ପ୍ରବାସୀ ଶ୍ରମିକଙ୍କ ପାଇଁ ମୋଦି ସରକାରଙ୍କ ମେଗା ପ୍ଲାନ୍ : ୬ ରାଜ୍ୟର ୧୧୬ ଜିଲ୍ଲାର ଶ୍ରମିକଙ୍କୁ ମିଳିବ ରୋଜଗାର, ଓଡିଶାର ୪ ଜିଲ୍ଲା ସାମିଲ୍

Published By : Prameya-News7 Bureau | June 07, 2020 IST

ନୂଆଦିଲ୍ଲୀ ୦୭/୦୬ : କେନ୍ଦ୍ର ସରକାର ଦେଶର ୬ଟି ରାଜ୍ୟର ୧୧୬ ଜିଲ୍ଲାକୁ ଚୟନ କରିଛନ୍ତି ଯେଉଁଠାକୁ ଲକଡାଉନ ସମୟରେ ସବୁଠାରୁ ଅଧିକ ପ୍ରବାସୀ ଶ୍ରମିକ ଆସିଛନ୍ତି | ମୋଦି ସରକାର ଏହି ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି | ଏହି ପ୍ଲାନ ଅନୁଯାୟୀ, ନିଜ ଗାଁକୁ ଫେରିଥିବା କୋଟି କୋଟି ପ୍ରବାସୀ ଶ୍ରମିକଙ୍କୁ ପୁନର୍ବାସ ଓ ରୋଜଗାର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି |

ଏହି ୧୧୬ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ ହେବାକୁ ଥିବା ସୋସିଆଲ ୱେଲଫେୟାର ଓ ଡାଇରେକ୍ଟ ବେନିଫିଟ ସ୍କିମ କାମ କରିବ | ସରକାର ଚାହୁଁଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କୁ ଶୀଘ୍ର ରୋଜଗାର, ଜୀବିକା, କୌଶଳ ବିକାଶ ଓ ଗରିବ କଲ୍ୟାଣ ଯୋଜନାର ସୁବିଧା ମିଳୁ | ଏହିସବୁ ଜିଲ୍ଲାରେ ମନରେଗା, ସକିଲ ଇଣ୍ଡିଆ, ଜନଧନ ଯୋଜନା, କୃଷି କଲ୍ୟାଣ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଅନ୍ୟାନ୍ୟ କେନ୍ଦ୍ର ଯୋଜନା ଅନୁସାରେ ମିଶନ ମୋଡ଼ରେ କାମ କରାଯିବ |

ଏହାସହ ନିକଟରେ ଘୋଷଣା ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନ ଅନୁସାରେ ଏହିସବୁ ଜିଲ୍ଲା ଉପରେ ଦୃଷ୍ଟି ଦେଇ ବାକିତକ କେନ୍ଦ୍ରୀୟ ଯୋଜନାକୁ ମଧ୍ୟ ସୁଚାରୁ ରୂପେ ଆରମ୍ଭ କରାଯିବ | କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟକୁ ମଧ୍ୟ ନିର୍ଦେଶ ଦିଆଯାଇଛି ଯେ, ଦୁଇ ସପ୍ତାହ ମଧ୍ୟରେ ଏହିସବୁ ଜିଲ୍ଲାଗୁଡିକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତାବ ପ୍ରସ୍ତୁତ କରି ପିଏମଓକୁ ପଠାଯିବ | 

କେନ୍ଦ୍ର ସରକାରଙ୍କ ତରଫରୁ ଚୟନ ହୋଇଥିବା ୧୧୬ ଜିଲ୍ଲା ମଧ୍ୟରୁ ସବୁଠାରୁ ଅଧିକ ବିହାରର ଜିଲ୍ଲା ରହିଛି | କେବଳ ବିହାରର ୩୨ଟି ଜିଲ୍ଲା ଏହି ଯୋଜନା ଅନ୍ତର୍ଭୁକ୍ତ | ଏହାପରେ ଉତ୍ତର ପ୍ରଦେଶର ୩୧ ଜିଲ୍ଲା, ମଧ୍ୟ ପ୍ରଦେଶର ୨୪ ଜିଲ୍ଲା, ରାଜସ୍ତାନର ୨୨, ଝାରଖଣ୍ଡର ୩ ଓ ଓଡିଶାର ୪ ଜିଲ୍ଲା ଅନ୍ତର୍ଭୁକ୍ତ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.