କେନ୍ଦ୍ର ସରକାରଙ୍କ ଘୋଷଣା : ଏବେ ଆଉ ଚିଟଫଣ୍ଡରେ ଫସିବନି ଟଙ୍କା

Published By : Prameya-News7 Bureau | February 07, 2019 IST

ଦିଲ୍ଲୀ ୭/୨ : ଚିଟଫଣ୍ଡ ସଂସ୍ଥା ଚଳାଇ ଅବୈଧ ଭାବରେ ଗରିବଙ୍କ ଟଙ୍କା ହଡପ କରିଥିବା ଲୋକେ ଏବେ ଆଉ ବର୍ତ୍ତି ପାରିବେ ନାହିଁ | ଏଭଳି ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି | ଏହି ଦିଗରେ ପଦକ୍ଷେପ ନେଇ କେନ୍ଦ୍ର ସରକାର 'ଦ ବେନିଙ୍ଗ ଅଫ ଅନରେଗୁଲେଟେଡ ଡିପୋଜିଟ ସ୍କିମ ବିଲ ୨୦୧୮' ରେ ସଂଶୋଧନରେ ପଦକ୍ଷେପ ନେଇଛନ୍ତି |


'ଦ ବେନିଙ୍ଗ ଅଫ ଅନରେଗୁଲେଟେଡ ଡିପୋଜିଟ ସ୍କିମ ବିଲ ୨୦୧୮'କୁ କ୍ୟାବିନେଟ ମଞ୍ଜୁରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି | ରାଷ୍ଟ୍ରୀୟ କାମଧେନୁ ଆୟୋଗ ସ୍ଥାପନାକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି | ଏହା ଏକ ଉଚ୍ଚ କ୍ଷମତୀ ସମ୍ପନ୍ନ ସଂସ୍ଥା ହେବ ଯାହା ଗୌସମ୍ବର୍ଦ୍ଧନା ପାଇଁ କାମ କରିବ | କ୍ୟାବିନେଟ ନିଷ୍ପତ୍ତିର ସୂଚନା ଦେଇ ଆଇନ ଏବଂ ସୂଚନା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ଯେ, 'ଦ ବେନିଙ୍ଗ ଅଫ ଅନରେଗୁଲେଟେଡ ଡିପୋଜିଟ ସ୍କିମ ବିଲ ୨୦୧୮' ଆଇନରେ ପରିଗଣିତ ହେବାପରେ ଏହି ଆଇନ ଅନୁସାରେ ଜମା ଯୋଜନା ପଞ୍ଜିକୃତ ହେବ ନାହିଁ, ବରଂ ଅବୈଧ ହୋଇଯିବ | ଏହିସବୁ କମ୍ପାନୀର ମାଲିକ, ଏଜେଣ୍ଟ ଏବଂ ବ୍ରାଣ୍ଡ ଆମ୍ବାସେଡରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଏମାନଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତ କରାଯାଇ ଗରିବଙ୍କ ଟଙ୍କା ଫେରସ୍ତ କରାଯିବ |


ରବି ଶଙ୍କର କହିଥିଲେ ଯେ, ପାର୍ଲାମେଣ୍ଟର ସ୍ଥାୟୀ ଅର୍ଥ କମିଟି ଏହି ବିଧେୟକ ବା ବିଲରେ ଥିବା ବିଭିନ୍ନ ପ୍ରସଂଗ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିସାରିଛନ୍ତି | କମିଟିର ସୁପାରିଶ ଆଧାରରେ ସରକାର ଏହି ସମ୍ବନ୍ଧୀୟ ଧାରାଗୁଡିକରେ ସଂଶୋଧନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି |


ସରକାର 'ଦ ବେନିଙ୍ଗ ଅଫ ଅନରେଗୁଲେଟେଡ ଡିପୋଜିଟ ସ୍କିମ ବିଲ ୨୦୧୮' ଗତବର୍ଷ ଜୁଲାଇ ୧୮ ତାରିଖରେ ସଂସଦରେ ଉପସ୍ଥାପନ କରିଥିଲେ | ପରେ ଏହାକୁ ସଂସଦୀୟ କମିଟିକୁ ପଠାଇ ଦିଆଯାଇଥିଲା | କମିଟି ଜାନୁଆରୀ ୩ ତାରିଖରେ ରିପୋର୍ଟ ଦେଇଥିଲା |


ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୬-୧୭ ସାଧାରଣ ବଜେଟରେ ଅବୈଧ ଭାବେ ଟଙ୍କା ଜମା କରୁଥିବା ଯୋଜନାଗୁଡିକରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ ହେବ ବୋଲି ଘୋଷଣା କରିଥିଲେ | ଦେଶର ଅନେକ ରାଜ୍ୟରେ ଅବୈଧ ଟଙ୍କା ଜମାକାରୀ ସଂସ୍ଥା, ଚିଟଫଣ୍ଡ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି | ଯେଉଁଥିପାଇଁ ଏଭଳି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାର ଆଇନ ତିଆରି କରିଛନ୍ତି |


ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ୨୦୧୫ ମସିହାରୁ ଆରମ୍ଭ କରି ୨୦୧୮ ମସିହା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସିବିଆଇ ଅବୈଧ ଟଙ୍କା ଜମାକାରୀ ସଂସ୍ଥା, ଚିଟଫଣ୍ଡ ଦୁର୍ନୀତି ସହ ଜଡିତ ୧୬୬ଟି ମାମଲା ରୁଜ୍ଜୁ କରିଛି | ସବୁଠାରୁ ଅଧିକ ମାମଲା ପଶ୍ଚିମବଙ୍ଗ ଓ ଓଡିଶାରେ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.