ଓଡ଼ିଶା ପାଇଁ ୫୦୦ କୋଟି: ଅମ୍ଫାନ କ୍ଷୟକ୍ଷତି ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ଘୋଷଣା କଲେ ସହାୟତା

Published By : Prameya-News7 Bureau | May 22, 2020 IST

ଭୁବନେଶ୍ବର୨୨/୫:  ଓଡ଼ିଶା ପାଇଁ ୫୦୦ କୋଟିର ଅମ୍ଫାନ କ୍ଷୟକ୍ଷତି ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ଆକାଶମାର୍ଗରୁ ସ୍ବତନ୍ତ୍ର ବାୟୁସେନା ହେଲିକପ୍ଟରରେ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ, ଦିଲ୍ଲୀ ଫେରିବା ପୂର୍ବରୁ ଏକ ସମୀକ୍ଷ ବୈଠକରେ ଓଡ଼ିଶାର ଅମ୍ପାନ ଜନିତ କ୍ଷୟକ୍ଷତି ସଂପର୍କରେ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରେ ସେ ଓଡ଼ିଶା ପାଇଁ ୫୦୦ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।

ପ୍ରାଥମିକ ସହାୟତା ଭାବେ ଓଡ଼ିଶାକୁ ବାତ୍ୟା ଅମ୍ଫାନ କ୍ଷୟକ୍ଷତି ଭରଣା ପାଇଁ ୫୦୦ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ସହାୟତା ଦେବ କେନ୍ଦ୍ର।  ଏହାବ୍ୟତୀତ, ଖୁବ୍ ଶୀଘ୍ର ଏକ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍ ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ। ସେମାନଙ୍କ ରିପୋର୍ଟକୁ ଭିତ୍ତି କରି ଆବଶ୍ୟକ ହେଲେ କେନ୍ଦ୍ର ଅଧିକ ଆର୍ଥିକ ସାହାଯ୍ୟ ଦେବ।  ଆଜି ସକାଳେ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ, ୧୦୦୦ କୋଟିର ସହାୟତା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହାପରେ, କୋଲକତାରୁ ଏକ ସ୍ବତନ୍ତ୍ର ବିମାନରେ ଅପରାହ୍ନ ୨ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିଥିଲେ ମୋଦୀ । ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିଥିଲେ  ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବତନ୍ତ୍ର ବାୟୁସେନା ହେଲିକପ୍ଟରରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ଅମ୍ଫାନ ପ୍ରଭାବିତ ଅଞ୍ଚଳ ସବୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ପେରିବା ପୂର୍ବରୁ,  ଭୁବନେଶ୍ବର ବିମାନବନ୍ଦରରେ ଏକ ସମୀକ୍ଷା ବୈଠକରେ ରାଜ୍ୟ ପାଇଁ ପ୍ରାଥମିକ ବାତ୍ୟା ପ୍ୟାକେଜ୍ ଭାବେ ୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।ସେ ରାଜ୍ୟର ବାତ୍ୟା ମୁକାବିଲା ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟତୀତ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ୩ଟି ସ୍ବତନ୍ତ୍ର ହେଲିକପ୍ଟରରେ ରାଜ୍ୟର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ । ଏହାବ୍ୟତୀତ, ଆଜି ରାଜ୍ୟର ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ସହ ଟେଲି ଫୋନ୍ ଯୋଗେ କଥା ହୋଇଛନ୍ତି | ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ତରଫରୁ ଟୁଇଟର ଆକାଉଣ୍ଟ ଜରିଆରେ ସୂଚନା ଦିଆଯାଇଛି |

ଗତକାଲି କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ସହ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଅମ୍ଫାନରେ ଓଡ଼ିଶାର ୮୯ ବ୍ଲକ, ୧୫୦୦ ପଞ୍ଚାୟତର ୪୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବାର ରାଜ୍ୟ ସରକାର ସୂଚନା ଦେଇଥିଲେ । ତେବେ, ଆଜି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଖୁବ୍ ଶୀଘ୍ର ଏକ କେନ୍ଦ୍ରୀୟ ଟିମ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ସେମାନଙ୍କ ରିପୋର୍ଟକୁ ଆଧାର କରି ରାଜ୍ୟ ଅଧିକ ସହାୟତା ପାଇବାର ସମ୍ଭାବନା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.