ଗୁଜୁରାଟ ଦଙ୍ଗା ମାମଲାରୁ ହଟିଲା ମୋଦିଙ୍କ ନାମ, କ୍ଷତିପୂରଣ ଦାବିରେ ବ୍ରିଟିଶ ନାଗରିକ କରିଥିଲେ ମୋକଦ୍ଦମା
6/09/2020 at 9:29 PM

ସାବରକାଣ୍ଠା : ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ କୋର୍ଟ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଦେଶର ଏବେକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ନାମ ହଟାଇ ଦେଇଛନ୍ତି। ଦଙ୍ଗାରେ ପ୍ରାଣ ହରାଇଥିବା ୩ ଜଣ ସମ୍ପର୍କୀୟଙ୍କ ଲାଗି ବ୍ରିଟିଶ ନାଗରିକ କ୍ଷତିପୂରଣ ଦାବିରେ ଏହି ମୋକଦ୍ଦମା ରୁଜୁ କରିଥିବା ବେଳେ ଏଥିରେ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟ ଅଭିଯୁକ୍ତ କରିଥିଲେ।
ତେବେ ମୋଦିଙ୍କୁ ଅଭିଯୁକ୍ତ କରାଯିବାର କୌଣସି ତର୍କ ନଥିବା କୋର୍ଟ ଦର୍ଶାଇଛନ୍ତି। ଏଣୁ ତାଙ୍କ ନାମ ହଟାଇ ଦେଇଛନ୍ତି। ବ୍ରିଟିଶ ନାଗରିକ ଇମ୍ରାନ ଓ ଶିରିନ୍ ଦାଉଦ୍ ଗୁଜରାଟ ଦଙ୍ଗାରେ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଲାଗି ୨୦୦୪ ମସିହାରେ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ୧୩ ଜଣଙ୍କୁ ଅଭିଯୁକ୍ତ କରି ମୋକଦ୍ଦମା ରୁଜୁ କରିଥିବା ବେଳେ ୨୩ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।
ସାବରକଣ୍ଠା ଜିଲ୍ଲା ନ୍ୟାୟାଳୟ ମାମଲାର ଶୁଣାଣି କରିଥିବା ବେଳେ ବିଚାରପତି ଜଷ୍ଟିସ୍ ଏସ୍.କେ.ଗଢବୀ ୧ ନମ୍ବର ଅଭିଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ବିନା କାରଣରେ ମାମଲା ସହ ସମ୍ପୃକ୍ତ କରାଯାଇଥିବାର କହିଛନ୍ତି। ତାଙ୍କୁ ଏଥିରେ ପକ୍ଷ କରାଯିବା ପାଇଁ ଆବେଦନକାରୀ ଆବଶ୍ୟକ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରିପାରୁନଥିବା ବେଳେ ଏଥିଲାଗି ତର୍କ ମଧ୍ୟ ରଖି ପାରୁ ନାହାନ୍ତି। ଏଣୁ ମୋଦିଙ୍କ ନାମ ମାମଲାରୁ ବାଦ ଦେଉଥିବା ବିଚାରପତି କହିଛନ୍ତି।
ତେବେ ଏହା ପୂର୍ବରୁ ମୋଦିଙ୍କ ନାମ ମାମଲାରୁ ହଟାଇବା ଲାଗି କୋର୍ଟଙ୍କୁ ନିବେଦନ କରାଯାଇଥିଲା। ଏଥିରେ ଏଭଳି ଘଟଣା ଲାଗି ରାଜ୍ୟକୁ ଦାୟୀ କରାଯାଇପାରେ ବୋଲି କୁହାଯାଇଥିବା ବେଳେ ମୋଦିଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରାଯାଇ ନପାରେ ବୋଲି ତର୍କ ରଖାଯାଇଥିଲା। ଗୁଜରାଟ ଦଙ୍ଗାରେ ଶିରିନ ଓ ଇମ୍ରାନ ଦାଉଦଙ୍କ ୩ ସମ୍ପର୍କୀୟ ସଇଦ ଦାଉଦ୍, ଶକିଲ ଦାଉଦ ଓ ମହମ୍ମଦ ଅସବତଙ୍କ ମୃତ୍ୟୁ ଲାଗି କ୍ଷତିପୂରଣ ଦାବି କରିଛନ୍ତି।