ଗୋଟିଏ ମଞ୍ଚରେ ମୋଦି-ଦିଦି ଏକାଠି : ଭିକ୍ଟୋରିଆ ମେମୋରିଆଲରେ ‘ପରାକ୍ରମ ଦିବସ’ ସମାରୋହ
23/01/2021 at 5:06 PM

କୋଲକାତା ୨୩/୦୧ : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ବେଙ୍ଗଲରେ ହଟଚମଟ ଜାରି ରହିଛି । ପରାକ୍ରମ ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ଗସ୍ତ କରିଛନ୍ତି । ପ୍ରଥମେ କୋଲକାତାର ନେସନାଲ ଲାଇବ୍ରେରୀ ପହଞ୍ଚି ଅନେକ କଳାକାର ଏବଂ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଝିଅ ଅନିତା ବୋଷ କହିଛନ୍ତି, ‘୧୨୪ ବର୍ଷ ପୂର୍ବେ ଭାରତର ସୁପୁତ୍ର ତଥା ମୋର ପିତା ସୁବାଷ ଚନ୍ଦ୍ର ବୋଷ କଟକରେ ଜନ୍ମଗ୍ରହଣ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରମାନେ ୧୨୫ ତମ ଜନ୍ମ ଜୟନ୍ତୀରେ ତାଙ୍କୁ ସମ୍ମାନୀତ କରିବା ପାଇଁ ପଦକ୍ଷେପ ନେଇଥିବାରୁ ଧନ୍ୟବାଦ ଜଣାଉଛି’ ।
ପଶ୍ଚିମବଙ୍ଗରେ ରାଜନୀତି ସରଗରମ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାରେ ପହଞ୍ଚିଛନ୍ତି । ମୋଦିଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପରାକ୍ରମ ଦିବସ ସମାରୋହରେ ସାମିଲ ହୋଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଟିଏ ସ୍ଥାନରେ ନଜର ଆସିଛନ୍ତି ।
ଏହା ସହିତ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ମଧ୍ୟ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପରାକ୍ରମ ଦିବସ ସମାରୋହ ଆରମ୍ଭ ହୋଇଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାଠୀ ଗୋଟିଏ ସ୍ଥାନରେ ନଜର ଆସିଛନ୍ତି ।