ଯୋଗାଭ୍ୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ, ଲକଡାଉନ୍ ସମୟରେ ନିଜ ଫିଟନେସ୍ ରୁଟିନ୍ ସେୟାର କଲେ ମୋଦୀ
30/03/2020 at 12:13 PM

ନୂଆଦିଲ୍ଲୀ, ୩୦|୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟର ପେଜରେ ଯୋଗ କରୁଥିବାର ଭିଡିଓ ପୋଷ୍ଟ କରିଛନ୍ତି । ଏହାସହ ସେ ଦେଶବାସୀଙ୍କୁ ଏହି ୨୧ ଦିନର ଲକଡାଉନରେ ଯୋଗ ଅଭ୍ୟାସ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଭିଡିଓ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ କାର୍ଯ୍ୟକ୍ରମର ଗୋଟିଏ ଦିନ ପରେ ସାମ୍ନାକୁ ଆସିଛି ଯେତେବେଳେ ସେ ଲକଡାଉନ ସମୟରେ କଣ କରୁଛନ୍ତି ପ୍ରକାଶ କରିଥିଲେ । ଏହି ଭିଡିଓଗୁଡିକ ବିଭିନ୍ନ ଭାଷାରେ ଉପଲବ୍ଧ ହେଉଛି ।
ମୋଦୀ ଟ୍ୱିଟରରେ ଲେଖିଛନ୍ତି ଯେ, ରବିବାରର ମନ କୀ ବାତରେ ତାଙ୍କୁ କେହିଜଣେ ଲକଡାଉନ ସମୟରେ କଣ କରନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାପରେ ସେ ନିଜ ଯୋଗ ଭିଡିଓ ସେୟାର କରିବାକୁ ଚିନ୍ତା କରିଥିଲେ । ଏହାସହ ଦେଶବାସୀ ମଧ୍ୟ ଯୋଗାଭ୍ୟାସ ଆରମ୍ଭ କରିବେ ବୋଲି ସେ ଆଶା କରିଛନ୍ତି ।
ଯୋଗର ଆବଶ୍ୟକତାକୁ ନେଇ ମୋଦୀ କହିଛନ୍ତି, ସେ ଫିଟନେଶ୍ କିମ୍ବା ମେଡିକାଲ ବିଶେଷଜ୍ଞ ନୁହଁନ୍ତି । ଯୋଗ ହେଉଛି ତାଙ୍କ ଜୀବନର ଏକ ଅଙ୍ଗ । ଏହା ସମସ୍ତଙ୍କ ପାଇଁ ଉପଯୋଗୀ । ଦେଶବାସୀଙ୍କୁ ଲକଡାଉନ୍ ସମୟରେ ଯୋଗ କରିବା ପାଇଁ ସେ ଉତ୍ସାହିତ କରିଛନ୍ତି ।