା’

Published By : Prameya-News7 Bureau | March 07, 2021 IST

କୋଲକାତା ୦୭/୦୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । କୋଲକାତାର ବ୍ରିଗେଡ୍‌ ଗ୍ରାଉଣ୍ଡରେ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରି, ମୁଖ୍ୟମନ୍ତ୍ରୀ ମମା ବାନାର୍ଜୀଙ୍କ ସମେତ, କଂଗ୍ରେସ ଏବଂ ବାମ ଦଳ ଉପରେ ପ୍ରବଳ ବର୍ଷିଛନ୍ତି । ଦିଦିଙ୍କୁ ଟାର୍ଗେଟ୍ କରି ମୋଦି କହିଛନ୍ତି, ‘ପରିବାରବାଦ ମୋହ ଛାଡିପାରୁ ନାହାନ୍ତି । ପଶ୍ଚିମବଙ୍ଗରେ ପରିବର୍ତ୍ତନ ପାଇଁ ଜନସାଧାରଣ ଦିଦିଙ୍କୁ ଭାରଷା କରିଥିଲେ । କିନ୍ତୁ ସେ ଏବଂ ତାଙ୍କ କ୍ୟାଡର୍‌ ଲୋକଙ୍କ ଭରଷାକୁ ଭାଙ୍ଗିଛନ୍ତି । ଏମାନେ ସମସ୍ତେ ବେଙ୍ଗଲ ଭଳି ପବିତ୍ର ରାଜ୍ୟର ଅପମାନ କରିଛନ୍ତି । ଲୋକସଭାରେ ଟିଏମସି ଅଧା ସଫା ହୋଇଛି ଏଥର ବିଧାନସଭା ନିର୍ବାଚନରେ ରାଜ୍ୟରୁ ପୁରାପୁରି ସଫା ହୋଇଯିବ ।’

ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ପଶ୍ଚିମବଙ୍ଗରେ ମା-ଭଉଣୀଙ୍କ ଉପରେ ଅତ୍ୟାଚାର କରାଯାଉଛି । ଏଥର ନିର୍ବାଚନରେ ଟିଏମସି ଓ କଂଗ୍ରେସ-ବାମପନ୍ଥୀ ମେଣ୍ଟ ଗୋଟିଏ ପଟେ ଏବଂ ଅନ୍ୟପଟେ ବେଙ୍ଗଲର ଜନତା ଅଣ୍ଟା ଭିଡି ଛିଡା ହୋଇଯାଇଛନ୍ତି ।’

ମୋଦି ଆହୁରି ମଧ୍ୟ କହିଛନ୍ତି, ‘ପଶ୍ଚିମବଙ୍ଗର ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ଚାଷୀଙ୍କ ଠାରୁ ଆରମ୍ଭ କରି ଉଦ୍ୟଗ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର​‌ରେ ବିକାଶ ହେବ । ବେଙ୍ଗଲ ପୋଲିସ ଉପରେ ଜନତାଙ୍କ ଭରଷା ଉଠିଯାଇଛି । ବିଜେପି ସରକାର ଆସିଲେ ପୋଲିସ ପ୍ରତି ଲୋକଙ୍କ ଭରଷାକୁ ଫେରଇଆଣାଯିବା ସହିତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିବ । ’

ପଶ୍ଚିମବଙ୍ଗରେ ଆଗାମୀ ଦିନ​‌ରେ ହେବାକୁ ଥିବା ନିର୍ବାଚନ ପାଇଁ ୩ ପ୍ରମୁଖ ପ୍ରତିଦ୍ବନ୍ଦୀ ବିଜେପି, ଟିଏମସି ଏବଂ କଂଗ୍ରେସ-ବାମ ଦଳ ମେଣ୍ଟର ପ୍ରଚାର ସରଗରମ ହୋଇଗଲାଣି । କୋଲକାତାର ବିଭିନ୍ନ ସ୍ଥାନରେ ରାଲି ଏବଂ ଜନ ସମାବେଶ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ଲାଗିପଡିଛନ୍ତି ରାଜନୈତିକ ଦଳ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୋଭାଯାତ୍ରା ଏବଂ ରାଲି ମାଧ୍ୟରେ ପୁଣି ଥରେ ସତ୍ତାକୁ ଆସିବାକୁ ପ୍ରସ୍ତୁତି ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.