ହ୍ୱାଇଟ ହାଉସ୍‌ରେ ବାଇଡେନଙ୍କ ସହ ଆଲୋଚନା କରୁଛନ୍ତି ମୋଦି, ସାମ୍ନାକୁ ଆସିଲା ପ୍ରଥମ ଫଟୋ

Published By : Prameya-News7 Bureau | September 24, 2021 IST

ୱାସିଂଟନ ୨୪।୯:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କାର୍ଯ୍ୟକ୍ରମରେ ଶୁକ୍ରବାର ରାଷ୍ଟ୍ରପତି ଜୋ ବାଇଡେଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ସାକ୍ଷାତ ଆଲୋଚନା ହ୍ୱାଇଟ୍‌ ହାଉସ୍ ଓଭାଲ ଅଫିସରେ ଅନୁଷ୍ଠିତ ହେଉଛି। ଏହି ସାକ୍ଷାତ ଆଲୋଚନା ଅନୁନ୍ୟ ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରେ ବୋଲି ଅନୁମାନ କରାଯାଉଛି। ତେବେ ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତିଙ୍କ ସାକ୍ଷାତ ଆଲୋଚନାର ପ୍ରଥମ ଫଟୋ ଗଣମାଧ୍ୟମକୁ ଆସିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ ଭାରତୀୟ ସମୟ ରାତି ଠିକ୍ ୮ଟା ୩୩ ମିନିଟ୍‌ରେ ହ୍ୱାଇଟ୍‌ ହାଉସ୍ ୱେଷ୍ଟ ୱିଙ୍ଗରେ ପହଞ୍ଚିଥିଲା। ହ୍ୱାଇଟ୍‌ ହାଉସ୍‌ଙ୍କ କାର୍ଯ୍ୟକାରୀ ପ୍ରୋଟକଲ ମୁଖ୍ୟ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ।  ଉଭୟ ରାଷ୍ଟ୍ରମୁଖ୍ୟ ପାରସ୍ପରିକ ହିତ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି। ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀଙ୍କ ଏହି ସାକ୍ଷାତ ଆଲୋଚନା ନେଇ ହ୍ୱାଇଟ୍‌ ହାଉସ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ସୂଚିତ କରିଥିଲେ।

ଏଥିରେ ଉଭୟ ନେତା କରୋନା ଭାଇରସ ମହାମାରୀ, ଭାକ୍ସିନ ଉତ୍ପାଦନ ସମେତ ଆତଙ୍କବାଦ ଓ ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା କରୁଥିବା ଜଣାପଡିଛି। ଏହି ଆଲୋଚନା ଅନୁନ୍ୟ ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଓ ପରେ ଉଭୟ ନେତା ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିପାରନ୍ତି ବୋଲି ଅନୁମାନ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.