ରିଜର୍ଭ ବ୍ୟାଙ୍କ ଅଧିନକୁ ଆସିବ ସମସ୍ତ ସମବାୟ ବ୍ୟାଙ୍କ, ଅଧ୍ୟାଦେଶ ଉପରେ ମୋହର ମାରିଲେ ମୋଦୀ କ୍ୟାବିନେଟ୍

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ ୨୪।୦୬: ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଅନେକ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ନେଇ ବଡ ନିଷ୍ପତ୍ତି ନିଆଯାଇଛି। ଦେଶର ସମସ୍ତ ୧୫୪୦ ସମବାୟ ବ୍ୟାଙ୍କ ଓ ବହୁ ରାଜ୍ୟ ସହକାରୀ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଧିନକୁ ଆଣିବା ପାଇଁ ଉଦ୍ଦିଷ୍ଟ ଅଧ୍ୟାଦେଶ ଉପରେ ମୋହର ମାରିଛି ମୋଦୀ କ୍ୟାବିନେଟ୍। ଏଥିରେ ଦେଶର ୮ କୋଟି ୬୦ ଲକ୍ଷ ଜମାକାରୀଙ୍କ ଜମା ରାଶି ସୁରକ୍ଷିତ ରହିବ। ଏହାର ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରକାଶ ଜାଭେଦକର।

ସେ କହିଛନ୍ତି ଦେଶରେ ୧୪୮୨ ଅର୍ବାନ ସମବାୟ ବ୍ୟାଙ୍କ ଏବଂ ୫୮ ବହୁ ରାଜ୍ୟ ସମବାୟ ବ୍ୟାଙ୍କକୁ ନେଇ ଆଜି ଅଧ୍ୟାଦେଶ ଅଣାଯାଇଛି। ଅଧ୍ୟାଦେଶକୁ କ୍ୟାବିନେଟ୍‌ ଗୃହୀତ କରାଇ ସମବାୟ ବ୍ୟାଙ୍କଗୁଡିକୁ ରିଜର୍ଭ ବ୍ୟାଙ୍କ ଅନ୍ତର୍ଗତକୁ ଅଣାଯାଇଛି। ଏବେ ସମସ୍ତ ବ୍ୟାଙ୍କିଙ୍ଗ ସମ୍ବନ୍ଧିତ ନିୟମ ଏହି ସବୁ ବ୍ୟାଙ୍କ ଉପରେ ମଧ୍ୟ ଲାଗୁ ହେବ। ଏହାର ଫାଇଦା ଜମାକର୍ତ୍ତାଙ୍କୁ ମିଳିବ ଏବଂ ସେମାନଙ୍କୁ ହୃଦବୋଧ ହେବ ଯେ, ତାଙ୍କର ଜମାରାଶି ଏବେ ଆହୁରି ସୁରକ୍ଷିତ ହୋଇ ଯାଇଛି। ଏହି ୧୫୪୦ ବ୍ୟାଙ୍କରେ ୮ କୋଟି ୬୦ ଲକ୍ଷ ଖାତାଧାରୀ ଅଛନ୍ତି।

ଜାଭେଦକର କହିଛନ୍ତି ମୁଦ୍ରା ଲୋନ ଯୋଜନା ଆଧାରରେ ଶିଶୁ ମୁଦ୍ରା ଲୋନ ନେବାକୁ ଥିବା ୯ କୋଟି ୩୭ ଲକ୍ଷ ଲୋକଙ୍କୁ ସୁଧରେ ଦୁଇ ପ୍ରତିଶତ ରିଆତି ମିଳିବ। ଠେଲାବାଲା ଏବଂ ଉଠାଦୋକାନୀଙ୍କୁ ମୁଦ୍ରା ଯୋଜନା ପୂର୍ବରୁ ଗାଁ ସାହୁକାରଠୁ ଅଧିକ ସୁଧରେ କରଜ ନେବାକୁ ପଡୁଥିଲା। ଏବେ ସେମାନଙ୍କୁ ବ୍ୟାଙ୍କରୁ ଲୋନ ମିଳି ପାରୁଛି। ଆଜି କ୍ୟାବିନେଟ୍‌ରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସେମାନଙ୍କୁ ମୁଦ୍ରା ଲୋନ ଉପରେ ୨ ପ୍ରତିଶତ ରିଆତି ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.