Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ମୋଦି-ନବୀନ କଥାବାର୍ତ୍ତା ହେଲେ ହଟ୍ ଲାଇନ୍‌ରେ : ରାଜ୍ୟ ରାଜନୀତି ସରଗରମ, ଜାଣନ୍ତୁ ପୂରା ଘଟଣା…

26/07/2019 at 6:07 PM

ଭୁବନେଶ୍ବର ୨୬|୭: ପୁଣି ମୋଦି-ନବୀନ ହଟ୍ ଲାଇନ କନେକ୍ସନ । ସୂଚନା ଅଧିକାର ଆଇନର ସଂଶୋଧିତ ବିଲ୍ କୁ ରାଜ୍ୟସଭାରେ ସମର୍ଥନ ପାଇଁ ନବୀନଙ୍କୁ ଟେଲିଫୋନ କରିଛନ୍ତି ମୋଦି । ଗତକାଲି ରାଜ୍ୟସଭାରେ ଏହି ବିଲ୍ ପାସ ହେବା ପୂର୍ବରୁ ଫୋନରେ ଦୁଇ ନେତାଙ୍କ ଆଲୋଚନାକୁ ନେଇ ଓଡିଶାରେ ବି ସରଗରମ ରାଜନୀତି ।

କଂଗ୍ରେସ କହିଛି ପଶ୍ଚିମବଙ୍ଗରେ ମମତାଙ୍କ ହଲାପଟା ଦେଖି ନବୀନ ମୋଦିଙ୍କୁ ସମର୍ଥନ ଦେଉଛନ୍ତି । ବିଜେଡି-ବିଜେପିର ଯୁକ୍ତି, ବିକାଶ ଓ ରାଜ୍ୟ ତଥା ଜାତୀୟ ସ୍ବାର୍ଥ ପାଇଁ ସହଯୋଗ କରାଯାଉଛି । କିଛି ଭିତିରି ବୁଝାମଣା ନାହିଁ ।

ପାଟକୁରା ଇଲେକ୍ସନ ସରିବା ପରେ ପୁଣି ବିଜେଡି-ବିଜେପି ବନ୍ଧୁତା ଚର୍ଚ୍ଚା । ମୋଦି-ନବୀନଙ୍କ ବନ୍ଧୁତାର ଚର୍ଚ୍ଚା । ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବା ଠାରୁ ସୂଚନା ଅଧିକାର ଆଇନର ସଂଶୋଧିତ ବିଲ୍ କୁ ସମର୍ଥନ ପର୍ଯ୍ୟନ୍ତ, ବିଜେଡି ଓ ବିଜେପି ଭିତରେ ବଦଳୁଥିବା ସମୀକରଣକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

ଗତକାଲି ଲୋକସଭାରେ ସୂଚନା ଅଧିକାର ଆଇନର ସଂଶୋଧିତ ବିଲ୍ କୁ ବିଜେଡି ଯେଭଳି ରାଜ୍ୟ ସଭାରେ ସମର୍ଥନ କଲା ଏବଂ ଏନେଇ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ବ୍ୟକ୍ତିଗତ ଭାବେ ଟେଲିଫୋନ କରି କଥା ହେଲେ ତାକୁ ନେଇ ଆଜି କଂଗ୍ରେସ ତୀର ମାରିଛି । ଦଳ କହିଛି, ପଶ୍ଚିମ ବଙ୍ଗରେ ଯେଭଳି କେନ୍ଦ୍ରର ବିଜେପି ସରକାର ମମତାଙ୍କ ମୁଣ୍ଡବିନ୍ଧା ବଢାଉଛନ୍ତି ଓଡିଶାରେ ସେଭଳି ନକରିବା ପାଇଁ ନବୀନ ମୋଦିଙ୍କୁ ସବୁକଥାରେ ସମର୍ଥନ ଦେଉଛନ୍ତି । ଏଥିରୁ ଲାଗୁଛି ବିଜେଡି-ବିଜେପି ଭିତରେ ବୁଝାମଣା ହୋଇଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

କଂଗ୍ରେସର ଅଭିଯୋଗ ମୋଦି ଯାହା କହୁଛନ୍ତି ନବୀନ ତାକୁ ଅକ୍ଷରେ ଅକ୍ଷରେ ପାଳୁଛନ୍ତି । ପୂର୍ବଭଳି ଆଉ ବିଜେଡି କେନ୍ଦ୍ର ବିରୋଧରେ ଗର୍ଜୁନାହିଁ । ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ନେତା ପରସ୍ପରକୁ ଦେଖିଲେ ଯେମିତି ଚିହିଁକି ଉଠୁଥିଲେ ଏବେ ସେ କଥା ବି ନାହିଁ । ତେବେ କଂଗ୍ରେସର ଏଭଳି ଯୁକ୍ତିକୁ ବିଜେଡି ଓ ବିଜେପି ଖଣ୍ଡନ କରିଛନ୍ତି ।

ଯଦି ବିଜେଡି ବିଜେପି ଭିତରେ ବୁଝମଣା ଥାନ୍ତା ତାହାଲେ ପାଟକୁରା ନିର୍ବାଚନରେ ଯେଭଳି ଦୁଇଦଳ ଫାଇଟକଲେ ତାହା ଦେଖିବାକୁ ମିଳିନଥାନ୍ତା ବୋଲି ବିଜେଡି ଯୁକ୍ତି ବାଢିଛି । ଯେଉଁଠି ଦେଶ ଓ ରାଜ୍ୟର ସ୍ବାର୍ଥ ଅଛି ସେଠି କିଏ କାହାକୁ ସମର୍ଥନ ଦେଲେ ଅସୁବିଧା ନାହିଁ ବୋଲି ବିଜେପି ଯୁକ୍ତି ବାଢିଛି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ନବୀନ-ମୋଦି ସମୀକରଣକୁ ନେଇ ଜୋର ଚର୍ଚା ।

ସୂଚନା ଅଧିକାର ଆଇନର ସଂଶୋଧିତ ବିଲ୍ କୁ ରାଜ୍ୟସଭାରେ ବିଜେଡି ସମର୍ଥନ କରିବା ପରେ ଏବେ ସଂସଦରେ ମୋଦି ସରକାରଙ୍କ କନଫିଡେନ୍ସ ବଢିଯାଇଛି । ଆଗକୁ ଟ୍ରିପଲ ତଲାକ ବିଲକୁ ରାଜ୍ୟସଭାରେ ପାସ ପାଇଁ ବିଜେଡି ସମର୍ଥନ କରିବ ବୋଲି ବିଜେପି ଭାବୁଛି । ଏସବୁ ଦେଖି କଂଗ୍ରେସ ତ ଗୁଗୁଲି ଫିଙ୍ଗିବା ସ୍ବାଭାବିକ ।

   Related Posts