ନୂଆଦିଲ୍ଲୀ ୧୮/୧୧: ଆମେରିକାର ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ୍ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଭାରତ ସହିତ ସମ୍ପର୍କ କିଭଳି ରହିବ ସେନେଇ ଚର୍ଚ୍ଚା ହେଉଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ୍ଙ୍କ ସହ ଆଲୋଚନା କେବେ କରିବେ ବୋଲି ପ୍ରଶ୍ନ କରିଥିଲେ ଲୋକେ। ସଠିକ୍ ସମୟରେ ମୋଦି ବାଇଡେନଙ୍କ ସହ ଆଲୋଚନା କରିବେ ବୋଲି ବୈଦେଶିକ ମନ୍ତ୍ରଳାୟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଥିଲା। ତେବେ ମୋଦି ମଙ୍ଗଳବାର ବାଇଡେନ୍ଙ୍କ ସହ ଫୋନ୍ରେ ଆଲୋଚନା କରିଛନ୍ତି।
ଦୁଇ ଦେଶର ନେତା ଦ୍ବିପାକ୍ଷିକ ରଣନୈତିକ ବୁଝାମଣାକୁ ନେଇ ପ୍ରତିବଦ୍ଧ ବୋଲି ଆଲୋଚନା ହୋଇଥିବା ବେଳେ କରୋନା ମାହାମାରୀ, ଜଳବାୟୁ ପରିବର୍ତ୍ତନ ତଥା ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ସହଯୋଗକୁ ପ୍ରାଥମିକତା ଦେବା ଓ ଆହ୍ବାନକୁ ନେଇ ଚର୍ଚ୍ଚା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବାଇଡେନ୍ଙ୍କ ସହ ମୋଦିଙ୍କ ଏହା ପ୍ରଥମ ଆଲୋଚନା। ଏନେଇ ଟ୍ବିଟ୍ କରି ମୋଦି ଲେଖିଛନ୍ତି, ‘ଆମରିକାରେ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଲି।’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ନବ ନିର୍ବାଚିତ ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ‘ ତାଙ୍କର ସଫଳତା ଭାରତୀୟ ଆମେରିକୀୟ ସମୁଦାୟ ପାଇଁ ଗର୍ବ ଓ ପ୍ରେରଣାର କଥା। ଏହି ସମୁଦାୟ ଭାରତ-ଆମେରିକା ସମ୍ପର୍କ ମଜଭୁତର ମୁଖ୍ୟ ସ୍ରୋତ।’
ସେପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବାଇଡେନ୍ଙ୍କୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ବହୁ ଗୁରୁତ୍ବପୂର୍ଣ୍ର ଦିଗ ଉପରେ ଆଲୋଚନା ହୋଇଥିବା ବେଳେ ୨୦୧୪ ଓ ୨୦୧୬ ଆମେରିକା ଗସ୍ତ ସମୟରେ ବାଇଡେନ୍ଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ମୋଦି କଥା ହୋଇଥିବା ଜଣାପଡ଼ିଛି।