Corona virus : ଭାରତରେ ପରିସ୍ଥିତିର ମୁକାବିଲା ଲାଗି ଗଠିତ ହେଲା GOM

Published By : Prameya-News7 Bureau | February 03, 2020 IST

ନୂଆଦିଲ୍ଲୀ ୩।୨:  ଭାରତରେ ସୋମବାର ନୋଭେଲ କରୋନା (ଏନସିଭି) ସଂକ୍ରମିତ ତୃତୀୟ ବ୍ୟକ୍ତିଙ୍କ ଚିହ୍ନଟ ପରେ କେନ୍ଦ୍ର ସରକାର ପ୍ରଙ୍ଗକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। କେରଳ ସରକାର ରାଜ୍ୟ ବିପତ୍ତି ଘୋଷଣା କରିଥିବା ବେଳେ ପରିସ୍ଥିତିର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ସୋମବାର ସନ୍ଧ୍ୟାରେ ମନ୍ତ୍ରୀଗୋଷ୍ଠୀ (ଜିଓଏମ) ଗଠନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଗଠନ କରିଥିବା ଜିଓଏମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ସମେତ ବେସାମରିକ ବିମାନ ଚଳାଚଳମନ୍ତ୍ରୀ ହରଦୀପ ସିଂପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର,  ରାଜ୍ୟମନ୍ତ୍ରୀ ଜି.କିଶନ ରେଡୀ, ସ୍ୱାସ୍ଥ୍ୟରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଓ ଜାହାଜ ଚଳାଚଳ ରାଜ୍ୟମନ୍ତ୍ରୀ ମନସୁଖଲାଲ ମାଣ୍ଡବ୍ୟ ଆଦି ସଦସ୍ୟ ଅଛନ୍ତି।

ଏହା ଛଡା ଦେଶରେ କରୋନା ଭୂତାଣୁର ସଂକ୍ରମଣ ନିୟନ୍ତ୍ରଣ ନେଇ ସ୍ୱାସ୍ଥ୍ୟ ସଚିବ ଡା.ପି.କେ ମିଶ୍ର ସୋମବାର ଦେଶରେ ଉପୁଜିଥିବା ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିରୁ ଚୀନରୁ ବିମାନ ଯୋଗେ ଉଦ୍ଧାର ହୋଇଥିବା ୬୦୦ ଲୋକଙ୍କ ଲାଗି ହୋଇଥିବା ବ୍ୟବସ୍ଥାର ସେ ସମୀକ୍ଷା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଜିଓଏମକୁ ଦେଶରେ ଭୂତାଣୁ ସଂକ୍ରମଣ ନେଇ ସୂଚନା ମିଳିବା ଠାରୁ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି। 

ଏଥରେ ଜିଓଏମକୁ କରୋନା ଭାଇରସ ସଂକ୍ରମଣ ପରଠାରୁ ସମସ୍ତ ସୀମା ଠାରୁ ଆରମ୍ଭ କରି ୨୧ ବିମାନ ବନ୍ଦର ଓ  ସମୁଦ୍ର ବନ୍ଦରରେ ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଦୃଶ୍ୟ ଓ ଶ୍ରାବ୍ୟ ସୂଚନା ଦିଆଯାଇଛି। ଏହା ଛଡା  ଚୀନରୁ ଫେରିଥିବା ଲୋକଙ୍କ ନିରିକ୍ଷଣ ଲାଗି କରାଯାଇଥିବା କ୍ୟାମ୍ପ ମେଡିକାଲ ଓ ସେଠାରେ ବ୍ୟବସ୍ଥାର ବି ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.