ମଦ ପାଇଁ ଚାପରେ ମୋଦୀ ! ଲକ୍‌ଡାଉନ୍‌ ପରେ ମଦ ଦୋକାନ ବନ୍ଦ ନିଷ୍ପତ୍ତିର ପୁନଃବିଚାର କରିବେ, ବିଭିନ୍ନ ରାଜ୍ୟରୁ ଆସିଛି ଦାବି

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ ୨୮।୦୪: ଲକ୍‌ଡାଉନ୍‌ ଯୋଗୁଁ ଦେଶରେ ମାର୍ଚ୍ଚ ୨୫ରୁ ମଦ କାରବାର ଠପ୍ ପଡିଛି। ଯାହାର ପ୍ରଭାବ ବିଭିନ୍ନ ରାଜ୍ୟର ରାଜକୋଷ ଉପରେ ମଧ୍ୟ ପଡିଛି। ଦେଶରେ ଏମିତି ଅନେକ ରାଜ୍ୟ ରହିଛନ୍ତି ଯାହାଙ୍କ ରାଜକୋଷ ସଂଗ୍ରହରେ ଅବକାରୀ ବିଭାଗର ମହତ୍ଵପୂର୍ଣ୍ଣ ଭୂମିକା ରହିଛି। ଫଳରେ ଏବେ ଅନେକ ରାଜ୍ୟ ସରକାର ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଚାପ ବଢିବା ପରେ ଏବେ କେନ୍ଦ୍ର ସରକାର ମଦ ଉପରେ ଲଗାଇଥିବା ପ୍ରତିବନ୍ଧକ ଉପରେ ପୁନଃବିଚାର କରି ପାରନ୍ତି।

ସୂତ୍ର ମୁତାବକ ଏକ ମାତ୍ର ରାଜ୍ୟ ଭାବେ ପଞ୍ଜାବ ସରକାର କେନ୍ଦ୍ର ସରକାରଙ୍କୁ ସରକାରୀ ଭାବେ ଚିଠି ଲେଖି ମଦ ବିକିବାକୁ ଅନୁମତି ଦେବାକୁ କହିଛନ୍ତି। ବାକି ଅନ୍ୟ ରାଜ୍ୟ  ଯଥା କର୍ଣ୍ଣାଟକ, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, କେରଳ, ତାମିଲନାଡୁ, ଗୋଆ ଓ ଉତ୍ତର-ପୂର୍ବାଞ୍ଚଳର ଅନେକ ରାଜ୍ୟ ସରକାର ଅନେକ ଥର କ୍ୟାବିନେଟ୍ ସଚିବଙ୍କ ସହିତ ବୈଠକରେ ଅନୌପଚାରିକ ଭାବେ ଏହି ପ୍ରସଙ୍ଗ ଉଠାଇଛନ୍ତି।  

ରାଜ୍ୟ ସରକାରମାନେ କହିଛନ୍ତି ଯେ, ସେମାନଙ୍କୁ ଭରସା ଦିଆଯାଇଛି ଯେ, କେନ୍ଦ୍ର ସରକାର ମଦ ଉପରେ ଲଗାଇଥିବା ରୋକ୍ ଉପରେ ପୁନଃ ବିଚାର କରି ପାରନ୍ତି। କେନ୍ଦ୍ର ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଥିବା ରାଜ୍ୟ  ମଧ୍ୟରୁ ଜଣେ ମୁଖ୍ୟ ସଚିବ ନାମ ଗୋପନୀୟ ରଖିବା ସର୍ତ୍ତରେ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାର ଏହା ଉପରେ ଏ ପର୍ଯ୍ୟନ୍ତ ନିରବ ରହିଛନ୍ତି। କେନ୍ଦ୍ର ସରକାରଙ୍କ ଜଣେ  ବରିଷ୍ଠ ଅଧିକାରୀ ଯିଏ କୋଭିଡ-୧୯ ସଙ୍କଟର ମୁକାବିଲା ଲାଗି ଗଠିତ ଟାକ୍ସ ଫୋର୍ସର ସଦସ୍ୟ ଅଟନ୍ତି, ସେ କହିଛନ୍ତି ମଦ ବିକ୍ରି ଉପରେ ଲାଗିଥିବା ପ୍ରତିବନ୍ଧକ ଉପରେ ଏ ଯାଏ କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ।

ଅନ୍ୟ ରାଜ୍ୟର ବରିଷ୍ଠ ଅଧିକାରୀ କ୍ୟାବିନେଟ୍‌ ସଚିବଙ୍କ ସହ ବୈଠକ ସମୟରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ମଦ ବିକ୍ରି ଉପରେ ରୋକ୍‌ ଲାଗିଥିବା କାରଣରୁ ପଞ୍ଜାବ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ପରି ଅନେକ ରାଜ୍ୟର ରାଜକୋଷ ଉପରେ ଗୁରୁତର ପ୍ରଭାବ ପଡିଥିବା

ମାର୍ଚ୍ଚ ୨୫ ରୁ ଏପ୍ରିଲ ୧୪ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ଆସାମ ଓ ମେଘାଳୟ ରାଜ୍ୟରେ ମଦ  ବିକ୍ରିକୁ ଅନୁମତି ଦେଇଥିଲେ। ହେଲେ କେନ୍ଦ୍ର ସରକାର ମଦ ଉତ୍ପାଦନ ଓ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦେବା ପରେ ଦୁଇ ରାଜ୍ୟକୁ ନିଜର ଅନୁମତି ପ୍ରତ୍ୟାହାର କରିବାକୁ ପଡିଥିଲା।

ସେହି ପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ନିକଟରେ କହିଥିଲେ ଯେ, ଲକ୍‌ଡାଉନ୍‌ କାରଣରୁ ରାଜ୍ୟ ରାଜକୋଷ ଉପରେ ଗୁରୁତର ପ୍ରଭାବ ପଡିଛି। ରାଜ୍ୟ ସରକାରଙ୍କୁ ରାଜସ୍ଵ ହରାଇବାକୁ ପଡିଛି। ଫଳରେ କେନ୍ଦ୍ର ସରକାର ମଦ ବିକ୍ରିକୁ ଅନୁମତି ଦିଅନ୍ତୁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.